fbpx
BSKY
BJD MC SKY
BJD YOUTH SKY

BIG NEWS: ଦେଶରେ ବଦଳିଲା ପୁରୁଣା ଆଇନ ବ୍ୟବସ୍ଥା, ଜାଣନ୍ତୁ କେଉଁ ଅପରାଧ ପାଇଁ ରହିଛି କ’ଣ ଦଣ୍ଡବିଧାନ

ନୂଆଦିଲ୍ଲୀ: ବୁଧବାର ଲୋକସଭାରେ ତିନୋଟି ନୂଆ ବିଲ୍ ପାରିତ ହୋଇଛି । ଫଳରେ ଏଣିକି ଆଉ ଆଇପିସି, ସିଆରପିସି ଓ ଆଇଇଏ ରହିବନି। ଏହା ବଦଳରେ ଏବେ ଅପରାଧ ପାଇଁ ଭାରତୀୟ ନ୍ୟାୟ ସଂହିତା ବଳରେ ଦଣ୍ଡବିଧାନ କରାଯିବ। ତେବେ ରାଷ୍ଟ୍ରପତି ଏଥିରେ ମୋହର ମାରିବା କ୍ଷଣି ଏହା ନୂଆ ଆଇନରେ ପରିଣତ ହେବ।

ସୂଚନା ଥାଉକି, ବ୍ରିଟିଶ ଅମଳର ଆଇନକୁ ବଦଳାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଲୋକସଭାରେ ତିନୋଟି ନୂଆ ବିଲ୍ ଆଗତ କରିଥିଲେ । ୧୮୬୦ ମସିହାକୁ ପ୍ରଚଳିତ ଆଇପିସି ବଦଳରେ ଏବେ ଭାରତୀୟ ନ୍ୟାୟ ସଂହିତା ଲାଗୁ ହେବ। ସେହିପରି ସିଆରପିସି ବଦଳରେ ଭାରତୀୟ ନାଗରିକ ସୁରକ୍ଷା ଓ ଭାରତୀୟ ପ୍ରମାଣ ଆଇନ ୧୮୭୨(ଆଇଇଏ) ବଦଳରେ ଭାରତୀୟ ସାକ୍ଷ୍ୟ ଆଇନ ଲାଗୁ କରାଯିବ। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହାକୁ ଆଜି ଲୋକସଭାରେ ଉପସ୍ଥାପନ କରିଥିଲେ। ଏହାପରେ ସେ ବିଲ୍‌ରେ ଥିବା ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଥିଲେ। ବିରୋଧୀ ଦଳର ଅଧିକାଂଶ ସାଂସଦ ନିଲମ୍ବିତ ହୋଇଥିବାରୁ ଲୋକସଭା ପୂରା ଖାଲି ପଡ଼ିଥିଲା। ଏହାରି ଭିତରେ ଅମିତ ଶାହ ୩ ବିଲ୍‌ ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏଥିସହ ୩ ବିଲ୍‌କୁ ବିନା ବିରୋଧରେ ପାସ୍‌ ମଧ୍ୟ କରାଇଥିଲେ।

ଜାଣନ୍ତୁ ଏହା ଲାଗୁ ହେବା ପରେ କ’ଣ କ’ଣ ପରିବର୍ତ୍ତନ ଘଟିବ:-

  • ଯଦି କେହି ଜାଣିଶୁଣି ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱକୁ ନିଜର ଶବ୍ଦ, ଆଚରଣ, ବୈଦ୍ୟୁତ ଯୋଗାଯୋଗ ଦ୍ୱାରା କ୍ଷତି ପହଞ୍ଚାଇବ କିମ୍ବା ଏଥିପାଇଁ ପାଣ୍ଠି ଯୋଗାଣ କରିବ, ତା’ହେଲେ ସେମାନଙ୍କୁ ଆଜୀବନ ଜେଲଦଣ୍ଡ କିମ୍ବା ଜେଲ ଦଣ୍ଡ ଯାହା ୭ ବର୍ଷ ଯାଏ ବଢ଼ିବ ଓ ଜୋରିମାନା ଲାଗୁ କରାଯିବ।
  • ପୂର୍ବରୁ ଆଇପିସିରେ ଥିବା ଦେଶଦ୍ରୋହ ଆଇନକୁ ବଦଳାଇ ଦିଆଯାଇଛି। ପ୍ରସ୍ତାବିତ ଆଇନରେ ଦେଶଦ୍ରୋହର ଶବ୍ଦ ନାହିଁ। ଏହି ଶ୍ରେଣୀରେ ଆସୁଥିବା ଅପରାଧକୁ ଧାରା ୧୫୦ ଅଧୀନରେ ବିଚାର କରାଯିବ।
  • ଭିଡ଼ ହିଂସା ପାଇଁ ବିଲ୍‌ରେ ମୃତ୍ୟୁ ଦଣ୍ଡର ବ୍ୟବସ୍ଥା କରାଯାଇଛି। ଏହା ସହ ନୂଆ ବିଲ୍‌ରେ ମହିଳା, ଛୋଟ ପିଲା, ହତ୍ୟା ଓ ଦେଶ ବିରୋଧୀ କାର୍ୟ୍ୟକଳାପକୁ ରୋକିବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି। ଯେଉଁଥିରେ ଗଣଦୁଷ୍କର୍ମ ପାଇଁ ୨୦ ବର୍ଷ ଜେଲ ଓ ନାବାଳିକା ଦୁଷ୍କର୍ମ ଘଟଣା ପାଇଁ ମୃତ୍ୟୁଦଣ୍ଡର ବ୍ୟବସ୍ଥା ହୋଇଛି।
  • ବିଲ୍‌ରେ ସାଂଘାତିକ ଅପରାଧ ପାଇଁ ପୂର୍ବରୁ ଥିବା ମୃତ୍ୟୁଦଣ୍ଡକୁ ପୂର୍ବଭଳି କାଏମ ରଖାଯାଇଛି। ଅପରାଧ ଯେଉଁଠି ଘଟିଥିଲେ ମଧ୍ୟ ଯେକୌଣସି ସ୍ଥାନରେ ଏଫଆଇଆର ରୁଜୁ କରାଯାଇ ପାରିବ। ସେହିପରି ଅପରାଧ ପାଇଁ ଲିଙ୍ଗଗତ ନିରପେକ୍ଷତା ଅବଲମ୍ବନ କରାଯିବ। ଅନ୍ୟପଟେ ଯଦି କେହି ପ୍ରଥମଥର ପାଇଁ କୌଣସି ଛୋଟ ମୋଟ ଅପରାଧ କରୁଛନ୍ତି ତେବେ ତାଙ୍କୁ ଜେଲ ବଦଳରେ ସମାଜ ସେବା ଭଳି ଦଣ୍ଡ ମିଳିବ।
  • ଯଦି କୌଣସି ଅପରାଧ ପାଇଁ କାହାକୁ ଗିରଫ କରାଯାଉଛି, ତା’ହେଲେ ତୁରନ୍ତ ଏ ସମ୍ପର୍କରେ ତାଙ୍କ ପରିବାର ଲୋକଙ୍କୁ ଖବର ଦିଆଯିବ। ଯେଉଁଥିପାଇଁ ଜଣେ ସ୍ୱତନ୍ତ୍ର ପୁଲିସ୍‌ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ।
  • ଚେନ ଛିଣ୍ଡାଇ ନେବା ଭଳି ଘଟଣା ପାଇଁ ଦଣ୍ଡ ମିଳିବ। ଦୋଷୀକୁ ସର୍ବାଧିକ ୭ ବର୍ଷ ଯାଏ ଜେଲଦଣ୍ଡ ମିଳିପାରେ। ଘଟଣାସ୍ଥଳରେ ଫରେନ୍ସି ଟିମ ମଧ୍ୟ ଯାଞ୍ଚ କରିବ।
  • ୩ ବର୍ଷ ଯାଏ ଜେଲ ମିଳିବାକୁ ଥିବା ଅପରାଧଗୁଡ଼ିକ ଟ୍ରାଏଲ ଶୀଘ୍ର କରିବାକୁ ବ୍ୟବସ୍ଥା ହେବ। ଚାର୍ଜଫ୍ରେମ ହେବାର ୩୦ ଦିନ ମଧ୍ୟରେ ବିଚାରପତିଙ୍କୁ ଏହି ମାମଲାରେ ରାୟ ଦେବାକୁ ପଡ଼ିବ।
  • ମୃତ୍ୟୁର ଦଣ୍ଡକୁ ସ୍ଥିତି ଅନୁସାରେ ଆଜୀବନ ଜେଲରେ ପରିଣତ କରାଯାଇ ପାରିବ। କିନ୍ତୁ ଅପରାଧୀକୁ ସଂପୂର୍ଣ୍ଣ ଭାବେ ଖଲାସ କରାଯାଇ ପାରିବ ନାହିଁ। ଏଥିସହ ୩ ବର୍ଷ ମଧ୍ୟରେ ହିଁ ନ୍ୟାୟ ମିଳିବ। ସାଂଗଠନିକ ଅପରାଧ ପାଇଁ କଠୋର ଦଣ୍ଡର ବ୍ୟବସ୍ଥା ରହିଛି।

ପୁରୁଣା ନିୟମରେ କ’ଣ ସମସ୍ୟା ଥିଲା :-

ଆଇପିସି, ସିଆରପିସି ଏବଂ ଭାରତୀୟ ପ୍ରମାଣ ଆଇନ ସହ ଜଡିତ ଆଇନରେ ଏପରି ନିୟମ ରହିଛି, ଯାହା ଦେଶରେ ନ୍ୟାୟ ପ୍ରକ୍ରିୟାରେ ଭାର ବଢ଼ାଉଛି । ଏହାକୁ ହ୍ରାସ କରିବା ପାଇଁ ନୂଆ ବିଲ୍ ଅଣାଯାଇଛି । ବର୍ତ୍ତମାନ ଅର୍ଥନୈତିକ ପଛୁଆ ଲୋକମାନେ ନ୍ୟାୟରୁ ବଞ୍ଚିତ ହୋଇଛନ୍ତି ଏବଂ ଅଧିକାଂଶ ମାମଲାରେ ଦୋଷୀ ପ୍ରମାଣିତ ହେଉନାହିଁ । ଫଳସ୍ୱରୂପ, ଜେଲରେ ଥିବା କଏଦୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାକୁ ହ୍ରାସ କରିବା ପାଇଁ ନୂଆ ବିଲ୍ ଅଣାଯାଇଛି । ଯଦି ଏହି ବିଲ୍ ଆଇନର ରୂପ ନେବ, ତେବେ ଜଟିଳତା ହ୍ରାସ ପାଇବ ।

Get real time updates directly on you device, subscribe now.