fbpx

କେଉଁ ପରିସ୍ଥିତିରେ ଭଗବାନ ଶିବ ଖୋଲିଥିଲେ ତୃତୀୟ ନେତ୍ର ? କାହାର ହୋଇଥିଲା ବିନାଶ ?

ହିନ୍ଦୁ ଧର୍ମରେ ଭଗବାନ ଶିବଙ୍କୁ ଶଙ୍କର, ଭୋଳାନାଥ, ନୀଳକଣ୍ଠ, ତ୍ରୀଲୋଚନ, ଚନ୍ଦ୍ରଶେଖର ଆଦି ବିଭିନ୍ନ ନାଁରେ ଜଣାଯାଏ । ଏଥି ମଧ୍ୟରୁ ତ୍ରୀଲୋଚନ ନାଁ ସବୁଠାରୁ ରହସ୍ୟମୟ । ଶିବଙ୍କ ୩ଟି ନେତ୍ର ଥିବାରୁ ଏପରି ନାମକରଣ କରାଯାଇଛି । ଲୋକକଥା ଅନୁାଯାୟୀ ଭଗବାନ ଶିବ କ୍ରୋଧିତ ହେଲେ ତାଙ୍କ ତୃତୀୟ ଆଖି ଖୋଲିଥାଏ । ଫଳରେ ପୃଥିବୀରେ ପ୍ରଳୟ ଆସିଥାଏ । ଶିବଙ୍କ ଡାହାଣ ଆଖି ସୂର୍ଯ୍ୟଙ୍କ ପ୍ରତୀକ, ବାମ ପଟ ଆଖି ଚନ୍ଦ୍ରଙ୍କ ପ୍ରତୀକଏବଂ ତୃତୀୟ ନେତ୍ର ଶକ୍ତି ଏବଂ ବିନାଶର ପ୍ରତୀକ ଭାବରେ ବିବେଚନା କରାଯାଏ । ଭଗବାନ ଶିବଙ୍କ ତୃତୀୟ ନେତ୍ର ବହୁତ ଶକ୍ତିଶାଳୀ ଅଟେ । ଏହାକୁ ଜ୍ଞାନ ଚକ୍ଷୁ ମଧ୍ୟ କୁାହାଯାଏ । ଏହା ଆଲୋକର ପ୍ରତୀକ ଅଟେ । ସେଥିପାଇଁ ତାଙ୍କୁ ତ୍ରୀକାଳଦର୍ଶୀ ମଧ୍ୟ କୁହାଯାଏ ।
ପୌରାଣିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ କେବଳ ୩ ଥର ତୃତୀୟ ନେତ୍ର ଖୋଲିଥିଲେ । ଏହି ସମ୍ବନ୍ଧୀୟ ୩ଟି କାହାଣୀ ରହିଛି ।

– ଏକଦା ଦେବୀ ସତୀଙ୍କ ପିତା ଦକ୍ଷ ପ୍ରଜାପତି ଏକ ମହାଯଜ୍ଞର ଆୟୋଜନ କରିଥିଲେ । ଶିବଙ୍କୁ ଛାଡ଼ି ଅନ୍ୟ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହା ଦେବୀ ସତୀଙ୍କୁ ଅପମାନିତ କରିଥିଲା । ତେଣୁ ସେ କ୍ରୋଧ ବଶତଃ ଯଜ୍ଞ କୁଣ୍ଡରେ ପ୍ରାଣ ତ୍ୟାଗ କରିଥିଲେ । ଦେବୀ ସତୀଙ୍କୁ ହରାଇ ଶିବ ବହୁତ କ୍ରୋଧିତ ହୋଇଥିଲେ ଏବଂ ପରେ ଜଙ୍ଗଲରେ ଲମ୍ବା ସାଧନାରେ ଲୀନ ହୋଇଗଲେ । ତାଙ୍କୁ ଏପରି ଅବସ୍ଥାରେ ଦେଖି ସମସ୍ତ ଦେବା ଦେବୀ ଚିନ୍ତିତ ହୋଇଯାଇଥିଲେ । ତେଣୁ ଶିବଙ୍କ ସାଧନା ଭଙ୍ଗ କରିବା ପାଇଁ କାମଦେବଙ୍କ ସାହାଯ୍ୟ ଲୋଡ଼ିଥିଲେ । କାମଦେବଙ୍କ ପ୍ରୟାସ ଦ୍ୱାରା ଶିବଙ୍କ ସାଧନା ଭଙ୍ଗ ହୋଇଥିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେ କ୍ରୋଧିତ ହୋଇଯିବାରୁ ତୃତୀୟ ନେତ୍ର ଖୋଲିଥିଲା ଏବଂ କ୍ରୋଧାଗ୍ନିରେ କାମଦେବ ଭସ୍ମ ହୋଇଥିଲେ ।

– ଏକଦା ଦେବରାଜ ଇନ୍ଦ୍ର ଏବଂ ଦେବଗୁରୁ ବୃହସ୍ପତି ଭଗବାନ ଶିବଙ୍କୁ ସାକ୍ଷାତ କରିବା ପାଇଁ କୈଳାଶ ଆସିଥିଲେ । କିନ୍ତୁ ଶିବ ଇନ୍ଦ୍ର ଦେବଙ୍କ ଧୈର୍ଯ୍ୟର ପରୀକ୍ଷା ନେବା ପାଇଁ ଋଷିର ରୂପ ଧାରଣ କରି ସେମାନଙ୍କ ପଥ ଅବରୋଧ କରିବାକୁ ଚେଷ୍ଟା କରିଥିଲେ । ଏଥିରେ କ୍ରୋଧିତ ହୋଇ ଇନ୍ଦ୍ର ଦେବ ଋଷି ବେଶରେ ଶିବଙ୍କ ଉପରେ ବଜ୍ର ପ୍ରହାର କରିଥିଲେ ଯାହା ଶିବଙ୍କୁ କ୍ରୋଧିତ କରିଥିଲା । ପରିଣାମ ସ୍ୱରୂପ ଶିବଙ୍କ ତୃତୀୟ ନେତ୍ର ଖୋଲିଥିଲା । ଏପରି ସ୍ଥିତିରେ ଦେବଗୁରୁ ବୃହସ୍ପତି ଇନ୍ଦ୍ରଙ୍କୁ ଶିବଙ୍କ କୋପରୁ ରକ୍ଷା କରିଥିଲେ । ଶିବଙ୍କ ତୃତୀୟ ନେତ୍ର ସମୁଦ୍ର ପଟେ ଖୋଲିବାରୁ ସେହି ଶକ୍ତିରୁ ଜଳନ୍ଧର ନାମକ ଅସୁରର ଜନ୍ମ ହୋଇଥିଲା ।

– କୈଳାଶରେ ଥିବା ସମୟରେ ଥରେ କୌତୁହଳ ବଶତଃ ମାତା ପାବର୍ତୀ ଶିବଙ୍କ ଦୁଇ ଆଖି ନିଜ ହାତରେ ବନ୍ଦ କରିଦେଇଥିଲେ । ଶିବଙ୍କ ଆଖି ବନ୍ଦ ହେବା କ୍ଷଣି ସମସ୍ତ ସଂସାର ଅନ୍ଧାରମୟ ହୋଇଗଲା । ବିଶ୍ୱକୁ ଏହି ବିନାଶରୁ ରକ୍ଷା କରିବା ପାଇଁ ଶିବ ତୃତୀୟ ନେତ୍ର ଖୋଲିଥିଲେ ।

Get real time updates directly on you device, subscribe now.