fbpx

ରାଜ୍ୟସଭା ନିର୍ବାଚନ: ଆଜି ନାମାଙ୍କନ ଭରିବେ ଅଶ୍ୱିନୀ ବୈଷ୍ଣବ

ଓଡ଼ିଶା ଭାସ୍କର: ଆଜି ନାମାଙ୍କନ ଦାଖଲ କରିବେ ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ। ଆଜି ପୂର୍ବାହ୍ନରେ ବରିଷ୍ଠ ବିଜେପି ନେତାଙ୍କ ସହ ଯାଇ ସେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ୟ୍ୟସୂଚୀ ରହିଛି। ନାମାଙ୍କନ ଦାଖଲ ପାଇଁ ଆଜି ଶେଷ ଦିନ ରହିଥିବା ବେଳେ ଅଶ୍ୱିନୀ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଗତକାଲି ରାଜ୍ୟସଭା ପ୍ରାର୍ଥୀ ଭାବେ ଅଶ୍ୱିନୀଙ୍କ ନାମରେ ମୋହର ମାରିଥିଲେ ବିଜେପି ଦଳର ହାଇକମାଣ୍ଡ। ତେବେ ଏଥର ଓଡ଼ିଶାରୁ ରାଜ୍ୟସଭାକୁ ୩ ଜଣ ପ୍ରାର୍ଥୀ ଯାଉଥିବା ବେଳେ ଅଶ୍ୱିନୀଙ୍କୁ ନେଇ ଅଧିକ ଚର୍ଚ୍ଚା ଦେଖିବାକୁ ମିଳୁଛି । କାରଣ ସେ ୨୦୧୯ ରାଜ୍ୟସଭା ନିର୍ବାଚନ ଭଳି ଏଥର ବି ଉଭୟ ବିଜେଡି ଓ ବିଜେପି ସମର୍ଥନରେ ରାଜ୍ୟସଭା ଯାଉଛନ୍ତି।

ସୂଚନା ଥାଉକି, ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ୟ୍ୟକାଳ ଆସନ୍ତା ଏପ୍ରିଲ ମାସ ୩ ତାରିଖରେ ସମାପ୍ତ ହେବ । ଏଣୁ ଓଡ଼ିଶାରୁ ୩ ଜଣ ରାଜ୍ୟସଭା ପ୍ରାର୍ଥୀ ହେବା ନେଇ ଆବଶ୍ୟକ ରହିଥିଲା। ଯାହାକୁ ନେଇ ବିଜେଡି ପକ୍ଷରୁ ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । ଏହାପରେ ପରେ ବିଜେପି ପକ୍ଷରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଯେଉଁଥିରେ ପୁଣି ଅଶ୍ୱିନୀ ବୈଷ୍ଣବଙ୍କୁ ରିପିଟ କରିଥିଲା ବିଜେପି। ଆଉ ୨୦୧୯ ରାଜ୍ୟସଭା ନିର୍ବାଚନ ଭଳି ଏଥର ବି ଅଶ୍ୱିନୀଙ୍କୁ ସମର୍ଥନ ଦେବା ଲାଗି ଘୋଷଣା କରିଛି ନିଜେଡି। ଅଶ୍ୱିନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସମର୍ଥନ ଘୋଷଣା କରିଛନ୍ତି। ରାଜ୍ୟର ବୃହତର ସ୍ୱାର୍ଥକୁ ଦୃଷ୍ଟିରେ ରଖି, ଅଶ୍ୱିନୀ ବୈଷ୍ଣଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ସମର୍ଥନ କରିବ ବୋଲି ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର ରେଳବାଇ ଏବଂ ଟେଲିକମ୍ କ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥକୁ ଦେଖି ଏହି ସମର୍ଥନ ଦିଆଯାଇଥିବା ସୂଚନା ଦିଆଯାଇଛି।

ଏଠାରେ କହି ରଖୁ ଯେ, ଆସନ୍ତା ୨୭ତାରିଖରେ ଓଡ଼ିଶା ସମେତ ୧୫ ରାଜ୍ୟର ୫୬ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିପାଇଁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୫ ତାରିଖ ପର୍ୟ୍ୟନ୍ତ ନାମାଙ୍କନ ଭରିପାରିବେ ପ୍ରାର୍ଥୀ । ୧୬ ଫେବ୍ରୁଆରୀରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୦ ଫେବ୍ରୁଆରୀ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି। ୨୭ ତାରିଖ ଦିନ ୯ଟାରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହିଦିନ ଅପରାହ୍ନ ୫ଟାରୁ ଭୋଟ ଗଣତି ଆରମ୍ଭ ହେବ।

Get real time updates directly on you device, subscribe now.