ବୈକୁଣ୍ଠ ଆଶ୍ରମକୁ ନେଇ ବଡ ଖୁଲାସା, ସରକାରୀ ଜମିରେ ରାଜ୍ କରୁଥିଲେ କଳ୍କୀ ବାବା!

ଭୁବନେଶ୍ବର: ନାବାଳକକୁ କଳ୍ପୀ ଅବତାର କହି ପୂଜା କରିବା ପ୍ରସଙ୍ଗକୁ ନେଇ ଦିନକୁ ଦିନ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି । ସରକାରୀ ଜମିରେ ରହିଛି ବୈକୁଣ୍ଠ ଆଶ୍ରମ । ସରକାରୀ ଜମିରେ ଖଣ୍ଡଗିରିର ଏହି ବୈକୁଣ୍ଠ ଆଶ୍ରମ ରହିଥିବା ଜଣାପଡିଛି । ଏନେଇ ଜିଏ ପକ୍ଷରୁ ମାପଚୁୁପ ପରେ ସ୍ପଷ୍ଟ କରାଯାଇଛି । ଏନେଇ ସହକାରୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 140 ଡିସିମିଲ ଜମିରେ ଏହି ଆଶ୍ରମ ରହିଥିବା ନେଇ ଜଣାପଡିଛି । ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଥିବା ବେଳେ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଶଷ୍ଠାନ ନିଆଯିବ ବୋଲି ସହକାରୀ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ପ୍ରକାଶଥାଉକି, ବିବାଦ ପରେ ଆଜି ଆଶ୍ରମର ଜମି ମାପଚୁପ କରିଥିଲା ଜିଏ ବିଭାଗ । ଜବରଦଖଲ ଉଚ୍ଛେଦ ପାଇଁ କାଲିଠୁ ପ୍ରକ୍ରିୟା ଆରମ୍ଭ ହେବା ନେଇ ଜଣାପଡିଛି ।

ଖବରଅନୁସାରେ, ଜଣେ ନାବାଳକକୁ ଭଗବାନଙ୍କ ଆଖ୍ୟା ଦେବା ସହିତ ପାଦ ତଳେ ଫୁଲ, ତୁଳସୀ ଦେଇ ପୂଜା କରାଯାଉଥିଲା । ରାଜଧାନୀର ଖଣ୍ଡଗିରି ଅଞ୍ଚଳରୁ ଏହି ଭିଡିଓ ସାମ୍ନାକୁ ଆସିଥିଲା ।  କେତେ ଦିନରୁ ଏଭଳି ଚାଲୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା । ଏହାକୁ ନେଇ ସବୁଆଡୁ ବିରୋଧ କରାଯିବା ସହିତ ଉତ୍ତେଜନା ଦେଖାଯାଇଥିଲା । ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିବା ବେଳେ ଗୋଟିଏ ପରେ ଗୋଟିଏ ସତ୍ୟ ସାମ୍ନାକୁ ଆସୁଛି ।