ଛାଡ଼ଖାଇରେ ବିଚିତ୍ର ସଂଯୋଗ: ‘ବିଛା ସଂକ୍ରାନ୍ତି’ କାରଣରୁ ହଜାର ହଜାର ଛେଳି, କୁକୁଡ଼ା, ମାଛଙ୍କର ଆୟୁଷ ଗୋଟିଏ ଦିନ ବଢ଼ିଗଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କାର୍ତ୍ତିକ ମାସ ହେଉଛି ଧର୍ମର ମାସ । ଏହି ମାସର ଶେଷ ପାଞ୍ଚ ଦିନ କାର୍ତ୍ତିକ ଶୁକ୍ଲ ଏକାଦଶୀ ଠାରୁ ପୂର୍ଣ୍ଣମୀ ପର୍ଯ୍ୟନ୍ତ ପଞ୍ଚୁକ ଭାବେ ପାଳନ କରାଯାଇଥାଏ । ଅନେକ ଲୋକ କାର୍ତ୍ତିକ ମାସରେ ଆମିଷ ଖାଉ ନଥିବା ବେଳେ କିଛି ଲୋକ କେବଳ ପଞ୍ଚୁକରେ ତାହାକୁ ପାଳନ କରିଥାନ୍ତି । ପଞ୍ଚୁକ ପରଦିନ ଛାଡ଼ଖାଇ ପାଳନ କରାଯାଇଥାଏ । ଛାଡ଼ଖାଇରେ ଲୋକମାନେ ମାସ, ମାଂସ, ଚିକେନ, ମଟନରେ ବୁଡ଼ି ଯାଇଥାନ୍ତି । ୩୦ ଦିନ ଧରି ଆମିଷ ନ ଖାଇ ରହିଥିବା ଲୋକମାନେ ସତେ ଯେମିତି ଗୋଟିଏ ଯୁଗରୁ ଚିକେନ ନ ଦେଖିଲା ଭଳି ଆଚରଣ କରିଥାନ୍ତି ।

ତେବେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟବାସୀ କାର୍ତ୍ତିକ ମାସରେ ଆମିଷ ଛାଡ଼ିବା ସହ ପଞ୍ଚୁକ ମଧ୍ୟ ପାଳନ କରିଥିଲେ । ତେବେ ଏଥର କିନ୍ତୁ ଛାଡ଼ଖାଇରେ ଲୋକଙ୍କୁ ମିଳିଛି ଝଟକା । ନଭେମ୍ବର ୧୫ ତାରିଖ ଶୁକ୍ରବାର ଦିନ ଚଳିତ ଥର କାର୍ତ୍ତିକ ମାସ ସରିଥିଲା । ଏହାର ପରଦିନ ଅର୍ଥାତ ୧୬ ତାରିଖ ଶନିବାର ଛାଡ଼ଖାଇ ହେବା କଥା । ମାତ୍ର ତାହା ହୋଇ ପାରିନଥିଲା । କାରଣ ଏଥର କାର୍ତ୍ତିକ ସରିବା ପରଦିନ ବିଛା ସଂକ୍ରାନ୍ତି ପଡ଼ିଥିଲା । ତେଣୁ ଲୋକମାନେ ଏଥର ସଂକ୍ରାନ୍ତି କାରଣରୁ ଶନିବାର ଦିନ ଛାଡ଼ଖାଇ ମନାଇ ପାରିନଥିଲେ ।

ତେବେ କାର୍ତ୍ତିକ ମାସରେ ଆମିଷ ଛାଡ଼ିଥିବା ଲୋକମାନେ ଆସନ୍ତାକାଲି ଅର୍ଥାତ ରବିବାର ଦିନ ଛାଡ଼ଖାଇ ପାଳନ କରିବେ । ଏଥର ଛାଡ଼ଖାଇରେ କେତେ ଯେ ଜୀବଙ୍କ ଜୀବନ ଯିବ, ତା’ର ହିସାବ ନାହିଁ । ତେବେ ଏଥର ଛାଡ଼ଖାଇରେ ଦେଖିବାକୁ ମିଳିଛି ଏକ ବିଚିତ୍ର ସଂଯୋଗ । ଏଥର ବିଛା ସଂକ୍ରାନ୍ତି କାରଣରୁ କୁକୁଡ଼ା, ଛେଳି, ମାଛ ଆଦି ଅନେକ ଜୀବନଙ୍କର ଗୋଟିଏ ଦିନର ଆୟୁଷ ବଢ଼ିଯାଇଛି । ବିଛା ସଂକ୍ରାନ୍ତି ପଡ଼ୁଥିବାରୁ ଏଥର ଛାଡ଼ଖାଇ ଗୋଟିଏ ଦିନ ପରେ ହେବ । ସେଥିପାଇଁ ଅନେକ ଜୀବ ଗୋଟିଏ ଦିନ ପାଇଁ ଏ ଧରିତ୍ରୀ ବକ୍ଷରେ ବଞ୍ଚିବାର ସୁଯୋଗ ପାଇଥିଲେ ।