fbpx
BSKY
BJD MC SKY
BJD YOUTH SKY

(Video) କେନ୍ଦ୍ରାପଡ଼ାରେ ବଦଳିବେ ଲୋକସଭା ପ୍ରାର୍ଥୀ! ବିଜେପି ଖୋଜୁଛି ବୈଜୟନ୍ତଙ୍କ ବିକଳ୍ପ ନେତା

ଓଡ଼ିଶା ଭାସ୍କର: ରାଜ୍ୟ ରାଜନୀତି ମାହୋଲ ଏବେ ରେମାଞ୍ଚକର ମୋଡ଼ରେ ପହଞ୍ଚିଛି । ସମସ୍ତ ପ୍ରାର୍ତୀ ଏବେ ନାମାଙ୍କନ ଭରିବା ସହ ପ୍ରଚାର ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । କିନ୍ତୁ ଏହି ସମୟରେ ରାଜ୍ୟ ବିଜେପିକୁ ଘାରିଛି କେନ୍ଦ୍ରାପଡା ଲୋକସଭା ଟେନ୍ସନ । ଏହି ଆସନକୁ ନେଇ ବିଜେପି ଚିନ୍ତାରେ ରହିଥିବା ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ହେଉଛି । ଆଉ ଏହି ଚିନ୍ତାର କାରଣ ଦଳର ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ବୋଲି କୁହାଯାଉଛି । ବିଜେପି ନିଜ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡା ଲୋକସଭା ଆସନରୁ ପ୍ରାର୍ଥୀ କରିଥିବା ବେଳେ ଏବେ କିନ୍ତୁ ତାଙ୍କ ବିକଳ୍ପ ଖୋଜୁଥିବା ନେଇ ଚର୍ଚ୍ଚା ହେଉଛି ।

ଉତ୍ତରପ୍ରଦେଶ ରାଜ୍ୟ ପ୍ରଭାରୀ ଭଳି ବଡ ଦାୟିତ୍ୱ ମଧ୍ୟ ବୈଜୟନ୍ତଙ୍କ ଉପରେ ରହିଛି । ଯେଉଁଥି ପାଇଁ ସେ କୁଆଡେ କେନ୍ଦ୍ରାପଡାରୁ ପ୍ରାର୍ଥୀ ହେବାକୁ ଚାହୁଁନଥିଲେ ବୋଲି ଶୁଣିବାକୁ ମିଳୁଥିଲା । ହେଲେ ଦଳ ସେଠାରେ ଅନ୍ୟ କାହାକୁ ପ୍ରାର୍ଥୀ କରି ରିସ୍କ ନେବାକୁ ଚାହୁଁନଥିଲା । ତେଣୁ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଭାବେ ରିପିଟ୍ କରିଥିଲା । ଆଉ ବୈଜୟନ୍ତ ମଧ୍ୟ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ଜନ ସମାବେଶ ଏବଂ କର୍ମକର୍ତ୍ତାଙ୍କୁ ନେଇ ବୈଠକ କରିବା ସହ ୪ଟି ବଡ ରୋଡ୍ ଶୋ ମଧ୍ୟ କରିଥିଲେ ସେ । ହେଲେ କିଛିଦିନ ତଳେ ପ୍ରଚାର ସମୟରେ ଜନଗହଳି ଭିତରେ ହଠାତ୍ ତାଙ୍କ ବାମ ଆଖିରେ କିଛି ଆଘାତ ଲାଗିବାରୁ ସମସ୍ୟା ଅତ୍ୟନ୍ତ ଗୁରୁତର ହୋଇପଡିଥିଲା । ତେଣୁ ସେ ପ୍ରଚାର ସ୍ଥଗିତ ରଖି ଡାକ୍ତରଙ୍କୁ ଦେଖାଇବା ପରେ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିଛି । କାରଣ ଅପରେସନ୍ ନକଲେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କା ରହିଥିଲା । ତେଣୁ ଗତ ୪ ତାରିଖରେ ଭୁବନେଶ୍ୱରରେ ବୈଜୟନ୍ତଙ୍କ ବାମ ଆଖିରେ ଅସ୍ତ୍ରୋପଚାର କରାଯାଇଥିଲା । ଆଉ ଗତକାଲି ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।

ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ, ଆଉ କିଛି ଦିନ ପାଇଁ ସେ ପ୍ରଚାର କରିପାରିବେ ନାହିଁ । ଏବଂ ତା’ ପରେ ଯଦିଓ ବୈଜୟନ୍ତ ପ୍ରଚାର ମୈଦାନକୁ ଓହ୍ଲାଇପାରିବେ ତଥାପି ତାଙ୍କର ପ୍ରଚାର କରିବାରେ କିଛିଟା କଟକଣା ରହିବ । ଯାହାକି ଏବେ ବିଜେପିକୁ ଚିନ୍ତାରେ ପକାଇଥିବା କୁହାଯାଉଛି । କାରଣ ଯଦି ଅତୀତକୁ ଦେଖିବା ତା’ହେଲେ ଦୀର୍ଘ ବର୍ଷ ଧରି କେନ୍ଦ୍ରାପଡା ଲୋକସଭା ଆସନ ବିଜେଡି କବଜାରେ ରହିଆସିଛି । ନିଜେ ବୈଜୟନ୍ତ ମଧ୍ୟ ବିଜେଡିରେ ଥିବାବେଳେ ୨୦୦୯ ଏବଂ ୨୦୧୪ରେ ଲଗାତର ଦୁଇଥର କେନ୍ଦ୍ରାପଡା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଠାରୁ ଦେଢ ଲକ୍ଷରୁ ଅଧିକ ଭୋଟ୍ ବ୍ୟବଧାନରେ ପରାସ୍ତ ବି ହୋଇଛନ୍ତି । ତେଣୁ ଏଥର ବୈଜୟନ୍ତଙ୍କୁ ପୁନର୍ବାର ପ୍ରାର୍ଥୀ କରି କେନ୍ଦ୍ରାପଡା ଲୋକସଭା ଆସନ କବଜା କରିବାକୁ ଆଶା ରଖିଥିଲା ବିଜେପି ।

ତେବେ କେନ୍ଦ୍ରାପଡାରେ ତାଙ୍କୁ ଟକ୍କର ଦେବା ପାଇଁ ବିଜେଡି ମଧ୍ୟ ଏଥର ନୂଆ କାର୍ଡ ଖେଳିଛି । ଅଂଶୁମାନ ମହାନ୍ତିଙ୍କ ଭଳି ଯୁବ ନେତାଙ୍କୁ କେନ୍ଦ୍ରାପଡା ଲୋକସଭା ମୈଦାନକୁ ଓହ୍ଲାଇଛି ଦଳ । ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ତଥା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ କଂଗ୍ରେସ ଛାଡି ବିଜେଡିରେ ମିଶିବା ପରେ ଦଳ ତାଙ୍କୁ କେନ୍ଦ୍ରାପଡାରୁ ସାଂସଦ ପ୍ରାର୍ଥୀ କରିଥିଲା । ତେଣୁ ଅଂଶୁମାନ ମହାନ୍ତି ଏବେ ଜୋରଦାର ପ୍ରଚାର ଚଳାଇଥିବା ବେଳେ ବିଜେଡିର ଭୋଟ୍ ବ୍ୟାଙ୍କ ସହ ତାଙ୍କର ନିଜସ୍ୱ ପୁରୁଣା ସଙ୍ଗଠନ ମଧ୍ୟ ସହାୟକ ହେବ ବୋଲି କୁହାଯାଉଛି ।

ତେଣୁ ବିଜେଡି କେନ୍ଦ୍ରାପଡାରେ ଆହୁରି ମଜବୁତ୍ ହୋଇଥିବା ବେଳେ ବିଜେପିକୁ ଚିନ୍ତା ଘାରିଥିବା କୁହାଯାଉଛି । କାରଣ ଏଭଳି ସମୟରେ ବୈଜୟନ୍ତ ପଣ୍ଡା ଆଖି ଅପରେସନ୍ ପାଇଁ ପ୍ରଚାର ଠାରୁ ଦୂରରେ ରହିବା ଦଳକୁ ବଡ ସମସ୍ୟାରେ ପକାଇଥିବା ଚର୍ଚ୍ଚା ହେଉଛି । ଏପରିକି ବିଜେପି କୁଆଡେ କେନ୍ଦ୍ରାପଡା ଲୋକସଭା ଆସନରେ ବୈଜୟନ୍ତଙ୍କ ବିକଳ୍ପ ଖୋଜୁଛି ବୋଲି ମଧ୍ୟ ଶୁଣିବାକୁ ମିଳିଛି । ଅର୍ଥାତ୍ ବୈଜୟନ୍ତ ପଣ୍ଡାଙ୍କୁ ବଦଳାଇ ଦଳ ଆଉ କାହାକୁ କେନ୍ଦ୍ରାପଡାରୁ ସାଂସଦ ପ୍ରାର୍ଥୀ କରିବା ପାଇଁ ଚାହୁଁଥିବା ରାଜନୈତିକ ମହଲ ଆକଳନ କରୁଛି ।

Get real time updates directly on you device, subscribe now.