fbpx
BJD SKY
BJD SKY

RJD ପ୍ରସ୍ତୁତ କରୁଛି ‘Mission-16’ ପ୍ଲାନ୍: ବାପ-ପୁଅଙ୍କ ରଣନୀତି ସଫଳ ହେଲେ ନୀତିଶଙ୍କ ସରକାର ଭାଙ୍ଗିଯିବ, ତେଜସ୍ୱୀ ହେବେ ମୁଖ୍ୟମନ୍ତ୍ରୀ!

BJD

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ପ୍ରସ୍ତୁତିରେ ଲାଗିପଡ଼ିଥିବା ବେଳେ ଏହା ମଧ୍ୟରେ ବିହାରର ରାଜନୀତି ଉପରେ ଏବେ ସଭିଙ୍କ ମନ କେନ୍ଦ୍ରୀଭୂତ ହୋଇଛି । ରାଜ୍ୟରେ ଚାଲିଥିବା ଜେଡିୟୁ-ଆରଜେଡି ମେଣ୍ଟ ସରକାରରେ ସୃଷ୍ଟି ହୋଇଛି ଫାଟ । ମେଣ୍ଟରୁ ଓହରିଯାଇ ବିଜେପି ସହ ମିଶି ରାଜ୍ୟରେ ନୂଆ ସରକାର ଗଠନ କରିବାକୁ ପ୍ରସ୍ତୁତ ହେଉଛନ୍ତି ନୀତିଶ କୁମାର । ତେବେ ନୀତିଶଙ୍କ ଏହି ‘ୟୁ-ଟର୍ଣ୍ଣ’କୁ ଟକ୍କର ଦେବାକୁ ବିହାରର ରାଜନୀତିର ଅନ୍ୟତମ ଭୀଷ୍ମ ପିତାମହ ଲାଲୁ ପ୍ରସାଦ ଯାଦବ ଓ ତାଙ୍କର ପୁଅ ତେଜସ୍ୱୀ ଯାଦବ ଏକ ବଡ଼ ପ୍ଲାନ ପ୍ରସ୍ତୁତ କରୁଛନ୍ତି ।

ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ନୀତିଶଙ୍କୁ ରୋକିବାକୁ ଲାଲୁ-ତେଜସ୍ୱୀ ଏକ ସିକ୍ରେଟ ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ବାପ-ପୁଅଙ୍କର ଏହି ‘ମିଶନ-୧୬’ ପ୍ଲାନ୍ ଯଦି ସଫଳ ହୁଏ ତେବେ ଜେଡିୟୁ-ବିଜେପି ମେଣ୍ଟ ନିକଟରେ ସରକାର ଗଠନ କରିବାକୁ ଆବଶ୍ୟକ ବିଧାୟକଙ୍କର ଅଭାବ ପଡ଼ିବ । ଏଭଳି ସ୍ଥିତିରେ ନୀତିଶ ମୁଖ୍ୟମନ୍ତ୍ରୀ ଆସନରେ ବସି ପାରିବେ ନାହିଁ । ଅନ୍ୟପକ୍ଷରେ ଆରଜେଡି ପାଖରେ ବହୁମତ ରହିଥିବାରୁ ସେ ସରକାର ଗଠନ କରିପାରିବ । ତେଣୁ ପୁଅକୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ପାଇଁ ଏବେ ଉକ୍ତ ପ୍ଲାନକୁ ସଫଳ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି ।

ରାଜ୍ୟ ବିଧାନସଭାର ମୋଟ ସଦସ୍ୟ ସଂଖ୍ୟା ୨୪୩ ହୋଇଥିବା ବେଳେ ବହୁମତ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । ଏବେ ଆରଜେଡି ପାଖରେ ସର୍ବାଧିକ ୭୯ ଜଣ, ବିଜେପି ପାଖରେ ୭୮ ଜଣ, ଜେଡିୟୁ ପାଖରେ ୪୫ ଜଣ, କଂଗ୍ରେସ ପାଖରେ ୧୯ ଜଣ, ବାମ ଦଳର ୧୬ ଜଣ ବିଧାୟକ ରହିଛନ୍ତି । ବିଜେପି-ଜେଡିୟୁ ଦୁଇ ଦଳର ମୋଟ ବିଧାୟକଙ୍କ ସଂଖ୍ୟା ୧୨୩ ହେଉଥିବା ବେଳେ ଆରଜେଡି, କଂଗ୍ରେସ ଓ ବାମଦଳର ବିଧାୟକଙ୍କ ସଂଖ୍ୟା ମିଶିଲେ ୧୧୪ ହେଉଛି । ଏ କ୍ଷେତ୍ରରେ ବହୁମତ ମାତ୍ର ଆଉ ୮ଟି ସଂଖ୍ୟା କମ୍ ପଡ଼ୁଛି ।

ତେବେ ଆରଜେଡିର ପ୍ଲାନ୍ ମୁତାବକ, ୧୬ ଜଣ ଜେଡିୟୁ ବିଧାୟକ ଇସ୍ତଫା ଦେବେ । ଏପରି ସ୍ଥିତିରେ ମୋଟ ସଦସ୍ୟ ସଂଖ୍ୟା ୨୨୭କୁ ଖସି ଆସିବ । ଏହାଫଳରେ ନୀତିଶଙ୍କ ସରକାରର ପତ୍ତନ ଘଟିବ । ଲାଲୁଙ୍କ ମେଣ୍ଟରେ ୧୧୪ ଜଣ ବିଧାୟକ ରହିଥିବା ବେଳେ ସେ ସରକାର ଗଠନ କରିବାକୁ ସମର୍ଥ ହେବେ । ଗତ ବିଧାନସଭା ନିର୍ବାଚନରେ ଆରଜେଡି ସର୍ବାଧିକ ସିଟ୍ ହାସଲ କରିଥିବା ବେଳେ ତେଜସ୍ୱୀଙ୍କୁ ବିହାରବାସୀ ଗ୍ରହଣ କରିଛନ୍ତି । ତେଣୁ ପୁଅଙ୍କୁ ରାଜ୍ୟର ଭାବି ମୁଖ୍ୟମନ୍ତ୍ରୀ ଭାବେ ଲାଲୁ ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଏହି ବିଧାୟକମାନେ କାହିଁକି ଇସ୍ତଫା ଦେବେ? ଆଗାମୀ ୧ ବର୍ଷ ମଧ୍ୟରେ ବିହାରରେ ୪ଟି ନିର୍ବାଚନ ହେବାର ଅଛି । ତେଣୁ ଏହି ୧୬ ଜଣଙ୍କୁ ଲୋକସଭା, ରାଜ୍ୟସଭା, ଏମଏଲସି ଓ ବିଧାନସଭା ନିର୍ବାଚନ ପାଇଁ ଅଫର୍ ଦେଇ ସେଟ୍ କରାଯିବ । ଆଉ କିଛି ନେତାଙ୍କୁ ମନ୍ତ୍ରୀ କରାଯିବାର ଅଫର ମଧ୍ୟ ଦିଆଯିବ । ଆସନ୍ତା ମାସ ୫ ତାରିଖରେ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ନୀତିଶ ବିଶ୍ୱାସ ପ୍ରସ୍ତାବ ଆଣିବା ସମୟରେ ଭୋଟିଂ ସମୟରେ କିଛି ବିଧାୟକ ଅନୁପସ୍ଥିତ ରହିବେ ଓ ଆଉ କିଛି ଇସ୍ତଫା ଦେବେ, ଏପରି କିଛି ଯୋଜନା କରିଛି ଆରଜେଡି । ତେବେ ଦେଖାଯାଉ, ବାପ-ପୁଅଙ୍କର ଏହି ପ୍ଲାନ୍ କେତେଦୂର ସଫଳ ହେଉଛି ।

Get real time updates directly on you device, subscribe now.