fbpx

ସରପଞ୍ଚଙ୍କ ମନମୁଖୀ ଶାସନ: ଖତ ଖାଉଛି ଲକ୍ଷାଧିକ ଟଙ୍କାର ସାମଗ୍ରୀ

ସୁବର୍ଣ୍ଣପୁର, ୨୩ା୨ (ଓଡିଶା ଭାସ୍କର): ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ସରପଞ୍ଚଙ୍କ ମନୋମୁଖୀ, ବେପରୁଆ କାର୍ଯ୍ୟ ନଜରକୁ ଆସିଛି । ସରପଞ୍ଚଙ୍କ ଏହି ନୀତି ପାଇଁ ସରକାରଙ୍କର ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କ୍ଷେମାଲୋଏ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ ଉପରେ ଲକ୍ଷାଧିକ ଟଙ୍କାର ବେଞ୍ଚ ଓ ଡେସ୍କ ପଡ଼ି ରହି ଖତ ଖାଉଛି । ଏନେଇ ଅଭିଭାବକମାନେ ମାନେ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, କୋଭିଡ୍ ସମୟରେ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଥିଲା । ସ୍କୁଲ ବନ୍ଦ ଥିବାରୁ ବିଦ୍ୟାଳୟକୁ ଅସ୍ଥାୟୀ ଚିକିତ୍ସାଳରେ ପରିଣତ କରାଯାଇଥିଲା । ଫଳରେ ସରପଞ୍ଚ ସ୍କୁଲର ଏହି ଜିନିଷପତ୍ରକୁ ସାଇତି ରଖିବା ବଦଳରେ ଛାତ ଉପରକୁ ବେପରୁଆ ଢଙ୍ଗରେ ଫୋପାଡ଼ି ଦେଇଥିଲେ । ଫଳରେ ଖରା, ବର୍ଷାରେ ବାହାରେ ପଡ଼ି ରହି ସମସ୍ତ ଜିନିଷ ନଷ୍ଟ ହେବାକୁ ବସିଲାଣି । ଏହି ବେଞ୍ଚ ଓ ଡେସ୍କର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଇଛି । ଗୋଟିଏ ପଟେ ଛାତ୍ରଛାତ୍ରୀ ତଳେ ବସି ପାଠ ପଢ଼ୁଥିବା ବେଳେ ଅନ୍ୟ ପକ୍ଷରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହେବାରେ ଲାଗିଛି । ସମ୍ପୃକ୍ତ ସରପଞ୍ଚଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

Get real time updates directly on you device, subscribe now.