ଦାରିଦ୍ର୍ୟପୂର୍ଣ୍ଣ ପିଲାଦିନ, ସେଲୁନ ଦୋକାନରୁ ପ୍ଲେ ବ୍ୟାକ ସିଙ୍ଗର

ବଲିଉଡର ଦିଗଜ ଗାୟକ ମହମ୍ମଦ ରଫିଙ୍କ ଆଜି ୯୮ତମ ଜନ୍ମ ବାର୍ଷିକ । ୧୯୨୪ମସିହାର ଏହି ଦିନରେ ଜନ୍ମ ଗ୍ରହଣ କରିଥିଲେ ମହମ୍ମଦ ରଫି । ପିଲାଦିନେ ସେ ଅମୃତସରର କୋଟଲା ସୁଲ୍ତାନ ସିଂ ର ହାଜି ଅଲି ମହମ୍ମଦା ଠାରେ ରହୁଥିଲେ । କିଏ ଜାଣିଥିଲା ସେହି ଛୋଟ ରଫିଙ୍କୁ ଦିନେ ଶେହେନ୍ସା-ଇ-ତରୁଣମ୍ କୁହାଯିବ । ମହମ୍ମଦ ରଫି ତାଙ୍କ ପିଲାଦିନ ନିଜ ପିତା-ମାତା, ଏବଂ ବଡ଼ ଭାଇ ହମିଦ ରଫିଙ୍କ ସହ କଟାଇଥିଲେ । ଯେତେବେଳେ ତାଙ୍କୁ ସାତବର୍ଷ ହୋଇଥିଲା ସେ ଲାହୋରକୁ ଆସିଥିଲେ । ତାଙ୍କ ବଡ଼ ଭାଇ ଲାହୋରରେ ଏକ ସେଲୁନ ଦୋକାନ କରିଥିଲେ ।

ପ୍ରକୃତରେ ମହମ୍ମଦ ରଫି ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରୁ ନଥିଲେ ସେଥିପାଇଁ ସେ ତାଙ୍କ ଭାଇଙ୍କ ସେଲୁନରେ ବସନ୍ତି । ହେଲେ ଉପରାବାଲାର ନିୟମ କିଛି ଅଲଗା ଥିଲା, ସେ ଦୋକାନରେ ବସିବା ସମୟରେ ଜଣେ ସୁଫି ଫକୀରଙ୍କ ସହ ତାଙ୍କର ଭେଟ ହୋଇଥିଲା । ଏହି ଫକୀର ଜଣକ ସେହି ଗଳିରେ ଗୀତ ବୋଲି ନିଜ ଜୀବନ ଅତିବାହିତ କରୁଥିଲେ । ଫକୀରଙ୍କ ମଧୁର କଣ୍ଠସ୍ୱର ତାଙ୍କ ମନରେ ଥିବା କଳାକୁ ଆକର୍ଷିତ କରିଥିଲା ଏବଂ ସେ ଫକୀରଙ୍କ ପିଛା କରିବାକୁ ଲାଗିଲେ । ପରେ ଫକୀରଙ୍କ ପ୍ରେରଣା ନେଇ ସେ ଫକୀରଙ୍କ ନକଲ କରିବାକୁ ଆରମ୍ଭ କଲେ । କଳା ନିଜ କରିସ୍ମା ଦେଖାଇବାକୁ ଆରମ୍ଭ କରିଦେଲା ଏବଂ ରଫିଙ୍କ ପତଳା ସ୍ୱର ଲୋକ ମାନଙ୍କୁ ଆକର୍ଷିତ କରିବାକୁ ଲାଗିଲା । ତାଙ୍କ ଦୋକାନକୁ ଯେଉଁ ଗ୍ରାହକ ଆସୁଥିଲେ ଚୁଟି କାଟିବା ପାଇଁ ତାଙ୍କୁ ରଫିଙ୍କ ସ୍ୱର ପାଗଳ କରିଦେଉଥିଲା । ତାଙ୍କର ଏହି ପ୍ରତିଭା ଦେଖି ରଫିଙ୍କ ବଡ଼ ଭାଇ ତାଙ୍କୁ ସଂଗୀତ ଶିକ୍ଷିବା ପାଇଁ ପ୍ରେରଣା ଦେଇଥିଲେ ଏବଂ ଉସ୍ତାଦ ବହିଦ ଖାନଙ୍କ ପାଖକୁ ସଂଗୀତ ଶିକ୍ଷିବା ପାଇଁ ଛଡ଼ା ଯାଇଥିଲା । ସେଠାରେ ରଫିଙ୍କ ସ୍ୱର ଧାରରେ ପଡ଼ିଥିଲା ଏବଂ ଦୁନିଆରେ ସମସ୍ତେ ଜାଣିବାକୁ ଲାଗିଲେ ତାଙ୍କ କଣ୍ଠସ୍ୱର । ରଫି ନିଜ ସଂଗୀତ କ୍ୟାରିୟର ୧୩ ବର୍ଷରୁ ଆରମ୍ଭ କରିଥିଲେ ।

୧୯୩୧ ମସିହାର କଥା, ଲାହୋର ଠାରେ ଥିବା ଆକାଶବାଣୀରେ ପ୍ରସିଦ୍ଧ ଗାୟକ କୁନ୍ଦଲ ଲାଲଙ୍କୁ ଗୀତ ଗାଇବା ପାଇଁ ଡକାଯାଇଥିଲା । ଲୋକେ ଏହି ଖବର ପାଇ, ସହଗଲଙ୍କ ସ୍ୱର ଶୁଣିବା ପାଇଁ ସେଠାରେ ଜନସମାଗମ ହୋଇଥିଲା । ହଠାତ ବିଜୁଳି ମାରି ବିଦ୍ୟୁତ କଟିଯାଇଥିବା ହେତୁ ସହଗଲ ଗୀତ ଗାଇବା ପାଇଁ ମନା କରିଦେଇଥିଲେ । ଏହା ସେହି ସମୟ ଯାହା ଉପରବାଲା ରଫିଙ୍କୁ ମୌକା ଦେଇଥିଲେ । ରଫିଙ୍କ ବଡ଼ ଭାଇ ସେଠାରେ ଆୟୋଜନ କରିଥିଲେ ରଫିଙ୍କୁ ଗୀତ ବୋଲିବା ପାଇଁ । ଯେତେବେଳେ ରଫି ଷ୍ଟେଜ ଉପରକୁ ଚଢନ୍ତି ଗୀତ ବୋଲିବା ପାଇଁ , ୧୩ବର୍ଷର ପିଲା ଭାବି ଲୋକେ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ । ହେଲେ ରଫି ଯେତେବେଳେ ଗୀତ ବୋଲିବାକୁ ଆରମ୍ଭ କଲେ ସେଠାର ସମସ୍ତ ପରିବେଶ ନିରୋଳା ହୋଇଗଲା । ସମସ୍ତେ ରଫିଙ୍କ ଗୀତ ଶୁଣିବାକୁ ଆରମ୍ଭ କଲେ ଏବଂ ଗୀତ ସରିବା ପରେ ଅଂସଖ୍ୟ ଲୋକେ ତାଙ୍କୁ ତାଳି ମାରି ଉତ୍ସାହିତ କରିଥିଲେ । ସେହି ଦିନରୁ ରଫି କେବେବି ପଛ ଘୁଂଚା ଦେଇନଥିଲେ ।

୧୯୪୪ ମସିହାରେ ମହମ୍ମଦ ରଫିଙ୍କୁ ପଞ୍ଜାବର ଏକ ଫିଲ୍ମ ‘ଗୁଲ ବଲୋଚ’ରେ ଗୀତ ଗାଇବାକୁ ସୁଯୋଗ ମିଳିଥିଲା । ୧୯୪୬ ମସିହାରେ ମାୟାନଗରୀ ମୁମ୍ବାଇକୁ ରଫି ଆଗମନ କରିଥିଲେ । ସେଠାରେ ସେ ସଂଗୀତର ସାଧନା ଆରମ୍ଭ କରିଦେବାକୁ ଲାଗିଥିଲେ । ସଂଗୀତକାର ନୌସାଦ ତାଙ୍କୁ ମୌକା ଦେଇଥିଲେ ଫିଲ୍ମରେ ଗୀତ ଗାଇବା ପାଇଁ । ତେଣୁ ସେ ବଲିଉଡ଼ ଫିଲ୍ମ ଅନମୋଲ ଘଡ଼ି, ମେଲା, ଦୁଲାରୀ ଏବଂ ସହିଦ ଫିଲ୍ମରେ ଗୀତ ବୋଲିଥିଲେ । ଏହାପରେ ସେ ଦିଲୀପ୍ କୁମାର ଏବଂ ଦେବାନନ୍ଦଙ୍କ ପରି ସୁପରଷ୍ଟାରଙ୍କ ପାଇଁ ଗୀତ ଗାଇବାକୁ ଆରମ୍ଭ କଲେ । ଏଠାରେ ବିଭିନ୍ନ ସୁପରଷ୍ଟାଙ୍କ ସହ ଦେଖାହୋଇ ମହମ୍ମଦ ରଫି ମଧ୍ୟ ନିଜେ ସୁପରଷ୍ଟାର ହୋଇଯାଇଥିଲେ ।

ମହମ୍ମଦ ରଫି ୧୯୮୦ ମହିହାରେ ବମ୍ବେ ସହରରେ ମାତ୍ର ୫୫ ବୟଷରେ ମୃତ୍ୟୁ ବରଣ କରିଥିଲେ । ହୃଦଘାତ ହେବା ଯୋଗୁଁ ତାଙ୍କୁ ମୃତ୍ୟୁ ଆସିଥିଲା । କଥାରେ ଅଛି କଳାକାର ସିନା ମରିଯାଏ ହେଲେ ହେଲେ ତାଙ୍କ କଳା ସାରା ଜଗତ ପାଇଁ ସବୁଦିନ ଅମର ହୋଇ ରହିଯାଏ । ଆଜି ତାଙ୍କ ୯୮ତମ ଜନ୍ମ ବାର୍ଷିକରେ ସାରା ଜଗତ ତାଙ୍କୁ ମନେପକାଉଛି । ଆଜି ବି ତାଙ୍କ ଗୀତ ଲୋକମାନଙ୍କ ହୃଦୟରେ ବାଜୁଛି ।