fbpx
BJD SKY
BJD SKY

ଗୋଣ୍ଡୱାନା ଛକର ନାମ ପରିବର୍ତ୍ତନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ: ସହୀଦଙ୍କ ନାଁରେ ହେବ ନାମିତ!

BJD

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଗୋଣ୍ଡୱାନା ଛକର ନାମ ପରିବର୍ତ୍ତନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଶିକ୍ଷା ଓ ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ ବ୍ୟବସ୍ଥାରେ ଜନଜାତି ସୁମଦାୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ଛକର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଝାରସୁଗୁଡା କୋଲାବିରାର ଗୋଁଣ୍ଡ ଗଉଁତିଆ ସହୀଦ କରୁଣାକର ସିଂହ ନାଏକଙ୍କ ନାମରେ ଏହି ଛକକୁ ନାମିତ କରିବା ପାଇଁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ବୀର କରୁଣାକର ଥିଲେ ଗୋଁଣ୍ଡ ସମୁଦାୟର ସର୍ବମାନ୍ୟ ମୁଖିଆ । ଏହି ସମୁଦାୟ ଓଡିଶା ସମେତ ସମଗ୍ର ମଧ୍ୟ-ଭାରତର ବିରାଟ ଭୂଖଣ୍ଡରେ ଶତାବ୍ଦୀ ଶତାବ୍ଦୀ ଧରି ରାଜୁତି କରି ଆସୁଛନ୍ତି । ରାଣୀ ଦୁର୍ଗାବତୀ, ଭଗବାନ ବିର୍ସା ମୁଣ୍ଡା, ଶହୀଦ ମାଧୋ ସିଂହ, ବୀର ସୁରେନ୍ଦ୍ର ସାଏ ପ୍ରମୁଖଙ୍କ ନେତୃତ୍ୱର ବୀରଗାଥା ଗୋଁଣ୍ଡ ଜନଜାତି ତଥା ସମସ୍ତ ଭାରତୀୟଙ୍କୁ ଗର୍ବିତ କରିଥାଏ । ତେଣୁ ଗୋଁଣ୍ଡୱାନା ଛକକୁ ବିପ୍ଳବୀ ବୀର ତଥା ଶହୀଦ କରୁଣାକର ସିଂହ ନାଏକଙ୍କ ନାଁରେ ନାମିତ କରାଗଲେ ଏହି ମହାନାୟକଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ । ଝାରସୁଗୁଡ଼ାବାସୀ ଏବଂ ଗୋଁଣ୍ଡ ସମାଜ ପ୍ରତି ଉପଯୁକ୍ତ ସମ୍ମାନ ମିଳିବ । ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଭାରତୀୟ ମୁକ୍ତି ସଂଗ୍ରାମରେ ଗଣ୍ଡ ସମାଜର ତ୍ୟାଗ ଏବଂ ବଳିଦାନ ଅବିସ୍ମରଣୀୟ । ଆମେ ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛେ, ଜନଜାତି ସମାଜର ସଂଗ୍ରାମୀ ବୀର–ବୀରାଙ୍ଗନାମାନଙ୍କର ଅକୁହା କାହାଣୀଗୁଡ଼ିକୁ ଲୋକଲୋଚନକୁ ଆଣିବାର ଗୁରୁଦାୟିତ୍ୱ ବି ଆମେ ତୁଲାଉଛେ ।

ସାରା ଓଡ଼ିଶାର, ବିଶେଷ କରି ପଶ୍ଚିମାଞ୍ଚଳର ଜନଜାତି ଅଧିନାୟକମାନଙ୍କୁ ସର୍ବଭାରତୀୟ ପାଠ୍ୟଖସଡ଼ାରେ ଯଥାସ୍ଥାନ ଦେବା ନିମନ୍ତେ ଆମେ ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ୧୧ ତାରିଖରେ ଝାରସୁଗୁଡାର କଟାପାଲି ଷ୍ଟାଡିୟମ ଠାରେ ‘ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା’ର ପଞ୍ଚଦଶ ରାଷ୍ଟ୍ରୀୟ ଅଧିବେଶନରେ ଯୋଗଦେଇ ସ୍ଥାନୀୟ ସମାଜର ଦାବୀ କ୍ରମେ ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବା ନେଇ ମତ ରଖିଥିଲେ ।

Get real time updates directly on you device, subscribe now.