ନୂଆଦିଲ୍ଲୀ: ଆଜିକାଲି ଲିଭ-ଇନ ରିଲେସନସିପ ଏକ ସାଧାରଣ କଥା ପାଲଟି ଯାଇଛି । ବିବାହ ପୂର୍ବରୁ ବା ପ୍ରେମ ସମ୍ପର୍କରେ ଯୁବକ-ଯୁବତୀ ଲିଭ-ଇନରେ ରହିବା ପାଇଁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ସମ୍ପର୍କକୁ ଏକ ବିାହର ମାନ୍ୟତା ଦିଆ ଯାଇ ପାରିବ ନାହିଁ । କାରଣ ଆଇନ ଏହାକୁ ବିବାହ ସମ୍ପର୍କ ବୋଲି ଗ୍ରହଣ କରୁନାହିଁ । ଏ ନେଇ କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ସମୟରେ ପ୍ରକାଶ କରିଛନ୍ତି ।
ଲିଭ-ଇନ୍ ରିଲେସନକୁ ନେଇ ଅଦାଲତ କହିଛନ୍ତି ଯେ, ଏହି ସମ୍ପର୍କରେ ଦୁଇ ଜଣ ବ୍ୟକ୍ତି କେବଳ ଏକ ବୁଝାମଣାକୁ ଆଧାରରେ ଏକାଠି ରହିବା ପାଇଁ ନିଷ୍ପତ୍ତି ନିଅନ୍ତି । ତେଣୁ ଏହା ବିବାହର ଅଧିନିୟମରେ ଅନ୍ତର୍ଭୁକ୍ତ ହୋଇପାରିବ ନାହିଁ । ଲିଭ ଇନ୍ ସମ୍ପର୍କରେ ରହିବା ଏକ ବିବାହ ସହ ସମାନ ନୁହେଁ, ତେଣୁ ଏଥିରେ ଛାଡପତ୍ର ମଧ୍ୟ ଦିଆଯାଇ ପାରିବ ନାହିଁ । ତେବେ ଦୁଇ ଦମ୍ପତ୍ତି(ଲିଭ-ଇନ) ଛାଡପତ୍ର ପାଇଁ ଆବେଦନ କରିଥିବା ବେଳେ ଜଷ୍ଟିସ ଏ ମହମ୍ମଦ ମୁସ୍ତାକ ଏବଂ ସୋଫି ଥାମସଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମିତି ଏକ ଟିପ୍ପଣୀ ଦେଇଛନ୍ତି । ନ୍ୟାୟଧୀଶ କହିଛନ୍ତି ଯେ, ଲିଭ-ଇନ ରିଲେସନକୁ ବିବାହ ବୋଲି ଆଇନରେ ଗ୍ରହଣ କରାଯାଇ ନାହିଁ । ଏହାପରେ ସେ କହିଛନ୍ତି ଯେ, ବିବାହ ହେଉଛି ଏକ ସାମାଜିକ ସଂସ୍ଥା ଯାହା ସମାଜର ନୀତି ଆଦର୍ଶକୁ ପରିପ୍ରକାଶ କରିଥାଏ । ତେବେ ଛାଡପତ୍ର କେବଳ ଆଇନଗତ ବିବାହିତ ସମ୍ପର୍କରେ ମିଳିପାରିବ, କିନ୍ତୁ ଲିଭ-ଇନ ରିଲେସନରେ ଛାଡପତ୍ର ଆଇନ ଦେଇପାରିବ ନାହିଁ ।
ହାଇକୋର୍ଟଙ୍କ ଏହି ବେଞ୍ଚ ଲିଭ-ଇନ ରିଲେସନରେ ରହୁଥିବା ବିଭିନ୍ନ ଧର୍ମକୁ ଯୋଡି ଏହି ଟିପ୍ପଣୀ ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ, ଛାଡପତ୍ର ପାଇଁ ଆବେଦନ କରିଥିବା ଉଭୟ ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ହିନ୍ଦୁ ଏବଂ ଅନ୍ୟ ଜଣେ ଇସାଇ ଧର୍ମର ହୋଇଥିବା ଜାଣିବାକୁ ମିଳିଛି । ତେବେ ବର୍ତ୍ତମାନ ଦୁଇ ଦମ୍ପତ୍ତି ଏହି ସମ୍ପର୍କରୁ ଅଲଗା ହେବା ପାଇଁ ଆବେଦନ କରିଛନ୍ତି । ତେଣୁ ପ୍ରଥମେ ଫ୍ୟାମିଲି କୋର୍ଟରେ ଛାଡପତ୍ର ଆବେଦନକୁ ଖାରଜ କରିବା ପରେ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ହାଇକୋର୍ଟ ମଧ୍ୟ ଏଭଳି ସମ୍ପର୍କରେ ଆଇନ ଅନୁସାରେ ଛାଡପତ୍ର ଦେବାକୁ ମନା କରି ଦେଇଛନ୍ତି ।