fbpx

କୋହଲିଙ୍କ ଶତକୀୟ ଟେଷ୍ଟରେ ପନ୍ତଙ୍କ ଧୂଆଁଧାର ଅର୍ଦ୍ଧଶତକ: ପ୍ରଥମ ଦିନରେ ଭାରତ ୩୫୭/୬

ନୂଆଦିଲ୍ଳୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇଛି ଟେଷ୍ଟ ସିରିଜ୍ । ଟି-୨୦ ସିରିଜ୍ ବିଜୟ ପରେ ଭାରତ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସର ସହିତ ପଡିଆକୁ ଓହ୍ଲାଇଥିଲା । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି । କୋହଲିଙ୍କ ଶତକୀୟ ଟେଷ୍ଟରେ ୱିକେଟ କିପର ଋଷଭ ପନ୍ତ ଦ୍ରୁତ ୯୬ ରନ କରିଥିଲେ । ପନ୍ତଙ୍କ ବ୍ୟତିତ ହନୁମା ବିହାରୀ ୫୮ ରନର ଇନିଂସ ଖେଳିଥିଲେ ।

ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ପ୍ରଥମ ୱିକେଟରେ ୫୨ ରନ ଯୋଡିଥିଲେ ରୋହିତ ଶର୍ମା(୨୯) ଓ ମୟଙ୍କ ଅଗ୍ରୱାଲ(୩୩) । ରୋହିତ ୨୮ ବଲ ଖେଳି ୬ ଚୌକା ମାରିଥିବା ବେଳେ ମୟଙ୍କ ୪୯ ବଲ ଖେଳି ୫ ଚୌକା ମାରିଥିଲେ । ଦଳୀୟ ସ୍କୋର ୮୦ରେ ମୟଙ୍କ ପ୍ୟାଭିଲିୟନ ଫେରିବା ପରେ ବିରାଟ କୋହଲି ଏବଂ ହନୁମା ବିହାରୀଙ୍କ ମଧ୍ୟରେ ୯୦ ରନର ଭାଗିଦାରୀ ହୋଇଥିଲା । ୧୦୦ ତମ ଟେଷ୍ଟରେ କୋହଲି ୪୫ ରନ କରି ଆଉଟ ହେବା ସହିତ ଏକ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଏହାର ୫ ରନ ବ୍ୟବଧାନରେ ୫୮ରନର ଦୃଢ ଇନିଂସ ଖେଳି ବିହାରୀ ବିଦାୟ ନେଇଥିଲେ । ତେବେ ପନ୍ତ ୯୬ ରନ କରିବା ସହିତ ଦଳୀୟ ସ୍କୋର ୩୫୦ ପାର କରିଥିଲେ । ଆୟର ୨୭ ଓ ଜାଡେଜା ଅପରାଜିତ ୪୫ଙ୍କୁ ସାଥୀକରୀ ପନ୍ତ ଧୂଆଁଧାର ବ୍ୟାଟିଂ କରିଥିଲେ । ମାତ୍ର ୯୭ ବଲ ଖେଳିଥିବା ପନ୍ତ ୯ଟି ଚୌକା ଓ ୪ଟି ଛକା ମାରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଲାସିଥ ଏମ୍ବୁଲଦାନିୟା ସର୍ବାଧିକ ୨ଟି ୱିକେଟ ନେଇଥିବା ବେଳେ ଲାକମଲ, ବିଶ୍ୱା ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା ଓ ଧନଞ୍ଜୟ ଡି ସିଲଭା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.