fbpx

ନୀରବି ଯାଇଛି କୁମ୍ଭକାରର ଚକ, ଅଟକି ଯାଇଛି ହାତ

ଭୁବନେଶ୍ୱର:୩ ।୫(ଓଡିଶା ଭାସ୍କର):କନ୍ଦାଉଛି କରୋନା।ବଢି ଚାଲିଛି ଲକଡାଉନ। ନୀରବି ଯାଇଛି କୁମ୍ଭକାରର ଚକ, ଅଟକି ଯାଇଛି ହାତ। ମାଟିକୁ ଚକଟିମକଟି ଝାଳନାଳ ହୋଇ ପ୍ରସ୍ତୁତ କରିଥାଏ ନୂଆ ନୂଆ ମାଟିପାତ୍ର। ବର୍ତ୍ତମାନର ଆଧୁନିକ ଯୁଗର ମଣିଷଙ୍କ ରୁଚି ଭିତରେ ହଜିଯାଇନି କି କମିଯାଇନି ମାଟିପାତ୍ରର ଆକର୍ଷଣ କିମ୍ୱା ଗୁରୁତ୍ୱ। ଆଜିବି ଗାଁ ଠୁ ଆରମ୍ଭ କରି ସହର ସବୁଠି ରହିଛି ମାଟିରେ ପ୍ରସ୍ତୁତ ସାମଗ୍ରୀର ଚାହିଦା। ହେଲେ କରୋନା ପାଇଁ ପ୍ରଭାବିତ ହୋଇଛି କୁମ୍ଭକାରର ଜୀବନଜୀବିକା। ଏହି ବୃତିରୁ ପରିଵାର ପ୍ରତିପୋଷଣ କରୁଥିବା ଶହଶହ କୁମ୍ଭକାର ପରିବାର ଏବେ ନିଜର କୌଳିକ ବୃତ୍ତି ହରାଇ ହତାଶା ମଧ୍ୟରେ ଜୀବନ କାଟୁଛନ୍ତି। ବିଶ୍ୱ ମହାମାରୀ କରୋନା ସଂକ୍ରମଣର ମୁକାବିଲା ପାଇଁ ସାରାଦେଶ ଏବେ ଲକଡାଉନରେ । ଲକଡାଉନକୁ ନେଇ ପ୍ରଭାବିତ ହେଉଛି ଜୀବନ ଜୀବିକା। ମୟୁରଭଂଜ ଜିଲ୍ଲା ର ପ୍ରମୁଖ କୁଟୀରଶିଳ୍ପ ଉପରେ ବଡ଼ପ୍ରଭାବ ପକେଇଛି କରୋନା। ଏପରିବି ଆଧୁନିକ ଯୁଗରେ ମାଟିପାତ୍ରର ଚାହିଦା କମିକମି ଯାଉଥିଲା ବେଳେ,କରୋନା ଏବେ ବେଡି ଉପରେ କରଡ଼ା ମାଡ଼ ସଦୃଶ୍ୟ ପରିସ୍ଥିତି ସୃଷ୍ଟି କରିଛି। ଲକଡାଉନ ଯୋଗୁଁ ରାସ୍ତାଘାଟ ଶୁନଶାନ ଚାରିଆଡ ଖାଁ ଖାଁ । ତିଆରି କରିଥିବା ବିଭିନ୍ନ ଜିନିଷ ବିକ୍ରି ପାଇଁ ସରକାରୀ ଭାବେ କୌଣସି ସ୍ଵତନ୍ତ୍ର ବ୍ୟବସ୍ଥା ଆଜିପର୍ଯ୍ୟନ୍ତ ହୋଇପାରି ନାହିଁ।ଅନ୍ୟପଟେ ଲକଡାଉନ ପାଇଁ ହାଟ,ବଜାରଘାଟ ବନ୍ଦ ରହୁଥିବା ବେଳେ ଗାଁକୁ ଯାଇ ବିକ୍ରିବଟା କରିବା ସମ୍ଭବ ହେଉନାହିଁ। ବର୍ଷର ଏହି ସମୟରେ ବାହାଘର, ବ୍ରତଘର ସାଙ୍ଗକୁ ଗାଁ ଗାଁରେ ଆୟୋଜିତ ହୋଇଥାଏ ବିଭିନ୍ନ ପୂଜାପାର୍ବଣ। କିନ୍ତୁ ଲକଡାଉନ ପାଇଁ ଦୀର୍ଘ ଦୁଇମାସରୁ ଉର୍ଦ୍ଧ୍ବହେବ ଏସବୁ ଚାରିଆଡେ ବନ୍ଦ। ଫଳରେ ଏମାନଙ୍କ କୌଳିକ ବୃତିରେ ଲାଗିଯାଇଛି ଗ୍ରହଣ । ଚକ ବୁଲିଲେ ଚୁଲି ଜଳୁଥିବା ପରିବାର ଗୁଡିକ ଏବେ ଘୋରଦୁର୍ଦ୍ଦିନରେ। ମାଟିରେ ତିଆରି କରିଥିବା ବିଭିନ୍ନ ସାମଗ୍ରୀ ହାଟବଜାରରେ ବିକ୍ରିକରି ଯାହା ଦୁଇପଇସା ରୋଜଗାର କରିଥାନ୍ତି ଏମାନେ, ହେଲେ ଲକଡାଉନ ପାଇଁ ସବୁ ଅଚଳ ହରାଇଛନ୍ତି ରୋଜଗାର। ଏହିଭଳି କଷ୍ଟକର ପରିସ୍ଥିତି ଭିତରେ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା କୁମ୍ଭକାର ପରିବାର ଗୁଡିକୁ ସରକାରଙ୍କ ପକ୍ଷରୁ ସ୍ଵତନ୍ତ୍ର ଭାବେ ସାହାଯ୍ୟ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ପରିସ୍ଥିତି ଯୋଉଭଳି ଦିନକୁଦିନ ଜଟିଳ ହେବାରେ ଲାଗିଛି କରୋନା ନୁହଁ ଭୋକଉପାସରେ ଲୋକମାନେ ମୃତ୍ୟୁର କୋଳକୁ ଟାଣି ହୋଇ ଯିବା ବିଚିତ୍ର ନୁହେଁ। ତେଣୁ ବେଳହୁଁ ସରକାର ପରିସ୍ଥିତି ନିୟନ୍ତ୍ରଣକୁ ନେବାର ଆବଶ୍ୟକତା ଦେଖାଦେଇଛି।

Get real time updates directly on you device, subscribe now.