fbpx

ଦେଶରେ ରହିଛନ୍ତି ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର: ନିର୍ବାଚନ ଆୟୋଗ

ଓଡ଼ିଶା ଭାସ୍କର: ଦେଶର ୯୬.୬ କୋଟି ପଞ୍ଜୀକୃତ ଭୋଟର ନୂତନ ସରକାର ଗଠନ ପାଇଁ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ୧୦.୫ ଲକ୍ଷ ଅଧିକ ବୁଥ ନିର୍ବାଚନ କମିଶନ ପକ୍ଷରୁ ସମଗ୍ର ଦେଶରେ ତିଆରି କରାଯିବ। ନିର୍ବାଚନକୁ ସୂଚାରରୂପେ ଶେଷ କରିବା ପାଇଁ ୧.୫ କୋଟି ପୁଲିଂ ଅଫିସର ନିଯୁକ୍ତ ହେବେ। ୫୫ ଲକ୍ଷ ଇଭିଏମ ଦ୍ୱାରା ଲୋକଙ୍କ ମତାଧିକାର ଗ୍ରହଣ କରାଯିବ। ତେବେ ଦେଶର ୯୬.୬ କୋଟି ଭୋଟରଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୪୯.୭ କୋଟି, ୪୭.୧ କୋଟି ମହିଳା ଭୋଟର ରହିଛନ୍ତି। ସେହିପରି ଟ୍ରାନ୍ସଜେଣ୍ତର ଭୋଟରଙ୍କ ସଂଖ୍ୟା ୪୮ ଲକ୍ଷ ଥିବା ବେଳେ ଯୁବଭୋଟରଙ୍କ ସଂଖ୍ୟା ୧୯.୭୪ କୋଟି(୨୦ରୁ ୨୯ ବର୍ଷ) ରହିଛି। ଆଉ ସବୁଠୁ ବଡ଼ କଥା ହେଉଛି ଯେ, ଦେଶରେ ବର୍ତ୍ତମାନ ୨ ଲକ୍ଷ ୧୮ ହଜାର ଶତାୟୁ ଭୋଟର ରହିଛନ୍ତି। ତେବେ ୮୫ ବର୍ଷରୁ ଅଧିକ ବୟସର ଭୋଟର ଘରେ ବସି ଭୋଟ ଦେଇପାରିବେ । ଏଥିପାଇଁ ସେମାନଙ୍କ ଘରକୁ ଫର୍ମ ପଠାଇଦିଆଯିବ ବୋଲି ଏନେଇ ସୂଚନା ଦେଇ କହିଛନ୍ତି ଦେଶର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର।

ସୂଚନା ଥାଉକି, ଆଉ କିଛି ସମୟ ପରେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାରଙ୍କ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଯାଇଛି । ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଛନ୍ତି ଯେ ସପ୍ତଦଶ ଲୋକସଭାର କାର୍ୟ୍ୟକାଳ ୨୦୨୪ ଜୁନ୍ ୧୬ରେ ଶେଷ ହେଉଛି। ଏଥିପାଇଁ ୯୭ କୋଟି ପଞ୍ଜୀକୃତ ଭୋଟର ଅଛନ୍ତି। ତେବେ ନିର୍ବାଚନ ଆୟୋଗ ବର୍ତ୍ତମାନ ସୁଦ୍ଧା ( ସ୍ୱାଧୀନତା ପରଠାରୁ) ୧୭ଟି ସାଧାରଣ ନିର୍ବାଚନ ଏବଂ ୪୦୦ରୁ ଅଧିକ ବିଧାନସଭା ନିର୍ବାଚନ କରାଇଛନ୍ତି। ସେହିପରି ୧୬ଟି ରାଷ୍ଟ୍ରପତି ନିର୍ବାଚନ ଓ ୧୬ଟି ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ନିର୍ବାଚନ ଆୟୋଗ ଦ୍ୱାରା ଅନୁଷ୍ଠିତ ହୋଇଛି। ଏହା ସହ ସେ କହିଛନ୍ତି ଯେ ସେ ଗତ ୨ ବର୍ଷ ଧରି ଚଳିତ ନିର୍ବାଚନ ପାଇଁ ପ୍ରସ୍ତୁତି କରିଛନ୍ତି।

Get real time updates directly on you device, subscribe now.