fbpx

T-20 World Cupରେ ଓପନିଙ୍ଗ କରିବେ କୋହଲି! ଏହି ଖେଳାଳିମାନଙ୍କୁ ମିଳିବ ସୁଯୋଗ…

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ପାଖେଇ ଆସୁଛି । ତେବେ ବିଶ୍ୱକପ ଦଳରେ ସୁଯୋଗ ପାଇବା ପାଇଁ ଭାରତୀୟ ଖେଳାଳିଙ୍କ ପାଖରେ ଶେଷ ସୁଯୋଗ ହେଉଛି ଆଇପିଏଲ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଦର୍ଶନ ଅନୁସାରେ ହିଁ ବିସିସିଆଇ ଚୟନ କରିବ ଟି-୨୦ ବିଶ୍ୱକପ ଦଳ । ତେବେ କିଛି ଖେଳାଳିଙ୍କ ସ୍ଥାନ ଏବେ ଦଳରେ ପକ୍କା ହୋଇସାରିଛି । କିନ୍ତୁ ଆଉ କେଉଁ ଖେଳାଳି ଦଳରେ ସୁଯୋଗ ପାଇପାରନ୍ତି ସେ ନେଇ ଅଲୋଚନା ଚାଲିଛି । ସେଥିପାଇଁ ସମସ୍ତ ଖେଳାଳି ଏବଂ ସେମାନଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି ବିସିସିଆଇ ।

ବିରାଟ କୋହଲିଙ୍କୁ ମିଳିବ ବଡ଼ ଦାୟିତ୍ୱ?

ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ବିରାଟ କୋହଲି ସର୍ବାଧିକ ରନ୍ କରି ଅରେଞ୍ଜ କ୍ୟାପ ହାସଲ କରିଛନ୍ତି । ରୋୟଲ ଚାଲେଞ୍ଜର୍ସ ତରଫରୁ ଓପନିଙ୍ଗ କରି ୫ଟି ମ୍ୟାଚରୁ ମୋଟ ୩୧୬ ରନ୍ କରିଛନ୍ତି କିଙ୍ଗ କୋହଲି । ଆଇପିଏଲରେ ବିରାଟଙ୍କ ଦମଦାର ବ୍ୟାଟିଂ ଯୋଗୁଁ ତାଙ୍କୁ ବିଶ୍ୱକପରେ ଓପନିଙ୍ଗ କରିବା ଉଚିତ ବୋଲି କହିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ବ୍ରାୟନ ଲାରା । ବିଶ୍ୱକପରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ ଓପନିଙ୍ଗ କଲେ ଟିମ ଇଣ୍ଡିଆ ବଡ଼ ସ୍କୋର କରିପାରିବ ବୋଲି ଲାରା ପ୍ରକାଶ କରିଛନ୍ତି । ତେବେ ଟିମ ଇଣ୍ଡିଆ ଏଥିପାଇଁ ଜଣେ ଯୁବ ଖେଳାଳିଙ୍କୁ ମଇଦାନକୁ ଓହ୍ଲାଇପାରେ । ଯଶସ୍ୱୀ ଜଏସ୍ୱାଲ, ଇଶାନ୍ କିଶାନ୍ ଏବଂ ଶୁଭମନ ଗିଲ ଏହି ସ୍ଥାନ ପାଇଁ ଦୌଡ଼ରେ ରହିଛନ୍ତି ।

କେଉଁ ଯୁବ ଖେଳାଳିଙ୍କୁ ମିଳିବ ସୁଯୋଗ?

ବିଶ୍ୱକପ ପାଇଁ ରୋହିତ, ବିରାଟ, ହାର୍ଦ୍ଦିକ, ସୂର୍ଯ୍ୟକୁମାର, ଜାଡେଜା ଏବଂ ବୁମରାହଙ୍କ ସ୍ଥାନ ଦଳରେ ଏକପ୍ରକାର ସୁନିଶ୍ଚିତ ରହିଛି । ଏମାନଙ୍କ ବ୍ୟତୀତ ଭାରତ ଅନ୍ୟ ୫ ଜଣଙ୍କୁ ଦଳରେ ସୁଯୋଗ ଦେବ । କିନ୍ତୁ ଏହି ଦଳରେ ସାମିଲ ହେବା ପାଇଁ ଦୌଡ଼ରେ ଅନେକ ଖେଳାଳି ରହିଛନ୍ତି । ତେବେ ପ୍ଲେଇଙ୍ଗ-୧୧ରେ ଶିବମ ଦୁବେ ଏବଂ ରିଙ୍କୁ ସିଂହଙ୍କୁ ସୁଯୋଗ ଦେବା ଉଚିତ ବୋଲି କହିଛନ୍ତି ଟିମ ଇଣ୍ଡିଆର ପୂର୍ବତନ ବୋଲର ଭେଙ୍କଟେଶ ପ୍ରସାଦ । ଉଭୟ ଖେଳାଳି ଆଇପିଏଲରେ ଦମଦାର ପ୍ରଦର୍ଶନ କରିଛନ୍ତି । ତେଣୁ ବିଶ୍ୱକପରେ ଭାରତ ପାଇଁ ମଧ୍ୟକ୍ରମକୁ ସେ ମଜବୁତ କରିବେ ବୋଲି ଆଶା କରାଯାଉଛି ।

ଶିବମ ଦୁବେ ବର୍ତ୍ତମାନ ପର୍ଯ୍ୟନ୍ତ ଚେନ୍ନାଇ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ସ୍ପିନ ବୋଲରଙ୍କ ବିପକ୍ଷରେ ବଡ଼ ଶଟ୍ ଖେଳିବାରେ ସେ ମାହିର । ସେହିପରି ରିଙ୍କୁ ସିଂହ ମଧ୍ୟ ଶେଷ ଓଭରରେ ଟିମ ଇଣ୍ଡିଆ ପାଇଁ ଫିନିଶରର ଭୂମିକା ତୁଲାଇପାରନ୍ତି । ଏହାବ୍ୟତୀତ ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା ମଧ୍ୟ ସାମିଲ ରହିଛନ୍ତି । ତେବେ ବିଶ୍ୱକପ ଦଳରେ ଟିମ ଇଣ୍ଡିଆର ୱିକେଟ କିପର ପାଇଁ ଅଡ଼ୁଆରେ ପଡ଼ିଛି ବିସିସିଆଇ । ଏହି ଦୌଡ଼ରେ ୫ ଜଣ ଖେଳାଳି ସାମିଲ ଥିବା ବେଳେ ଚୟନ କରିବାକୁ ଦ୍ୱନ୍ଦ୍ୱରେ ପଡ଼ିଯାଇଛି ସିଲେକ୍ସନ କମିଟି । ତେଣୁ ବିଶ୍ୱକପ ଦଳ ଚୟନ ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି ।

Get real time updates directly on you device, subscribe now.