ହେଲମେଟ୍ ପାଇଁ ୧୦ ଲକ୍ଷ ଫାଇନ୍, ଚିନ୍ତାରେ ଆଇନ୍ ଛାତ୍ର
ବିନା ହେଲମେଟରେ ବାଇକ୍ ଚଲାଉ ଥିଲେ ଆଇନ୍ ଛାତ୍ର। ଧରିନେଲା ଟ୍ରାଫିକ୍ ପୋଲିସ। ଆଉ ଛାତ୍ରଙ୍କ ନାଁରେ କାଟିଦେଲା ୧୦ ଲକ୍ଷ ଟଙ୍କାର ଫାଇନ୍। ଏତେ ଟଙ୍କାର ଚାଲାଣ ଦେଖି କାବା ଛାତ୍ର।
ଗୁଜୁରାଟ: ଆପଣ ଯଦି ହେଲମେଟ୍ ପିନ୍ଧି ନାହାନ୍ତି, ଏବଂ ରାସ୍ତାରେ ବାଇକ୍ ନେଇ ଯାଉଛନ୍ତି। ତାହାଲେ ଟ୍ରାଫିକ୍ ପୋଲିସ ଆପଣଙ୍କ ପାଖରୁ କେତେ ଟଙ୍କା ଫାଇନ୍ ନେଉଛି। ହେଇ ହେଇ ୫୦୦ ଟଙ୍କା। ନହେଲେ ଅତି ବେଶୀରେ ୧୦୦ ଟଙ୍କା। ହେଲେ ଆପଣ କେବେ ଶୁଣିଛନ୍ତି କି ହେଲମେଟ୍ ପାଇଁ ୧୦ ଲକ୍ଷ ୫୦୦ ଟଙ୍କା ଫାଇନ୍ କଟିବା।
ହଁ ଏମିତି ହିଁ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ସାମ୍ନାକୁ ଆସିଛି। ଜଣେ ବାଇକ୍ ଚାଳକ ଯିଏକି ଜଣେ ଆଇନ୍ ଛାତ୍ର, ତାଙ୍କ ପାଖରୁ ଟ୍ରାଫିକ୍ ପୋଲିସ୍ ୧୦ ଲକ୍ଷ ୫୦୦ ଟଙ୍କା ଫାଇନ୍ କାଟିଛି। ଯାହାକୁ ଦେଖି ସେ ନିଜେ ମଧ୍ୟ ଚକିତ ହୋଇଯାଇଛନ୍ତି।
ହେଲମେଟ୍ ପାଇଁ ଫାଇନ୍: ତେବେ ଆଜିକାଲିକା ଦିନରେ ହେଲମେଟ ତ ପିନ୍ଧିବା ନିହାତି ଜରୁରୀ। ଆଉ ହେଲମେଟ୍ ନପିନ୍ଧିଲେ ଫାଇନ୍ ଦେବା ପାଇଁ ବି ବାଧ୍ୟ। ଏମିତିରେ ଅନେକ ଲୋକ ହେଲମେଟ୍ ପାଇଁ ଫାନ୍ ମଧ୍ୟ ଦେଉଛନ୍ତି। ହେଲେ ଏହି ରାଶି କିଛି ରାଜ୍ୟରେ ୫୦୦ଟଙ୍କା ରହିଥିବା ବେଳେ, କିଛି ସ୍ଥାନରେ ଚାଲାଣ ରାଶି ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।
ତେବେ ଗୁଜରାଟର ଅହମ୍ମଦାବାଦରେ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ ଚକିତ କରିଦେବ। ୨୦୨୪ ଏପ୍ରିଲରେ ଶାନ୍ତିପୁରା ଟ୍ରାଫିକ୍ ସର୍କଲରେ ଅନିଲ ହାଡିଆ ନାମକ ଜଣେ ଛାତ୍ର ବିନା ହେଲମେଟରେ ବାଇକ୍ ଚଲାଉଥିବା ବେଳେ ଧରାପଡ଼ିଥିଲେ।
୧୦ ଲକ୍ଷ ଫାଇନ୍: ପରେ ଯେତେବେଳେ ତାଙ୍କୁ କୋର୍ଟରୁ ସମନ ମିଳିଥିଲା, ସେ ଜରିମାନାର ପରିମାଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଟ୍ରାଫିକ ପୋଲିସ ୫୦୦ କିମ୍ବା ୧୦୦୦ ଟଙ୍କା ନୁହେଁ ବରଂ ୧୦ ଲକ୍ଷ ଟଙ୍କାର ଚାଲାଣ ଜାରି କରିଥିଲା। ଯାହାପରଠୁ ଆଇନ ଛାତ୍ରଙ୍କ ପରିବାର ଥାନାର ଚକ୍କର କାଟୁଛନ୍ତି।
ସୂଚନା ଅନୁଯାୟୀ, ଅନିଲଙ୍କୁ ପ୍ରଥମେ ୫୦୦ ଟଙ୍କା ଜରିମାନା କରାଯାଇଥିଲା, କିନ୍ତୁ କିଛି କ୍ଲାରିକାଲ୍ ଭୁଲ ଯୋଗୁଁ ଏହାକୁ ୧୦,୦୦,୫୦୦ ଟଙ୍କା ଭାବରେ ରେକର୍ଡ କରାଯାଇଥିଲା। ଅନିଲ ଚତୁର୍ଥ ସେମିଷ୍ଟର ଆଇନ ଛାତ୍ର ହୋଇଥିବା ବେଳେ ତାଙ୍କ ବାପା ଜଣେ ଛୋଟ ବ୍ୟବସାୟୀ।
ଏନେଇ ଅନିଲ କହିଛନ୍ତି ଯେ ମୁଁ ଏବଂ ମୋ ପରିବାର ଏତେ ବଡ଼ ଟଙ୍କା କିପରି ଦେବୁ?” ଏହି ଭୁଲ ତାଙ୍କ ପାଇଁ ଏକ ବଡ଼ ଶାସ୍ତି ପାଲଟିଛି। ଟ୍ରାଫିକ୍ ପୋଲିସ ଭୁଲ୍ ସ୍ୱିକାର କରିଥିବା ବେଳେ, ଏହା କିଭଳି ଘଟିଲା ସେନେଇ ତଦନ୍ତ ଚଳାଇଛି। ଲୋକମାନେ ଟ୍ରାଫିକ୍ ନିୟମ ଏବଂ ବ୍ୟବସ୍ଥାର ଦାୟିତ୍ୱ ଉପରେ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି।