Love Hormone ପାଇଁ ମଣିଷ ପ୍ରେମରେ ପଡ଼ୁଛି! ଲଭ୍ କରିବା, ରୋମାଣ୍ଟିକ୍ ହେବା, ହୃଦୟ ଦେବା ପଛର ରହସ୍ୟ ଖୋଜିଲା ରିସର୍ଚ୍ଚ

ନୂଆଦିଲ୍ଲୀ: ପ୍ରତ୍ୟେକ ମଣିଷ ତା’ ଜୀବନରେ ନିଶ୍ଚିତ ଭାବେ ପ୍ରେମରେ ପଡ଼ିଥାଏ । ତେବେ ଅନେକ ସମୟରେ ପ୍ରଥମ ଦେଖାରୁ ହିଁ ପ୍ରେମ ଆରମ୍ଭ ହୋଇଥାଏ ବୋଲି କୁହାଯାଇଥାଏ । ଏପରିକି ଦୁଇଟି ହୃଦୟକୁ ଯୋଡ଼ିବାରେ ଆଖିର ବଡ଼ ଭୂମିକା ରହିଥାଏ ବୋଲି କୁହାଯାଇଥାଏ । ବିନା ଶବ୍ଦରେ ଆଖି କିପରି ଦୁଇ ପ୍ରେମ ପକ୍ଷୀଙ୍କୁ ଯୋଡ଼ିବାରେ ସହାୟକ ହୋଇଥାଏ, ସେନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ । ତେବେ ଟୋକିଓ ୟୁନିଭରସିଟି ତରଫରୁ କରାଯାଇଥିବା ଏକ ଗବେଷଣା ମଣିଷ ମଧ୍ୟରେ ଲୁକ୍କାୟିତ ଭାବେ ରହିଥିବା ଅନେକ ଲଭ୍ ସିକ୍ରେଟକୁ ଖୁଲାସା କରିବାରେ ସଫଳ ହୋଇଛି । ବୈଜ୍ଞାନିକମାନେ ମୂଷାଙ୍କ ଉପରେ ପ୍ରଥମେ ଏହାର ପ୍ରୟୋଗ କରି ସଫଳତା ହାସଲ କରିଛନ୍ତି ।

ଅକ୍ସିଟୋସିନକୁ ‘ଲଭ୍ ହରମୋନ’ କୁହାଯାଉଥିବା ବେଳେ ଏହା ମଣିଷର ଭାବନାତ୍ମକ ଓ ସାମାଜିକ ସମ୍ବନ୍ଧ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ଏହି ଆଖିକୁ ଦେଖି ଆକର୍ଷିତ ହେବା, ବିଶ୍ୱାସ କାଏମ୍ ରଖିବା ଓ ଦୟାଭାବ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଏହା କେବଳ ସମ୍ପର୍କକୁ ମଜବୁତ କରେନାହିଁ, ଚାପକୁ ହ୍ରାସ କରିବା ସହ ବ୍ରେନକୁ ଶାନ୍ତ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ଅନେକ ଡାକ୍ତର ଓ ବୈଜ୍ଞାନିକଙ୍କ ମତରେ, ମଣିଷ ଯେତେବେଳେ ଜଣଙ୍କୁ ଦେଖିଥାଏ, ସେହି ସମୟରେ ତା’ ଶରୀରରୁ ଅକ୍ସିଟୋସିନ ନାମକ ଏକ ହରମୋନ୍ ରିଲିଜ୍ ହୋଇଥାଏ । ଏହାକୁ ଲଭ୍ ହରମୋନ ଓ କଡଲ ହରମୋନ୍ ମଧ୍ୟ୍ କୁହାଯାଇଥାଏ । କାରଣ ଆପଣ ଯେତେବେଳେ ଜଣଙ୍କୁ ଦେଖନ୍ତି ଆଉ ଖୁସି ଅନୁଭବ କରନ୍ତି, ସେହି ସମୟରେ ଅକ୍ସିଟୋସିନ୍ ହରମୋନ୍ ରିଲିଜ୍ ହୋଇଥାଏ ।

ଏହାପରେ ଏହି ହରମୋନ ବ୍ରେନରେ ଏପରି ସକାରାତ୍ମକ ଭାବନା ଉତ୍ପନ୍ନ କରିଥାଏ, ଯାହାକି ସମ୍ବନ୍ଧକୁ ମଜବୁତ କରିଥାଏ । ଏପରି ଭାବେ ଜଣଙ୍କୁ ଦେଖିବା ପରେ ପ୍ରେମ କାହାଣୀ ଆରମ୍ଭ ହୋଇଥାଏ । ଏହି ହରମୋନ୍ ରିଲିଜ୍ ହେବା ଫଳରେ ମଣିଷ ମଧ୍ୟରେ ଅନ୍ୟ ପ୍ରତି ବିଶ୍ୱାସ ସୃଷ୍ଟି ହୋଇଥାଏ । ଏହି ହରମୋନ ଲୋକଙ୍କୁ ଦୟାଳୁ ଓ ସମ୍ବେଦନଶୀଳ ମଧ୍ୟ କରିଥାଏ । ଫଳରେ ସେମାନେ ଅନ୍ୟର ଭାବନାକୁ ଭଲ ଭାବେ ବୁଝିପାରିଥାନ୍ତି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏହା ପ୍ରେମ ପ୍ରେମିକ-ପ୍ରେମିକାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ପିତା-ମାତା, ଶିଶୁଙ୍କ ମଧ୍ୟରେ ସୁସମ୍ପର୍କ, ରୋମାଣ୍ଟିକ ପାର୍ଟନରଙ୍କ ମଧ୍ୟରେ ସମ୍ବନ୍ଧ, ବନ୍ଧୁଙ୍କ ମଧ୍ୟରେ କେମିଷ୍ଟ୍ରି କ୍ଷେତ୍ରରେ ମଧ୍ୟ ବଡ଼ ଭୂମିକା ନିର୍ବାହ କରିଥାଏ ।

ଅକ୍ସିଟୋସିନ୍ ମଣିଷର ବ୍ରେନରେ ହାଇପୋଥୈଲେମସରୁ ରିଲିଜ୍ ହୋଇଥାଏ ଓ ପିଟୁଇଟାରୀ ଗ୍ଲାଣ୍ଡ ଜରିଆରେ ଶରୀରରେ ବ୍ୟାପିଥାଏ । ଆଲିଙ୍ଗନ କରିବା, ହାତ ମିଳାଇବା ବା କାହା ସହ ଡିପ୍ ଇମୋସନାଲ ହୋଇ କଥାବାର୍ତ୍ତା କଲେ ଏହି ହରମୋନ୍ ରିଲିଜ୍ ହୋଇଥାଏ । ଏହାର ପ୍ରଭାବ ଏତେ ବେଶି ଯେ, ଚାପଗ୍ରସ୍ତ ସ୍ଥିତିରେ ମଦ୍ୟ ଏହା ବ୍ୟକ୍ତିକୁ ଶାନ୍ତ ଓ ସ୍ଥିର ଅନୁଭବ ଦେଇଥାଏ । ଏହା ବ୍ରେନରେ ଖୁସୁ ଓ ଶାନ୍ତିର ଭାବନା ମଧ୍ୟ ସୃଷ୍ଟି କରିଥାଏ । ତେବେ ଅକ୍ସିଟୋସିନ ଆହୁରି ବହୁତ କିଛି କରିପାରେ ବୋଲି ନିକଟରେ ରିସର୍ଚ୍ଚରୁ ଜଣାପଡ଼ିଛି । ଡିମେନ୍ସିଆ ଉପଚାରରେ ଏହି ହରମୋନ ସହାୟକ ହୋଇ ପାରିବ ବୋଲି ମଧ୍ୟ ଦାବି କରାଯାଇଛି । ଅକ୍ସିଟୋସିନର ପ୍ରଭାବ ବିଷୟରେ ଜାଣିବା ପରେ ଗବେଷକମାନେ ମୂଷା ଉପରେ ଏହାର ପରୀକ୍ଷଣ କରିଥିଲେ । ଏଥିସହିତ ମସ୍ତିଷ୍କ ବିମାରୀ, ଶିରା ଉପଚାର କ୍ଷେତ୍ରରେ ମଧ୍ୟ ଏହା ସହାୟକ ହୋଇପାରେ ବୋଲି ଜଣାପଡ଼ିଛି ।