fbpx
BSKY
BJD MC SKY
BJD YOUTH SKY

ନୂଆ ଯୋଜନା ଆରମ୍ଭ କଲେ ରାଜ୍ୟ ସରକାର: ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କୁ ପ୍ରତି ମାସରେ ମିଳିବ ଆର୍ଥିକ ସହାୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବୁଣାକର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରଙ୍କ ପାଇଁ ରାଜ୍ୟ ସରକାର ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି । ରାଜ୍ୟରେ ଆରମ୍ଭ ହୋଇଛି ‘ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା’ । ଏହି ଯୋଜନାରେ ୪୦ରୁ ୮୦ ବର୍ଷ ମଧ୍ୟରେ ଥିବା ମହିଳା ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗର ଏବଂ ୫୦ରୁ ୮୦ ବର୍ଷ ମଧ୍ୟରେ ଥିବା ପୁରୁଷ ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରମାନେ ମାସିକ ୨ ହଜାର ଟଙ୍କାର ଆର୍ଥିକ ସହାୟତା ପାଇବେ ।

ସେହିପରି ୮୦ ବର୍ଷରୁ ଅଧିକ ବୟସର ବରିଷ୍ଠ ପୁରୁଷ ଓ ମହିଳା ବୁଣାକାର, ବୁଣା ସହାୟକ ଓ ହସ୍ତଶିଳ୍ପ କାରିଗରମାନଙ୍କୁ ମାସକୁ ୨୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବ । ରାଜ୍ୟର ବୁଣାକାର ଓ ହସ୍ତଶିଳ୍ପ କାରିଗରଙ୍କ ସର୍ବାଙ୍ଗୀନ ଉନ୍ନତି ଓ କଲ୍ୟାଣ ଲକ୍ଷ୍ୟରେ ରାଜ୍ୟ ସରକାର ପୂର୍ବରୁ ବହୁ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଏବେ ନୂଆ ଯୋଜନା ଲାଗୁ କରିଛନ୍ତି । ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ରାଜ୍ୟର ସମୃଦ୍ଧ ଐତିହ୍ୟର ପ୍ରଦର୍ଶନ ଓ ସଂରକ୍ଷଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛନ୍ତି ।

ରାଜ୍ୟରେ ୧.୨୫ ଲକ୍ଷରୁ ଅଧିକ ବୁଣାକାର ଓ ବୁଣା ସହାୟକ କାର୍ଯ୍ୟରତ ରହିଥିବା ବେଳେ ୧.୫୦ ଲକ୍ଷରୁ ଅଧିକ ହସ୍ତଶିଳ୍ପୀ କାରିଗର ରହିଛନ୍ତି । ବର୍ତ୍ତମାନ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ବୁଣାକାରମାନେ ମାସିକ ୬୦୦ ଟଙ୍କାର ସହାୟତା ପାଉଥିବ ବେଳେ ୮୦ ବର୍ଷରୁ ଅଧିକ ବୟସର ବୁଣାକାରମାନେ ୭୦୦ ଟଙ୍କା ସହାୟତା ପାଉଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶମତେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରିବା ସମୟରେ ବୁଣାକାର ଓ ହସ୍ତଶିଳ୍ପ କାରିଗରମାନେ ଏନେଇ ଅନୁରୋଧ କରିଥିଲେ । ତେଣୁ ସେମାନଙ୍କର ଅନୁରୋଧକୁ ବିଚାର କରି ରାଜ୍ୟ ସରକାର ନୂଆ ଯୋଜନା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.