fbpx
BSKY SKY
BSKY SKY

ଦିଲ୍ଲୀରେ ପ୍ରତି ଘଣ୍ଟାରେ ବୃଦ୍ଧି ପାଉଛି ବାୟୁ ପ୍ରଦୂଷଣ: ୩୩୦ରେ ପହଞ୍ଚିଲାଣି ଏକ୍ୟୁଆଇ, ଲାଗୁ ହୋଇପାରେ ଲକଡାଉନ୍

BSKY

ନୂଆଦିଲ୍ଲୀ:ଦୀପାବଳି ପୂର୍ବରୁ ଦିଲ୍ଲୀର ଜଳବାୟୁ ପୁରା ବିଷାକ୍ତ ହୋଇସାରିଲାଣି । ରାଜଧାନୀରେ ପ୍ରତି ଘଣ୍ଟାରେ ବଢିବାରେ ଲାଗିଛି ବାୟୁ ପ୍ରଦୂଷଣ । ରବିବାର ଦ୍ୱିପ୍ରହର ସୁଦ୍ଧା ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁ) ୩୦୨ ଥିଲା ଯାହା ସକାଳେ ୨୬୬ ଥିଲା । ଶନିବାର ଏହା ୧୭୩ ଥିଲା । ରାଜଧାନୀରେ ସମଗ୍ର ବାୟୁର ଗୁଣବତ୍ତା ବହୁତ ଖରାପ ହୋଇଯାଇଛି ବୋଲି ମିଳିଥିବା ସୂଚନାରୁ ଜଣାପଡିଛି ।

ସିଷ୍ଟମ ଅଫ୍ ଏୟାର କ୍ୱାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ (ସଫର)ର ତାଜା ଆକଳନ ଅନୁସାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନିକଟରେ ବାୟୁର ଗୁଣବତ୍ତା ଦ୍ୱିପ୍ରହର ସମୟରେ ୩୩୦ ଥିଲା ଯାହା ବହୁତ ଖରାପ ଶ୍ରେଣୀଭୁକ୍ତ । ରବିବାର ସକାଳେ ଇଣ୍ଡିଆ ଗେଟ୍ ପାଖରେ କର୍ତ୍ତବ୍ୟପଥ ନିକଟରେ ଏକ୍ୟୁଆଇ ୨୬୬ ରେକର୍ଡ କରାଯାଇଥିଲା । ଏହାରି ମଧ୍ୟରେ ନୋଏଡାରେ ଏକ୍ୟୁଆଇ ୨୯୦, ଗୁରୁଗ୍ରାମରେ ୧୫୨, ନୂଆଦିଲ୍ଲୀ ଆନନ୍ଦ ବିହାରରେ ୩୪୫ ରହିଥିଲା ।

ରାଷ୍ଟ୍ରୀୟ ରାଜଧାନୀରେ ଶୁକ୍ରବାର ସକାଳେ ବାୟୁର ଗୁଣବତ୍ତା ୧୪୯ ଥିଲା । ସମଗ୍ର ଏକ୍ୟୁଆଇ ବୁଧବାର ୮୩ରୁ ବୃଦ୍ଧି ପାଇ ୧୧୭ ହୋଇଯାଇଥିଲା ।
ତେବେ ରାଜଧାନୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଶନିବାର ଦିଲ୍ଲୀ ସରକାର ଘରୋଇ ପରିବହନ ସେବାକୁ ହତୋତ୍ସାହିତ କରିବା ଲାଗି ପାର୍କିଂ ଶୁଳ୍କ ବୃଦ୍ଧି କରିବା ସହିତ ସିଏନଜି, ଇଲେକ୍ଟ୍ରିକ୍ ଓ ମେଟ୍ରୋସେବାକୁ ପ୍ରେତ୍ସାହିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ସ୍ଥିତି ସମୀକ୍ଷା କରିବା ଲାଗି ଆୟୋଜିତ ବୈଠକରେ ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ କହିଛି ପାଣିପାଗ ବିଭାଗର ପୂର୍ବ ଅନୁମାନରୁ ଜଣାପଡିଛି କି ପ୍ରତିକୂଳ ପାଗ ଓ ଜଳବାୟୁ ପରିସ୍ଥିତି କାରଣରୁ ୨୩ ଓ ୨୪ ଅକ୍ଟୋବର ଦିଲ୍ଲୀର ସମଗ୍ର ବାୟୁ ଗୁଣବତ୍ତା ହ୍ରାସ ପାଇ ବହୁତ ଖରାପ ଶ୍ରେଣୀରେ ଆସିଯିବ ।

ତେବେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆଧାରରେ ଗ୍ରାପ୍ ପ୍ରତିବନ୍ଧ ଲଗାଯାଇଥାଏ । ଏହି ଗ୍ରାପ୍ ପ୍ରତିବନ୍ଧ ୪ ଗୋଟି ପର୍ଯ୍ୟାୟରେ ଲଗାଯାଏ । ପ୍ରଥମେ ବାୟୁର ଏକ୍ୟୁଆଇ ୨୦୧ରୁ ୩୦୦ ଅର୍ଥାତ୍ ଖରାପ ସ୍ଥିତିରେ ଲଗାଯାଏ । ୨ୟ ୩୦୧-୪୦୦ (ବହୁତ ଖରାପ ସ୍ଥିତିରେ) ଲଗାଯାଏ । ୩ୟ (୪୦୧-୪୫୦) ଗମ୍ଭୀର ସ୍ଥିତିରେ ଲଗାଯାଏ । ୪ର୍ଥ ପର୍ଯ୍ୟାୟ ୪୫୦ରୁ ଅଧିକ (ଅତି ଗମ୍ଭୀର) ସ୍ଥିତିରେ ଲଗାଯାଏ । ଏହି ୪ ପର୍ଯ୍ୟାୟରେ ବିଭିନ୍ନ କାରଖାନା, କୋଇଲା ଜାଳେଣୀ ବ୍ୟବହାର କରୁଥିବା ବିଭିନ୍ନ ହୋଟେଲ, ଘରୋଇ ଯାନବାହନ ଚଳାଚଳ, ବିଭିନ୍ନ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧ ଲଗାଇ ଦିଆଯାଏ । ଏହା ବ୍ୟତିତ ସମସ୍ତ ବିଦ୍ୟାଳୟ ଲାଗି ଅନଲାଇନ୍ ପାଠପଢା, ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଲାଗି ୱାର୍କ ଫର୍ମ ହୋମ୍ ଲାଗୁ କରିଦିଆଯାଏ ।

Get real time updates directly on you device, subscribe now.