(ଭିଡ଼ିଓ) ଲୁଧିଆନା କୋର୍ଟ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଜର୍ମାନୀରୁ ଗିରଫ, ରଚିଥିଲା ଏପରି ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ପଞ୍ଜାବ ସ୍ଥିତ ଲୁଧିଆନା କୋର୍ଟରେ ହୋଇଥିବା ବିସ୍ଫୋରଣ ମାମଲାରେ ଜର୍ମାନୀରୁ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ଜସବିନ୍ଦର ସିଂହ ମୁଲତାନୀକୁ ଜର୍ମାନୀରୁ ଗିରଫ କରାଯାଇଛି । ଏନେଇ ଭାରତ ସରକାର ଜର୍ମାନୀ ସରକାରଙ୍କ ନିବେଦନ କରିଥିଲେ । ମୁଲତାନୀ ଆଇଏସଆଇର ନିର୍ଦ୍ଦେଶରେ କାମ କରୁଥିଲା । ଦିଲ୍ଲୀ ଓ ମୁମ୍ବାଇରେ ବି ଆତଙ୍କୀ ଆକ୍ରମଣ କରିବାର ଷଡ଼ଯନ୍ତ୍ର ରଚିଥିଲା ଜସବିନ୍ଦର । ଏହି ଅଭିଯୋଗରେ ତାକୁ ଗିରଫ କରାଯାଇଛି । ୪୫ ବର୍ଷୀୟ ଜସବିନ୍ଦର ସିନ୍ଧୁ ବର୍ଡରରେ ଚାଷୀ ନେତା ବଲବୀର ସିଂହ ରାଜେବଲଙ୍କ ହତ୍ୟାର ମଧ୍ୟ ଷଡ଼ଯନ୍ତ୍ର ରଚିଥିଲା ।

ତେବେ କୋର୍ଟ ପରିସରରେ ବିସ୍ଫୋରଣ ଘଟଣା ବୁଧବାର ଦିନ ଘଟିଥିଲା, ଯେଉଁଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ । ପୋଲିସର ସୂଚନା ମୁତାବକ, ଦ୍ୱିତୀୟ ମହଲାରେ ଥିବା ଶୌଚାଳୟରେ ଏହି ବିସ୍ଫୋରଣ ହୋଇଥିଲା । ବିସ୍ଫୋରରେ କମ୍ପାଉଣ୍ଡର ଏକ କାନ୍ଧ ଭାଙ୍ଗିଥିବା ବେଳେ ପାର୍କିଂରେ ଠିଆ ହୋଇଥିବା ଗାଡ଼ିଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା ।