fbpx

ଆଉ ୫ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍: ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisement

ଓଡିଶା ଭାସ୍କର: ଲଗାତାର ପର୍ଯ୍ୟାୟ କ୍ରମେ ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଖୁସି ଖବର ଦେଉଛନ୍ତି ରାଜ୍ୟ ସରକାର। ଜନସାଧାରଣଙ୍କ ଯାତାୟାତ ସୁବିଧାକୁ ଦୃଷ୍ଟିରେ ରଖି ପ୍ରତି ଗାଁ’ରେ ସରକାରୀ ବସ ପହଞ୍ଚା ଯାଉଛି । ଏହି କ୍ରମରେ ଆଜିଠାରୁ ରାଜ୍ୟର ଆଉ ୫ ଜିଲ୍ଲାରେ ଶୁଭାରମ୍ଭ ହୋଇଛି ଲକ୍ଷ୍ମୀ’ ବସ୍ ସେବା। ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି।

ସୂଚନା ଥାଉକି, ପୂର୍ବରୁ ମାଲକାନଗିରି, ରାୟଗଡା, କୋରାପୁଟ, ଗଜପତି, କଳାହାଣ୍ଡି, ନବରଙ୍ଗପୁର, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ସଫଳ ଶୁଭାରମ୍ଭ ଓ ପରିଚାଳନା ହୋଇସାରିଛି। ତେବେ ଆଜି ତୃତୀୟ ପର୍ଯ୍ୟାୟରେ ଆଉ ପାଞ୍ଚଟି ପ୍ରମୁଖ ଜିଲ୍ଲା ବରଗଡ, ବଲାଙ୍ଗୀର, ମୟୁରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝର ପାଇଁ ମୋଟ ୪୨୫ଟି ବସ୍ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ବରଗଡ ଜିଲ୍ଲାରେ ସର୍ବମୋଟ ୨୪୩ଟି ଗ୍ରାମ ପଞ୍ଚାୟତ ଏବଂ ୧୧ଟି ବ୍ଲକରେ ଥିବା ୧୪ଲକ୍ଷ ଲୋକଙ୍କୁ ବ୍ଲକ ସହିତ ସଂଯୋଗ କରିବା ପାଇଁ ୫୭ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୧୧ଟି ଏସି ବସ କାର୍ଯ୍ୟରେ ଲଗା ଯାଇଛି। ସେହିପରି ବଲାଙ୍ଗୀର ଜିଲ୍ଲାରେ ୩୧୭ଟି ଗ୍ରାମ ପଞ୍ଚାୟତ ଓ ୧୧ଟି ବ୍ଲକ ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ଗୁରୁତ୍ୱ ଦିଆଯାଇଛି । ବ୍ଲକ ସହିତ ସଂଯୋଗ କରିବା ପାଇଁ ସର୍ବମୋଟ ୪୨ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୧୩ଟି ଏସି ବସର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ଏହି ଜିଲ୍ଲାର ୧୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ।

ସେପଟେ ମୟୁରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ ଓ ୩୮୬ଟି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଛି ଲକ୍ଷ୍ମୀ ବସ। ବ୍ଲକ ସହିତ ସଂଯୋଗ କରିବା ପାଇଁ ୧୦୪ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୨୬ଟି ଏସି ବସର ଆରମ୍ଭ କରାଯାଇଛି। ଏହା ଦ୍ୱାରା ସିଧାସଳଖ ଭାବେ ପାଖାପାଖି ୨୪ଲକ୍ଷ ଲୋକ ଲକ୍ଷ୍ମୀ ବସର ସେବା ପାଇପାରିବେ। ଏହା ବ୍ୟତୀତ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସର ଶୁଭାରମ୍ଭ ହୋଇଛି । ବ୍ଲକ ସହିତ ସଂଯୋଗ କରିବା ପାଇଁ ୬୫ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୧୬ଟି ଏସି ବସ ସୁବିଧା କରାଯାଇଛି। ସେହିପରି କେନ୍ଦୁଝର ଜିଲ୍ଲାର ୨୭୧ଟି ଗ୍ରାମ ପଞ୍ଚାୟତ ଏବଂ ୧୩ଟି ବ୍ଲକରେ ଥିବା ୩୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବ୍ଲକ ସହିତ ସଂଯୋଗ କରିବା ପାଇଁ ୭୮ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ ୧୩ଟି ଏସି ବସର ବ୍ୟବସ୍ଥା କରାଯାଇଛି।

ଏଠାରେ କହି ରଖୁଛୁ ଯେ, ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ସଫଳ ରୂପେ ରୂପାୟନ ହୋଇ ସାରିଛି। ତେବେ ସମସ୍ତ ବସର ପରିଚାଳନା କାର୍ଯ୍ୟ ସ୍ଵୟଂସହାୟକ ଗୋଷ୍ଠୀକୁ ଦିଆ ଯାଇଛି ଯାହା ଦ୍ୱାରା ମହିଳା ସଶକ୍ତିକରଣକୁ ମଧ୍ୟ ପ୍ରାଧାନ୍ୟ ଦିଆ ଯାଇଛି। ତେବେ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବୈପ୍ଲବିକ ଓ ଯୁଗାନ୍ତକାରୀ ପଦକ୍ଷେପ ଆମ ରାଜ୍ୟର ପ୍ରଗତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି ଯାହା ଦ୍ୱାରା ଆମ ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକ୍ଷେତ୍ର, ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ଆଣିବ ବୋଲି କହିଛନ୍ତି ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ।

 

Get real time updates directly on you device, subscribe now.