ଯୋରନ୍ଦା ମେଳା କାହିଁକି ପ୍ରସିଦ୍ଧ, ଓଡ଼ିଶାରେ ଏହାର ସୃଷ୍ଟି କେବେ ହୋଇଥିଲା: ଜାଣନ୍ତୁ ମହିମା ଧର୍ମ, ସନ୍ନ୍ୟାସୀଙ୍କୁ ନେଇ କ’ଣ କହୁଛି ଇତିହାସ

ପ୍ରକୃତିର ଅନ୍ୟତମ ସୃଷ୍ଟି ହେଉଛି ଓଡ଼ିଶା । କ’ଣ ନାହିଁ ଏହି ପବିତ୍ର ମାଟିରେ । ନଦୀ, ନାଳ, ପାହାଡ଼, ପର୍ବତ, ପର୍ଯ୍ୟଟନ ସ୍ଥଳ, ମନ୍ଦିରରେ ପରିପୂର୍ଣ୍ଣ ହୋଇ ରହିଛି ଓଡ଼ିଶା । ତେବେ ଓଡ଼ିଶାରେ ଏପରି କିଛି ସ୍ଥାନ, ଐତିହ୍ୟ, ପରମ୍ପରା ରହିଛି, ଯାହା ବିଷୟରେ ଆଜି ବି ଅନେକ ଲୋକ ଅଜ୍ଞାତ ରହିଛନ୍ତି । ସେପରି ଏକ ପର୍ବ ହେଉଛି ଢେଙ୍କାନାଳର ଯୋରନ୍ଦା ପର୍ବ । ଆସନ୍ତୁ ଜାଣିବା ଏହି ମେଳାର ବୈଶିଷ୍ଟ୍ୟ ବିଷୟରେ ।

ପ୍ରତିବର୍ଷ ମାଘ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀରେ ଯୋରନ୍ଦା ମେଳାର ଆୟୋଜନ କରାଯାଏ । ଏହି ମେଳା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଅନେକ ଲୋକ ଧାଇଁ ଆସିଥାନ୍ତି । ଏହାର ପାଞ୍ଚଦିନ ପର୍ବରୁ ତଥା ଦଶମୀ ତିଥିରୁ ମହିମା ଗାଦିରେ ସନ୍ନ୍ୟାସୀ ସମାବେଶ ହୁଅନ୍ତି । ଏହିଦିନ ମହିମା ସନ୍ନ୍ୟାସୀମାନେ ମହିଳା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି ।

ତ୍ରୟୋଦଶୀ ଦିବସର ପାହାନ୍ତା ପ୍ରହରରେ ମହିମା ମେଳା ଆରମ୍ଭ ହୁଏ । ଏହାକୁ ପାହାନ୍ତା ପୂର୍ଣ୍ଣମୀ ମଧ୍ୟ କୁହାଯାଇଥାଏ । ତେବେ ବଳକଳଧାରୀ ମହିମା ସମାଜ ପକ୍ଷରୁ ଯେଉଁମାନେ ପାଇବାକୁ ଯୋଗ୍ୟ ସେମାନଙ୍କୁ ବଳକଳ ଦିଆଯାଇଥାଏ । ସେହିପରି କୌପୀନଧାରୀ ସମାଜ ପକ୍ଷରୁ ଯେଉଁମାନେ ଆଡ଼ବନ୍ଧ ପାଇବା ପାଇଁ ମନୋନୀତ ହୁଅନ୍ତି ସେମାନଙ୍କୁ ତାହା ପ୍ରଦାନ କରାଯାଇଥାଏ ।

ଏହି ଉତ୍ସବ ଦେଖିବା ପାଇଁ ସାଧାରଣ ଭାବେ ଭକ୍ତମାନଙ୍କୁ ଅନୁମତି ମିଳିନଥାଏ । ତ୍ରୟୋଦଶ ସନ୍ଧ୍ୟାରେ କୌପୀନଧାରୀ ମହିମା ସମାଜ ଓ ବଳକଳଧାରୀ ମହିଳା ସମାଜର କର୍ମକର୍ତ୍ତାଗଣ ନିର୍ବାଚିତ ହୋଇଥାନ୍ତି । ଦେଶ ବିଦେଶ ବୁଲି ସନ୍ନ୍ୟାସୀମାନେ ଆଦୟା କରିଥିବା ଅର୍ଥ ମହିମାଗାଦିର କର୍ମକର୍ତ୍ତାଙ୍କ ହାତରେ ଅର୍ପଣ କରାଯାଏ । ଚତୁର୍ଦ୍ଦଶୀ ଦିବସରେ ଦିନ ଦୁଇଟାରୁ ଉତ୍ସବ ପାଳନ ପ୍ରସ୍ତୁତି ହୁଏ । ଲୋକାରଣ୍ୟ ହୋଇଥାଏ ମହିମାପୀଠ ଆଉ ସମସ୍ତଙ୍କ ମୁହଁରୁ ଅଲେଖ ମହିମା ଶବ୍ଦ ଉଚ୍ଚାରିତ ହୋଇଥାଏ ।

ତେବେ ମହିମା ଧର୍ମ ବୌଦ୍ଧ ଧର୍ମର ରୂପାନ୍ତର ବୋଲି କିଛି ସାହିତ୍ୟିକ ମତ ଦିଅନ୍ତି, ମାତ୍ର ତାହା ଭୁଲ ବୋଲି କୁହାଯାଏ । ବୌଦ୍ଧ ଧର୍ମର ଲକ୍ଷ୍ୟ ନିର୍ବାଣ ପ୍ରାପ୍ତି ହୋଇଥିବା ବେଳେ ମହିମା ଧର୍ମର ଲକ୍ଷ୍ୟ ବ୍ରହ୍ମଲାଭ । ତେବେ ମହିମା ଧର୍ମରେ ଦୁଇ ଶ୍ରେଣୀର ସନ୍ନ୍ୟାସୀ ଦେଖାଯାଆନ୍ତି, କୌପୀନଧାରୀ ଓ ବଳକଳଧାରୀ । ଦୁଇଗୋଷ୍ଠୀ ସନ୍ନ୍ୟାସୀଙ୍କର ସୃଷ୍ଟିକର୍ତ୍ତା ହେଉଛନ୍ତି ଯୋଗେଶ୍ୱର ମହିମାପ୍ରଭୁ । ତେବେ ତାଙ୍କର ଜନ୍ମସ୍ଥାନ, ଜନ୍ମକାଳ ବିଷୟରେ ଆଜି ପର୍ଯ୍ୟନ୍ତ କିଛି ତଥ୍ୟ ମିଳିନାହିଁ ।

କିମ୍ବଦନ୍ତୀ କୁହେ, ମହିମା ଧର୍ମର ପ୍ରବର୍ତ୍ତକ ସ୍ୱୟଂ ଯୋଗେଶ୍ୱର ଗୁରୁ । ଏହି ଧର୍ମର ପ୍ରଚାର ପ୍ରସାର ପାଇଁ ସାରା ଓଡ଼ିଶା ପାଦରେ ଭ୍ରମଣ କରିଥିଲେ । ତାଙ୍କର ଭ୍ରମଣ ଶେଷରେ ସେ ଢେଙ୍କାନାଳ ଜିଲ୍ଲା ଯୋରନ୍ଦାକୁ ଯାଇଥିଲେ । ସେଠାରେ ତାଙ୍କର ଶିଷ୍ୟମାନଙ୍କ ମଧ୍ୟରୁ ୮୪ ଜଣଙ୍କୁ କୌପୀନ ଓ ୯୧ ଜଣଙ୍କୁ ବଳକଳ ପ୍ରଦାନ କରି ସେମାନଙ୍କୁ ମହିମା ସନ୍ନ୍ୟାସୀ ଭାବେ ଅଭିହିତ କରିଥିଲେ ।

ପ୍ରଭୁ ଯୋଗେଶ୍ୱର ଫାଲଗୁନ ଶୁଳ୍କ ଚତୁର୍ଦ୍ଦଶୀ ତିଥିରେ ପଦ୍ମାସନରେ ବସି ଦେହତ୍ୟାଗ କରିଥିଲେ । ତାଙ୍କ ଶରୀରକୁ ଯୋରନ୍ଦାଠାରେ ସମାଧି ଦିଆଯାଇଥିଲା । ସେହିଦିନ ଠାରୁ ଉକ୍ତ ସ୍ଥାନ ସମାଧି ମନ୍ଦିର ବା ସ୍ମୃତି ମନ୍ଦିର ମହିମା ଗାଦି ନାମରେ ପ୍ରସିଦ୍ଧି ଲାଭ କରିଥିଲା । ତା’ ପରଠାରୁ ପ୍ରତିବର୍ଷ ମହିମାଗାଦି ପ୍ରାଙ୍ଗଣରେ ମହିମା ମେଳା ଉତ୍ସବ ପାଳି ହୋଇ ଆସୁଛି ।