fbpx

‘Enlarged Heart Diseases’ କ’ଣ: ଏହାଦ୍ୱାରା ମଣିଷର ମୃତ୍ୟୁ କାହିଁକି ଘଟୁଛି: ଏହି ବୀମାରୀ ହେବାର କାରଣ, ଲକ୍ଷଣ ଓ ଉପଚାର ବିଷୟରେ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଗରମ ଅନୁଭୂତ ହେଉଥିବା ବେଳେ ଲୋକମାନେ ତାତିରୁ ଆଶ୍ୱସ୍ତି ପାଇବା ପାଇଁ ୱାଟର ପାର୍କ ଯାଇଥାନ୍ତି । ନିକଟରେ ନୋଏଡ଼ା ସ୍ଥିତ ଏଣ୍ଟରନେଟମେଣ୍ଟ ସିଟି ୱାଟର ପାର୍କରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିଲା । ୨୫ ବର୍ଷୀୟ ଧନଞ୍ଜୟ ମାହେଶ୍ୱରୀ ନିଜର ବନ୍ଧୁମାନଙ୍କ ସହିତ ୱାଟର ପାର୍କକୁ ବୁଲିବାକୁ ଯାଇଥିବା ସମୟରେ ସେଠାରେ ସ୍ଲାଇଡିଂ ଅବସରରେ ସେ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ଧନଞ୍ଜୟଙ୍କ ମୃତ୍ୟୁ ‘ଏନଲାର୍ଜ ହାର୍ଟ’ (ହୃଦୟ ବୃଦ୍ଧି) କାରଣରୁ ହୋଇଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା । ତେବେ ଏହି ବିମାରୀ ବିଷୟରେ ଆପଣଙ୍କୁ ନିହାତି ଜାଣିବା ଆବଶ୍ୟକ ।

ରାଜୀବ ଗାନ୍ଧି ହସ୍ପିଟାଲର କାର୍ଡିଓଲୋଜିଷ୍ଟଙ୍କ ଅନୁଯାୟୀ, ବଡ଼ା ଦିଲ ବାଲା ମଣିଷ ଭଲ ବୋଲି ସମସ୍ତେ କୁହନ୍ତି । ମାତ୍ର ମେଡିକାଲ କ୍ଷେତ୍ରରେ ବଡ଼ା ଦିଲ ଜୀବନ ନେଇପାରେ । ଯେତେବେଳେ କୌଣସି ମଣିଷର ହାର୍ଟର ସାଇଜ୍ ବୃଦ୍ଧି ପାଇଥାଏ ସେତେବେଳ ତାହାକୁ ହାର୍ଟ ଏନଲାର୍ଜ ବା କାର୍ଡିୟୋମେଗାଲୀ କୁହାଯାଇଥାଏ । ହାର୍ଟ ବଢ଼ିବା ବିପଜ୍ଜନକ ନୁହେଁ । ମାତ୍ର ଯଦି ସଠିକ୍ ସମୟରେ ଏହାକୁ ଚିହ୍ନଟ କରି ଚିକିତ୍ସା କରାନଯାଏ ତେବେ ତାହା କ୍ଷତିକର ହୋଇଥାଏ । ଯେତେବେଳେ ହାର୍ଟର ସାଇଜ୍ ବଢ଼ିଥାଏ ସେତେଳେବ ହାର୍ଟକୁ ବ୍ଲଡ ପମ୍ପ କରିବାରେ ସାମାନ୍ୟ ଅଧିକ ପରିଶ୍ରମ କରିବାକୁ ପଡ଼ିଥାଏ । ଏହାଦ୍ୱାରା ହାର୍ଟର ଫଙ୍କସନ ଉପରେ ପ୍ରଭାବ ପଡ଼ିଥାଏ । ପରବର୍ତ୍ତୀ ସମୟରେ ତାହା ହାର୍ଟ ଫେଲ ବା କାର୍ଡିଆକ ଅରେଷ୍ଟର କାରଣ ସାଜିପାରେ । କାର୍ଡିଆକ ଅରେଷ୍ଟରେ ଅତ୍ୟଧିକ ମୃତ୍ୟୁ ଆଶଙ୍କା ରହିଥାଏ । ଏହି ବୀମାରୀରେ ହାର୍ଟ ଅଚାନକ କାମ କରିବା ବନ୍ଦ କରିଦେଇଥାଏ ଓ ମୃତ୍ୟୁ ଘଟିଥାଏ ।

ଯେତେବେଳେ କୌଣସି ବ୍ୟକ୍ତି କୌଣସି ପ୍ରକାରର ଫିଜିକାଲ ଆକ୍ଟିଭିଟ୍ କରନ୍ତି ସେ ସମୟରେ ଶରୀରରେ ଅମ୍ଲାଜାନର ସପ୍ଲାଏ ବଢ଼ିଯାଇଥାଏ । ସେହି ସମୟରେ ହାର୍ଟକୁ ମଧ୍ୟ ଦ୍ରୁତ ଭାବେ ବ୍ଲଡ ପମ୍ପ କରିବାକୁ ପଡ଼ିଥାଏ ଓ ସେହି ସମୟରେ ହାର୍ଟ ସ୍ପନ୍ଦନ ମଧ୍ୟ ବଢ଼ିଯାଇଥାଏ । ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବରୁ ହାର୍ଟ ଏନଲାର୍ଜ ସମସ୍ୟା ରହିଥାଏ, ତେବେ ସେହି ସମୟରେ ତାଙ୍କର ହାର୍ଟ ଫଙ୍କସନ ଉପରେ ପ୍ରଭାବ ପଢ଼ିଥାଏ । ଅଧିକ ପ୍ରେସର କାରଣରୁ ସେ କାର୍ଡିଆକ ଅରେଷ୍ଟର ଶିକାର ହୋଇ ପାରନ୍ତି । ହାର୍ଟ ସାଇଜ୍ ବଢ଼ିବାର ଅନେକ କାରଣ ରହିଛି ।

ଯଦି କୌଣସି ବ୍ୟକ୍ତି ଉଚ୍ଚ ରକ୍ତଚାପ ସମସ୍ୟାର ସାମ୍ନା କରନ୍ତି ତେବେ ତାଙ୍କର ହାର୍ଟ ସାଇଜ୍ ବଢ଼ିବାର ଆଶଙ୍କା ରହିଥାଏ । ମଧୁମେୟ ଓ ମୋଟାପାରେ ପୀଡ଼ିତ ଲୋକଙ୍କ ଠାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଥାଏ । କିଛି ଲୋକଙ୍କର ହାର୍ଟର ମାଂସପେଶୀଗୁଡ଼ିକ ବୟସ ବଢ଼ିବା ସହିତ ଦୁର୍ବଳ ହୋଇଯାଇଥାନ୍ତି । ଫଳରେ ହାର୍ଟର ସାଇଜ ବଢ଼ିଯାଇଥାଏ । ପିଲାବେଳୁ ଯଦି କାହାର କୌଣସି ହାର୍ଟ ବିମାରୀ ରହିଥାଏ, ତେବେ ପରେ ହାର୍ଟକୁ ଏନଲାର୍ଜ କରିପାରେ । ହାର୍ଟ ସାଇଜ ବୃଦ୍ଧିର ଲକ୍ଷଣ ସହଜରେ ବୁଝାପଡ଼େ ନାହିଁ । ଏହି ସମସ୍ୟା ଧୀରେଧୀରେ ଶରୀରରେ ବଢ଼ିବାକୁ ଲାଗିଥାଏ । ଠିକ୍ ସମୟରେ ଚିକିତ୍ସା ନକଲେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିପାରେ । ପୂର୍ବରୁ ହାର୍ଟ ଏନଲାର୍ଜ ସମସ୍ୟା ୫୦ ବର୍ଷୀୟ ବୟସ୍କଙ୍କ କ୍ଷେତ୍ରରେ ଦେଖାଯାଉଥିଲା, ମାତ୍ର ଏବେ କମ୍ ବୟସର ଲୋକଙ୍କ ଠାରେ ଦେଖିବାକୁ ମିଳୁଛି ।

ହାର୍ଟ ବିଟ୍ ଅଚାନକ ବଢ଼ିବା, ଛାତିରେ ଯନ୍ତ୍ରଣା, ନିଃଶ୍ୱାସ ନେବାରେ କଷ୍ଟ, ଅଚାନକ ଝାଳ ଆସିବା, ପାଦ ଫୁଲିବା, ଅଚାନକ ଜୋରରେ କାଶ ଆସିବା ଆଦି ହାର୍ଟ ସାଇଜ୍ ବଢ଼ିବାର ଗୋଟିଏ ଗୋଟିଏ ଲକ୍ଷଣ । ପୀଡ଼ିତଙ୍କୁ ଦୈନିକ ଭୋଜନରେ ସବୁଜ ପନିପରିବାକୁ ସାମିଲ କରିବା, ଧୂମ୍ରପାନ ତ୍ୟାଗ କରିବା, ଦୈନିକ ବ୍ୟାୟାମ କରିବା, ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା, ଫଳ ସେବନ କରିବା ଆବଶ୍ୟକ । ଏନଲାର୍ଜ ହାର୍ଟ ବିଷୟରେ ଜଣାପଡ଼ିବା ପରେ ଛାତିର ଏକ୍ସ-ରେ, ରକ୍ତ ପରୀକ୍ଷା, ଇକୋ ଓ କ୍ୟାଥୀଟେରାଇଜେସନ ପରି ଟେଷ୍ଟ କରାଯାଇଥାଏ । ଯଦି ହାର୍ଟ ସାଇଜ୍ ଅଧିକ ବୃଦ୍ଧି ପାଇନଥାଏ, ତେବେ ମେଡିସିନ ଦ୍ୱାରା ବିପିକୁ ନିୟନ୍ତ୍ରଣ ଓ ରକ୍ତ ପତଳା କରାଯାଇଥାଏ । ମାତ୍ର ସ୍ଥିତି ଗମ୍ଭୀର ଥିଲେ ପେସମେକର ଲଗାଇ ବା ସର୍ଜରୀ କରି ଚିକିତ୍ସା କରାଯାଇଥାଏ ।

Get real time updates directly on you device, subscribe now.