fbpx

Opinion Poll: କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ କ’ଣ ହେବ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନକୁ ନେଇ ରାଜନୈତିକ ମହଲ ସରଗରମ୍ ରହିଛି । ଏହା ମଧ୍ୟରେ ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜିଛି । ଆସନ୍ତା ମେ ମାସ ୧୦ ତାରିଖରେ ରାଜ୍ୟରେ ଭୋଟ ହୋଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଏ ବାବଦରେ ସମସ୍ତ ସୂଚନା ଦିଆଯାଇଛି । ତାରିଖ ଘୋଷଣା ହେବା ପରେ ଏବେ ପ୍ରମୁଖ ରାଜନୈତିକ ଦଳମାନେ କାମ ଆରମ୍ଭ କରିଦେଇଛନ୍ତି ।

ତେବେ ଏହା ମଧ୍ୟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଓପିନିଅନ ପୋଲ ସାମ୍ନାକୁ ଆସିଛି । ଏହି ସର୍ଭେ ତଥ୍ୟ ସମସ୍ତଙ୍କୁ ତାଜୁବ କରିଦେଇଛି । ରାଜ୍ୟରେ ମୋଟ ୨୨୪ଟି ଆସନ ପାଇଁ ନିର୍ବାଚନ ହେବ । ଏଥର ରାଜ୍ୟରେ ବିଜେପି, କଂଗ୍ରେସ ଓ ଜନତା ଦଳ-ଧର୍ମନିରପେକ୍ଷ (ଜେଡିଏସ୍) ମଧ୍ୟରେ କଡ଼ା ମୁକାବିଲା ହେବ । ଗୋଟିଏ ପଟେ ବିଜେପି କ୍ଷମତା ବଜାୟ ରଖିବାକୁ ଉଦ୍ୟମ ଚଳାଇଥିବା ବେଳେ ସୁପ୍ତ ଅବସ୍ଥାରେ ଥିବା କଂଗ୍ରେସ ରାହୁଲ ଗାନ୍ଧିଙ୍କ ଜରିଆରେ ସହାନୁଭୂତି ଭୋଟ ପାଇବା ଆଶାରେ ରହିଛି ।

ରିପୋର୍ଟ ମୁତାବକ, ଏଥର ନିର୍ବାଚନରେ ବିଜେପିକୁ ଏକ ବଡ଼ ଝଟକା ଲାଗିପାରେ । ଏବିପି ନ୍ୟୁଜ୍-ସି ଭୋଟର ଆକଳନ ଅନୁଯାୟୀ, କଂଗ୍ରେସକୁ ୧୧୫-୧୨୭, ବିଜେପିକୁ ୬୮-୮୦ଟି, ଜେଡିଏସକୁ ୨୩-୩୫ଟି ସିଟ୍ ମିଳିପାରେ । ଏହି ପୋଲରେ ୨୪ ହଜାର ୭୫୯ ଜଣ ଲୋକଙ୍କର ମତାମତ ନିଆଯାଇଥିଲା । ସେହିପରି ଜି ନ୍ୟୁଜ୍ ଆକଳନ ମୁତାବକ, ବିଜେପି ୩୮.୩, କଂଗ୍ରେସ ୪୦.୪, ଜେଡିଏସ ୧୬.୪ ପ୍ରତିଶତ ଭୋଟ ପାଇବାର ସମ୍ଭାବନା ରହିଛି । ଜି ନ୍ୟୁଜ-ମାଟ୍ରିଜ ପୋଲ ମୁତାବକ, ବିଜେପି ୯୬-୧୦୬, କଂଗ୍ରେସ ୮୮-୯୮ ଓ ଜେଡିଏସ ୨୩-୨୩ଟି ଆସନ ପାଇ ପାରନ୍ତି । ତେବେ ଅନେକ ସମୟରେ ସର୍ଭେ ତଥ୍ୟ ଠିକ୍ ହେଉଥିବା ବେଳେ ଅନେକ ସମୟରେ ସମ୍ପୂର୍ଣ୍ଣ ଓଲଟି ଯାଇଥାଏ । ତେଣୁ କର୍ଣ୍ଣାଟକରେ କ’ଣ ଘଟିବ ତାହା ସମୟ ହିଁ କହିବ ।

Get real time updates directly on you device, subscribe now.