fbpx
BSKY
BJD MC SKY
BJD YOUTH SKY

ଏଣିକି ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ, ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ସ୍କୁଲଗୁଡ଼ିକରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ କଳା ଶିକ୍ଷା ବାଧ୍ୟତାମୂଳକ ହେବ । ଫଳରେ ଏହା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହେବ । ତେବେ ଏଥିପାଇଁ କୌଣସି ପରୀକ୍ଷା କରାଯିବ ନାହିଁ । ରୂପାନ୍ତରିତ ବିଦ୍ୟାଳୟଗୁଡ଼ିକରେ ସବୁଜ ପାଠ୍ୟକ୍ରମ ପ୍ରଚଳନ କରାଯିବ । ପିଲାଙ୍କୁ ଶକ୍ତି ସଂରକ୍ଷଣ ନେଇ ସଚେତନ, ବିଦ୍ୟାଳୟ ବାହାରେ ଓ ଭିତରେ ବୃକ୍ଷରୋପଣ ନେଇ ପ୍ରୋତ୍ସାହିତ କରାଯିବ । ବିଦ୍ୟାଳୟଗୁଡ଼ିକରେ ଅଭିଭାବକ, ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ନେଇ ନିୟମିତ ବ୍ୟବଧାନରେ ବୈଠକ ବସିବ । ଆସନ୍ତା ୩ ବର୍ଷ ମଧ୍ୟରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି ।

ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଅନୁଗୁଳ, ଗଞ୍ଜାମ, ବୌଦ୍ଧ, ସୁନ୍ଦରଗଡ଼ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ରୂପାନ୍ତରିତ ସ୍କୁଲଗୁଡ଼ିକୁ ବିଶ୍ୱସ୍ତରୀୟ ହବରେ ପରିଣତ କରିବାକୁ ଧନ୍ଦାମୂଳକ ଶିକ୍ଷା, ପରୀକ୍ଷା ଫଳ ମୂଲ୍ୟାୟନରେ ସଂସ୍କାର, ସହ-ପାଠ୍ୟକ୍ରମଭିତ୍ତିକ କାର୍ଯ୍ୟକ୍ରମ, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଦିଗରେ ଏହା ପଦକ୍ଷେପ ନେଇ ଏକବିଂଶ ଶତାବ୍ଦୀ ପାଇଁ ପ୍ରସ୍ତୁତ କରିବ । ଏସସି ଓ ଏସଟି ବିଭାଗ ନିର୍ଦ୍ଦେଶକଙ୍କ ନେତୃତ୍ୱରେ ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଜିଲ୍ଲାପାଳଙ୍କୁ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଏହା ରାଜ୍ୟରେ ଥିବା ଏସଏସଡି ବିଦ୍ୟାଳୟଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ଦିଗରେ କାର୍ଯ୍ୟ କରିବ । ଏଥିସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷାଦାନ ସହ ନବୀକରଣ, ନ୍ୟୁଟ୍ରି ଗାର୍ଡେନ୍ ପ୍ରତିଷ୍ଠା, ହଷ୍ଟେଲ ପରିଚାଳନା, ପିଲାଙ୍କ ଦକ୍ଷତା ବିକାଶ ପାଇଁ ସ୍ୱତନ୍ତ୍ର ପାଠ୍ୟକ୍ରମ ପ୍ରସ୍ତୁତ କରିବ । ପୁରୀ, ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ନେଇ ଗଠିତ ଟାସ୍କଫୋର୍ସ ସ୍କୁଲଗୁଡ଼ିକରେ ରକ୍ଷଣାବେକ୍ଷଣର ଦାୟିତ୍ୱ ନେବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଗଜପତି, ବଲାଙ୍ଗିର, ଦେବଗଡ଼ ଓ ସୋନପୁର ଜିଲ୍ଲାପାଳଙ୍କୁ ନେଇ ମଧ୍ୟ ଏକ ଟାସ୍କଫୋର୍ସ ଗଠନ କରାଯାଇଛି । ଏହା ରାଜ୍ୟରେ ଥିବା ଆଦର୍ଶ ବିଦ୍ୟାଳୟଗୁଡ଼ିକୁ ସେଣ୍ଟର ଫର ଏକ୍ସଲେନ୍ସ ଭାବେ ବିକଶିତ କରିବ । ଏଥିସହ ପିଲାଙ୍କ ଦକ୍ଷତା ବିକାଶ ଓ କ୍ୟାରିୟର କାଉନସେଲିଂ ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରୀୟ ସଂଗଠନ, ସ୍ୱେଚ୍ଛାସେବୀ ସଂଗଠନ ସହ ସହଭାଗିତା ଉପରେ ଗୁରୁତ୍ୱ ଦେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.