fbpx

ଗାଁକୁ ନଥିଲା ରାସ୍ତା; ଲଭଲିନାଙ୍କ ଅଲିମ୍ପିକ ପଦକ ପାଇଁ ହେଲା ପକ୍କା ସଡ଼କ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ପଦକ ନିଶ୍ଚିତ କରିବା ପରେ ବକ୍ସର ଲଭଲିନା ବୋର୍ଗୋହେନ୍ଙ୍କ ଗାଁକୁ ପକ୍କା ସଡ଼କ ନିର୍ମାଣ କରାଯାଇଛି । ସମଗ୍ର ବିଶ୍ୱ ସମ୍ମୁଖରେ ଭାରତୀୟ ତ୍ରିରଙ୍ଗାକୁ ଉଚ୍ଚା କରିଥିବା ଏହି ୨୩ ବର୍ଷୀୟ ବକ୍ସରଙ୍କ ସ୍ୱାଗତ ପାଇଁ ପ୍ରସ୍ତୁତ ଆସାମ । ଟୋକିଓ ଅଲିମ୍ପିକ୍ସରେ ଭାରତର ଦ୍ୱିତୀୟ ପଦକ ସୁନିଶ୍ଚିତ କରିଥିବା ଲଭଲିନାଙ୍କ ଗାଁକୁ ରାସ୍ତା ନଥିଲା । ଭାରତର ପୂର୍ବୀୟ କୋଣ ଆସାମର ଅପରିଚିତ ଗାଁ ବାରମୁଠିଆର ଏକ ଚାଷୀ ପରିବାରରୁ ଆସିଥିବା ଲଭଲିନା ନିଜ ପଦାର୍ପଣରେ ପଦକ ହାସଲର ରେକର୍ଡ କରିଛନ୍ତି । ଜୁଲାଇ ୩୦ ତାରିଖରେ ଚାଇନିଜ ତାଇପେର ନିଏନ୍ ଚିନ୍ ଚେନଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିବା ସହିତ ଏକ ପଦକ ନିଶ୍ଚିତ କରିଥିଲେ ଲଭଲିନା ।

ବୁଧବାର ଲଭଲିନାଙ୍କ ସେମି ଫାଇନାଲ ମୁକାବିଲା ରହିଛି । ତୁର୍କୀର ବୁସେନାଜ ସୁର୍ମେନେଲୀଙ୍କ ବିପକ୍ଷରେ ଲଭଲିନା ଲଢେଇରେ ଉପନୀତ ହେବେ । ତେବେ ଲଭଲିନାଙ୍କ ପାଇଁ ଏହି ମୁକାବିଲା ଏତେଟା ସହଜସାଧ୍ୟ ମନେ ହେଉନାହିଁ । ଆସାମର ସୁନାଝିଅ ପଦକ ଆଣି ଫେରିବା ପରେ ଗାଁକୁ ଫେରିବ । ଏଭଳି ସ୍ଥିତିରେ ଗାଁକୁ ଯିବା ପାଇଁ ରହିଥିବା ୩.୫ କିମିର ମାଟି ରାସ୍ତାକୁ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ପକ୍କା କରାଯାଇଛି । ୨୩ ବର୍ଷୀୟ ଲଭଲିନା ପ୍ରାରମ୍ଭରୁ ମୁଏ ଥାଇରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଆସାମର ବାରମୁଠିଆକୁ ବିଶ୍ୱ ମାନଚିତ୍ରରେ ପରିଚୟ ପ୍ରଦାନ କରିଥିଲେ ଆସାମର ପ୍ରଥମ ମହିଳା ବକ୍ସର । ଏହା ପୂର୍ବରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲଭଲିନାଙ୍କ ପାଇଁ ଏକ ସାଇକେଲ ରାଲି କରିଥିଲେ ।

Get real time updates directly on you device, subscribe now.