fbpx

ବାଣିଜ୍ୟ ଓ ପରିବହନ ବିଭାଗର ଅଭିନବ ଯୋଜନା ‘ଲକ୍ଷ୍ମୀ’: ଶକ୍ତିଶାଳୀ ହେବ ଗ୍ରାମ୍ୟ ଅର୍ଥନୀତି, ରାଜଧାନୀ ସହ ଯୋଡ଼ିହେବ ଗାଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟବାସୀଙ୍କ ଶିକ୍ଷା, କୃଷି, ଶିଳ୍ପ, ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜ୍ୟର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏପରି ସ୍ଥଳେ ଗାଁରୁ ସହର ଓ ରାଜଧାନୀକୁ ଗମନାଗମନର ସୁବିଧା ପାଇଁ ଏଣିକି ଆଉ ସମସ୍ୟା ଦେଖାଦେବନି । ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଆରମ୍ଭ କରାଯିବ ଏକ ଅଭିନବ ଯୋଜନା ‘ଲକ୍ଷ୍ମୀ । ମାଆ ଲକ୍ଷ୍ମୀଙ୍କୁ ହିନ୍ଦୁ ଧର୍ମରେ ସମୃଦ୍ଧିର ପ୍ରତୀକ ଭାବେ ଗ୍ରହଣ କରାଯାଉ ଥିବାରୁ ଏପରି ନାମକରଣ କରାଯାଇଛି । ଏହି ଯୋଜନାରେ ଗାଁ ଗାଁରେ ପହଞ୍ଚିବ ସରକାରୀ ଗାଡ଼ି । ୨୦୨୩-୨୪ ବର୍ଷ ପାଇଁ ସରକାର ଏଥିପାଇଁ ୧୦୦ କୋଟି ବ୍ୟୟବରାଦ କରିଛନ୍ତି ।

ତେବେ ଲୋକେସନ ଆକ୍ସେସିବଲ ମଲ୍ଟିମୋଡାଲ ଇନିସିଏଟିଭ୍ (ଏଲଏସିସିଏମଆଇ) ବା ଲକ୍ଷ୍ମୀ କାର୍ଯ୍ୟକ୍ରମ ତୃଣମୂଳ ସ୍ତରରେ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବ । ରାଜ୍ୟର ସ୍ୱାସ୍ଥ୍ୟକେନ୍ଦ୍ର, ବାଣିଜ୍ୟିକ କେନ୍ଦ୍ର, ବସ୍, ରେଳ ଷ୍ଟେସନ ଓ ଶିକ୍ଷାନୁଷ୍ଠାନ ପାଇଁ ଗାଁରୁ ସହର ପର୍ଯ୍ୟନ୍ତ ନିରବିଚ୍ଛିନ୍ନ ଭାବେ ଯାତାୟତର ସୁଯୋଗ ସୃଷ୍ଟି କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ । ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରତି ବ୍ଲକରେ ଅତିକମରେ ଗୋଟିଏ ବସ୍ ଷ୍ଟାଣ୍ଟ ନିର୍ମାଣ କରାଯିବ । ଫଳରେ ରାଜ୍ୟ ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି କୃଷି, ଶିଳ୍ପ, ଜୀବିକା, ପର୍ଯ୍ୟଟନ କ୍ଷେତ୍ରରେ ବେଶ୍ ଲାଭବାନ ହୋଇପାରିବ । ଏଥିସହିତ ସହର ଓ ଗ୍ରାମାଞ୍ଚଳ ସହିତ ପରିବହନ ବ୍ୟବସ୍ଥା ମଜବୁତ ହେବା ସହିତ ରାସ୍ତା ଓ ସେତୁ ନିର୍ମାଣ, ମରାମତି କାର୍ଯ୍ୟର ମଧ୍ୟ ଅଗ୍ରଗତି ହୋଇପାରିବ ।

ତେବେ ରାଜ୍ୟର ପ୍ରତି ପଞ୍ଚାୟତକୁ ରାଜ୍ୟର ପ୍ରମୁଖ ସହରାଞ୍ଚଳ ସହିତ ଯୋଡ଼ିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ କହଛନ୍ତି । ରାଜ୍ୟର ଅଧିକାଂଶ ରାସ୍ତାର ସ୍ଥିତି ଭଲ ରହିଥିଲେ ହେଁ ଅନେକ ପଞ୍ଚାୟତକୁ ପରିବହନ ବ୍ୟବସ୍ଥା ନାହିଁ । ଏହି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନଃ ଆରମ୍ଭ କରାଯିବ । ଏଥିସହିତ ଦୁର୍ବଳ ହୋଇ ପଡ଼ିଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆରଟିସି)କୁ ମଧ୍ୟ ଲକ୍ଷ୍ମୀ ଯୋଜନାରେ ସାମିଲ କରାଯିବ । ରାଜ୍ୟରେ ଏବେ ୫୫ଟି ନୂଆ ବସଷ୍ଟାଣ୍ଡ ନିର୍ମାଣ କରାଯାଉଥିବା ବେଳେ ଆଉ ୬୦ଟି ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇଛି ।

ନୂଆ ବସଷ୍ଟାଣ୍ଡ ନିର୍ମାଣ ହେଲେ ରାଜ୍ୟର ୭୦ ଲକ୍ଷ ଲୋକ ସିଧାସଳଖ ଉପକୃତ ହୋଇପାରିବେ । ସେହିପରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ (ଏସଏଚଜି) ମଧ୍ୟ ନିଜର କାରବାର କ୍ଷେତ୍ରରେ ଉପକୃତ ହୋଇପାରିବେ । ନୂଆ ବସଷ୍ଟାଣ୍ଡର ପରିଚାଳନା ଦାୟିତ୍ୱ ଏସଏଚଜିଙ୍କ ଉପରେ ନ୍ୟସ୍ତ ରହିବ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ଓ ପଞ୍ଚାୟତିରାଜ ବିଭାଗର ସହଯୋଗ ନିଆଯିବ । ସେତୁ ନଥିବା ସ୍ଥାନକୁ ଚିହ୍ନଟ କରାଯାଇ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ କରାଯିବ । ଖୁବଶୀଘ୍ର ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.