fbpx

ଶ୍ରୀଲଙ୍କା ବିପକ୍ଷରେ ଗର୍ଜିଥାଏ କୋହଲିଙ୍କ ବ୍ୟାଟ୍, ଟାର୍ଗେଟରେ ଗାଙ୍ଗୁଲି-ସେହ୍ଵାଗଙ୍କ ରେକର୍ଡ

ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୪ରୁ ଆରମ୍ଭ ହେବ। ଏହି ସିରିଜରେ ରନ ମେସିନ ବିରାଟ କୋହଲିଙ୍କ ନଜର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କ ରେକର୍ଡ ଉପରେ ରହିଛି। ବିରାଟ କୋହଲିଙ୍କ ପାଇଁ ମୋହାଲି ଟେଷ୍ଟ ସ୍ମରଣୀୟ ହେବାକୁ ଯାଉଛି। କୋହଲିଙ୍କ ଟେଷ୍ଟ କ୍ୟାରିୟରର ଏହା ୧୦୦ତମ ଟେଷ୍ଟ । ଶ୍ରୀଲଙ୍କା ବିପକ୍ଷରେ କୋହଲିଙ୍କ ବ୍ୟାଟ୍ ଖୁବ୍ ଗର୍ଜିଥାଏ। ସେ ୭୧ତମ ଶତକ ହାସଲ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବେ।

ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ବିରାଟ କୋହଲିଙ୍କ ରେକର୍ଡ ଦମଦାର ରହିଛି। କୋହଲି ଘରୋଇ ମଇଦାନରେ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟେଷ୍ଟ ଖେଳିଛନ୍ତି। ସେଥିରେ ୧୫୨.୫୦ ହାରରେ ୩ ଶତକ ଏବଂ ଏକ ଅର୍ଦ୍ଧଶତକ ଜରିଆରେ ୬୧୦ ରନ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଘରୋଇ ମାଟିରେ ସର୍ବାଧିକ ରନର ରେକର୍ଡ ରାହୁଲ ଦ୍ରାବିଡଙ୍କ ନାମରେ ରହିଛି। ଦ୍ରାବିଡ ୮ଟି ମ୍ୟାଚରେ ୮୪୬ ରନ କରିଛନ୍ତି।

ଶ୍ରୀଲଙ୍କା ବିପକ୍ଷ କୋହଲି ମୋଟ୍ ୯ଟି ମ୍ୟାଚରେ ୭୭.୨୩ ହାରରେ ୧୦୦୪ ରନ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦ୍ଵାରା ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନଙ୍କ ତାଲିକାରେ ସେ ଷଷ୍ଠ ସ୍ଥାନରେ ଅଛନ୍ତି। କୋହଲିଙ୍କ ଉପରେ ଗାଙ୍ଗୁଲି( ୧୦୬୪), ଆଝାରୁଦ୍ଦୀନ(୧୨୧୫), ସେହ୍ଵାଗ(୧୨୩୯), ଦ୍ରାବିଡ(୧୫୦୮) ଏବଂ ସଚିନ ତେନ୍ଦୁଲକର(୧୯୯୫) ରହିଛନ୍ତି। ଯଦି କୋହଲି ଏହି ସିରିଜରେ ୬୧ ରନ କରନ୍ତି, ତେବେ ସେ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେବେ। ୨୩୫ ରନ କଲେ କୋହଲି ଆଝାରୁଦ୍ଦୀନ ଏବଂ ବୀରେନ୍ଦ୍ର ସେହ୍ଵାଗଙ୍କୁ ପଛରେ ପକାଇ ଦେବେ।

Get real time updates directly on you device, subscribe now.