ବାହାନଗା: କରମଣ୍ଡଳ ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକ ମରାମତି କାମ ସରିଛି । ପ୍ରଥମେ ଡାଉନ ଲାଇନ୍ ଓ ପରେ ଅପ୍ ଲାଇନ ମରାମତି କାର୍ଯ୍ୟ ଶେଷ ହୋଇଛି । ଉଭୟ ଲାଇନରେ ପରୀକ୍ଷାମୂଳକ ଭାବେ ମାଲବାହୀ ଟ୍ରେନ୍ ଗଡ଼ିଛି । କୋଲକାତା-ବାଲେଶ୍ୱର ରୁଟରେ ପାସେଞ୍ଜର ଟ୍ରେନ ଗଡିଲା । ଏନେଇ ରେଲୱେ କର୍ମଚାରୀ ଓ ଶ୍ରମିକଙ୍କୁ ରେଳମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ବାଲେଶ୍ୱର ଜିଲ୍ଲା ବାହାନଗାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଉଦ୍ଧ୍ୱର୍ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏହି ଅଭାବନୀୟ ଦୁର୍ଘଟଣାଟି ଇଣ୍ଟରଲକିଂ ସିଷ୍ଟମ ତ୍ରୁଟି ଯୋଗୁଁ ଘଟିଛି ବୋଲି ରେଳମନ୍ତ୍ରୀ କହିଛନ୍ତି । ତେବେ ଏହି ଯୁଦ୍ଧକାଳୀନ ପରିସ୍ଥିତିରେ ଶ୍ରମିକମାନେ କାମ ସାରିଥିବାରୁ ରେଳମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରାଯାଇଛି । ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି।