ହଷ୍ଟେଲ ଅବ୍ୟବସ୍ଥାରରେ ଅତିଷ୍ଠ ଛାତ୍ର, ଜିଲ୍ଲାପାଳକୁ ଜଣାଇବାକୁ ଅନ୍ଧାର ରାସ୍ତାରେ ଚାଲିଲେ ୨୫ କିମି

ବାରିପଦା ଆଶ୍ରମ ସ୍କୁଲ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଅଭିଯୋଗ । ଅଭିଯୋଗ କରିବାକୁ 25 କିମି ଚାଲିଲେ ଛାତ୍ର ।

ଭୁବନେଶ୍ବର:  ମୟୂରଭଞ୍ଜରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ 25 କିମି ବାଟ ପାଦରେ ଚାଲିଲେ ୧୧୬ ଜଣ ଛାତ୍ର । ମୟୂରଭଞ୍ଜ  ଜିଲ୍ଲା ବାସିପିଠା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ଏଭଳି କାର୍ଯ୍ୟ କରିଛନ୍ତି । ରାତି 12ଟାରୁ ବାହାରି ସକାଳେ ବାରିପଦା ପହଞ୍ଚିଛନ୍ତି ।

ନିର୍ଯାତନା ସହିପାରିଲେନି ଛାତ୍ର-  ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ଶିକ୍ଷକମାନେ ବିଭିନ୍ନ ସମୟରେ ବିନା କାରଣରେ ଛାତ୍ରଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା କାରଣରୁ ଅତିଷ୍ଠ ହେଉଥିଲେ ଅନ୍ତେବାସୀ । କେବଳ ସେତିକି ନୁହେଁ କ୍ୱାର୍ଟରରେ ରହୁଥିବା ଜଣେ ଶିକ୍ଷୟିତ୍ରୀ ପିଲାଙ୍କୁ ଦେଇ ତାଙ୍କ ପୋଷା କୁକୁର  ମଳ ସଫା କରାଇବା ଭଳି ଘଟଣା ମଧ୍ୟ ଘଟିଛି ।

ଫଳରେ ଏହି ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟରେ ପହଞ୍ଚାଇବା ପାଇଁ ସେମାନେ ଚାଲିଚାଲି ଆସିବାକୁ ସ୍ଥିର କରିଥିଲେ । ହେଲେ ଜିଲ୍ଲାପାଳ ଓଡ଼ିଶା ବାହାରେ ରହିଥିବାରୁ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ଉପ ଜିଲ୍ଲାପାଳ ଦୟାସିନ୍ଧୁ ପରିଡା ପିଲାଙ୍କୁ ବୁଝାସୁଝା କରିଥିବା ବେଳେ ଜିଲ୍ଲାପାଳ ଭିଡିଓ କଲରେ କଥା ହୋଇଥିଲେ । ଜିଲ୍ଲାପାଳ ସେମାନଙ୍କୁ ବୁଝାସୁଝା କରି ହଷ୍ଚେଲକୁ ଫେରିବାକୁ ନିବେଦନ କରିଛନ୍ତି । ସେମାନଙ୍କୁ ଏକ ବସ୍ ଯୋଗେ ଫେରାଇ ଅଣାଯାଇଥିବା ଜଣାପଡିଛି ।