ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ଫ୍ଲାଟ୍‌… ଜାଣନ୍ତୁ କେତେ ସମ୍ପତ୍ତି ଛାଡ଼ିଯାଇଛନ୍ତି ମନମୋହନ

ନୂଆଦିଲ୍ଲୀ: ପରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ ତାଙ୍କ ସରଳତା, ନମ୍ରତା ଓ କାର୍ଯ୍ୟ ପ୍ରତି ପ୍ରତିବଦ୍ଧତା ପାଇଁ ବେଶ୍ ପରିଚିତ ଥିଲେ । ବର୍ତ୍ତମାନ ତାଙ୍କ ନିଧନ ପରେ ସବୁ ସମ୍ପତ୍ତିର ମାଲିକ କିଏ ହେବ ? ପେନସନ୍ ଉପରେ କାହାର ଅଧିକାର ରହିବ ? ଏହି ସବୁ ପ୍ରଶ୍ନର ଉତ୍ତରକୁ ନେଇ ଚର୍ଚ୍ଚା ଲାଗି ରହିଛି ।

ମନମୋହନଙ୍କ ମୋଟ୍ ସମ୍ପତ୍ତି:

୨୦୧୮ରେ ରାଜ୍ୟସଭା ନିର୍ବାଚନ ସମୟରେ ଦାଖଲ କରାଯାଇଥିବା ଆଫିଡେଭିଟ୍ ଅନୁଯାୟୀ ମନମୋହନ ସିଂହଙ୍କ ମୋଟ୍ ସମ୍ପତ୍ତି ୧୫.୭୭ କୋଟି ଟଙ୍କା । ସେତେବେଳେ ତାଙ୍କ ପାଖରେ ୩୦ ହଜାର ଟଙ୍କା ନଗଦ ଏବଂ ୩.୮୬ ଲକ୍ଷ ଟଙ୍କାର ଅଳଙ୍କାର ଥିଲା । ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ତାଙ୍କର ଆପାର୍ଟମେଣ୍ଟ ମଧ୍ୟ ରହିଛି । ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୭ କୋଟି ଟଙ୍କା ଜମାରାଶି ଥିବା ବେଳେ NSS ଏବଂ ପୋଷ୍ଟାଲ ସେଭିଂ ଖାତାରେ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଜମାରାଶି ଥିଲା । ତାଙ୍କ ନାଁରେ କୌଣସି ଶେୟାର, ବଣ୍ଡ୍ କିମ୍ବା ବୀମା ପଲିସିରେ ବିନିଯୋଗ କରିନଥିଲା । ତାଙ୍କ ଉପରେ କୌଣସି ଋଣ ନଥିଲା । ୨୦୧୩ ଆଫିଡେଭିଟରେ ତାଙ୍କ ପାଖରେ ଏକ ମାରୁତି ୮୦୦ ଥିବା ଉଲ୍ଲେଖ କରାଯାଇଥିଲା ।

କାହାକୁ ମିଳିବ ସୁବିଧା ?

ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ମନମୋହ ଅନେକ ସୁବିଧା ପାଉଥିଲେ । ପଦ ଯିବାର ପ୍ରଥମ ୫ ବର୍ଷ ଅଧିକ ସୁବିଧା ମିଳିଥାଏ । ଏହା ପରେ ନିୟମ ମୁତାବିକ ଅଳ୍ପ କିଛି ସୁବିଧା ଉପରେ ରୋକ ଲଗାଯାଏ । ପଦ ହଟିବା ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ମାସିକ ପେନସନ୍ ବାବଦକୁ ୨୦ ହଜାର ଟଙ୍କା ମିଳୁଥିଲା । ବର୍ତ୍ତମାନ ସେହି ପେନ୍‌ସନ୍ ଟଙ୍କା ତାଙ୍କ ସ୍ତ୍ରୀ ଗୁରଶରଣ କୌରଙ୍କୁ ଦିଆଯିବ । ପୂର୍ବରୁ ଯେଉଁ ସବୁ ଗୃହ ସୁବିଧା ମିଳୁଥିଲା ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ । ମନମୋହନଙ୍କ ସ୍ତ୍ରୀ ଏବଂ ତାଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କୁ ଏହି ସବୁ ସୁବିଧା ମିଳିବ । ମାଗଣା ଚିକିତ୍ସା ସହ ମାଗଣା ରେଳ ଯାତ୍ରା । ଏବଂ କମ୍ ମୂଲ୍ୟରେ ବିମାନ ଯାତ୍ରା ମଧ୍ୟ କରିପାରିବେ ।

ମନମୋହନଙ୍କୁ ଦିଲ୍ଲୀର ମୋତିଲାଲ ନେହରୁ ମାର୍ଗ ୩ରେଏକ ବଙ୍ଗଲା ଦିଆଯାଇଥିଲା । ଯେଉଁଠାରେ ସେ ତାଙ୍କ ପରିବାର ସହ ଅବସର ପରର ଜୀବନ ବିତାଉଥିଲେ । ଏହା ସହ ପଦ ଯିବାର ପ୍ରଥମ ବର୍ଷ ପର୍ଯ୍ୟନ୍ତ ତାଙ୍କୁ SPG ସୁରକ୍ଷା ମିଳିଥିଲା । ଏହା ପରେ ତାଙ୍କୁ ଦିଆଯାଇଥିଲା ଜେଡ୍ ପ୍ଲସ୍ ସୁରକ୍ଷା । ପ୍ରଥମ ୫ ବର୍ଷ ପରେ ଜଣେ ବ୍ୟକ୍ତିଗତ ସହାୟକ ଏବଂ ଜଣେ ପିଅନକୁ ଯୋଗାଇ ଦିଆଯାଇଥିଲା । ଖାଲି ସେତିକି ନୁହେଁ ଅଫିସ ଖର୍ଚ୍ଚ ପାଇଁ ବାର୍ଷିକ ୬ ହଜାର ଟଙ୍କା ମଧ୍ୟ ଦିଆଯାଉଥିଲା ।