fbpx
BSKY
BJD SHG SKY
BJD YOUTH SKY

ଏବେ ମଧ୍ୟ ଭାରତ ଟି-୨୦ ବିଶ୍ୱକପ ସ୍କ୍ୱାଡ ପରିବର୍ତ୍ତନ କରିପାରିବ କି? ଏନେଇ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଜୁନ ୨ରୁ ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହେବାକୁ ଥିବା ବେଳେ ସେଥିପାଇଁ ଟିମମାନେ ନିଜ ନିଜର ବିଶ୍ୱକପ ସ୍କ୍ୱାଡ ଘୋଷଣା କରିସାରିଛନ୍ତି । ତେବେ ଭାରତ ମଧ୍ୟ ତା’ର ବିଶ୍ୱକପ ସ୍କ୍ୱାଡ ଘୋଷଣା କରିସାରିଥିବା ବେଳେ ଏବେ କ’ଣ ଉକ୍ତ ସ୍କ୍ୱାଡରେ ପରିବର୍ତ୍ତନ କରିବା ସମ୍ଭବ ହେବ? ଏନେଇ ଅନେକ ପ୍ରଶ୍ନ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉଠିବା ସ୍ୱାଭାବିକ । ଚଳିତ ବିଶ୍ୱକପରେ ମୋଟ ୨୦ଟି ଟିମ୍ ଭାଗ ନେବାକୁ ଥିବାବେଳେ ମେ ୧ ତାରିଖ ସୁଦ୍ଧା ନିଜ ନିଜର ସ୍କ୍ୱାଡ ଘୋଷଣା କରିବାକୁ ଆଇସିସି କହିଥିଲା ।

ଆଇସିସିର ନିୟମ ମୁତାବକ, କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଏକ ମାସ ପୂର୍ବରୁ ପ୍ରତ୍ୟେକ ଟିମ ନିଜ ନିଜର ସ୍କ୍ୱାଡ ଘୋଷଣା କରିବେ । ଏହା ମଧ୍ୟରେ ଅଧିକାଂଶ ଟିମ ସେମାନଙ୍କର ସ୍କ୍ୱାଡ ଘୋଷଣା କରିସାରିଥିବା ବେଳେ ପାକିସ୍ତାନ ତା’ର ୧୫ ଜଣିଆ ଦଳ ଘୋଷଣା କରିନାହିଁ । ତେବେ ଯଦି କୌଣସି ଟିମ୍ ନିଜ ସ୍କ୍ୱାଡରେ ପରିବର୍ତ୍ତନ କରିବାକୁ ଚାହିଁବ, ତେବେ ସେ ମେ ୨୫ ସୁଦ୍ଧା ତାହା କରିପାରିବ । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଠିକ୍ ୫ ଦିନ ପୂର୍ବରୁ ଟିମମାନେ ନିଜର ସ୍କ୍ୱାର୍ଡ ବଦଳାଇ ପାରିବେ । ଯଦି କୌଣସି ଆଘାତ ହୁଅନ୍ତି ସେଥିପାଇଁ ଏହି ନିୟମ ରଖାଯାଇଛି । ବିସିସିଆଇ ଚାହିଁଲେ ମେ ୨୫ ଭିତରେ ଟିମ୍ ଇଣ୍ଡିଆର ସ୍କ୍ୱାଡରେ ପରିବର୍ତ୍ତନ କରିପାରିବ । ମାତ୍ର ତା’ପରେ କୌଣସି ପରିବର୍ତ୍ତନ ହୋଇପାରିବ ନାହିଁ ।

ଚଳିତ ବିଶ୍ୱକପରେ ରୋହିତ ଶର୍ମା ଅଧିନାୟକ ଓ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଭାବେ ଘୋଷଣା କରାଯାଇଥିବା ବେଳେ ୪ ଜଣ ଖେଳାଳିଙ୍କୁ ରିଜର୍ଭ ଭାବେ ରଖାଯାଇଛି । ଯଦି ଟିମରେ କୌଣସି ପରିବର୍ତ୍ତନ ହୁଏ, ତେବେ ଏହି ରିଜର୍ଭ ଖେଳାଳି ହିଁ ପ୍ରଥମେ ପ୍ଲେଇଂ-୧୧ରେ ସୁଯୋଗ ପାଇବେ । ସୂଚନାଯୋଗ୍ୟ ଯେ, ଗତ ୨୦୨୩ ଦିନିକିଆ ବିଶ୍ୱକପ ସମୟରେ ଟିମ୍ ଇଣ୍ଡିଆ ନିଜର ସ୍କ୍ୱାଡ ଘୋଷଣା କରିବା ପରେ ମଧ୍ୟ ନିଜ ଟିମ୍ ପରିବର୍ତ୍ତନ କରିଥିଲା । ଟିମ୍ ଘୋଷଣା ପରେ ଅକ୍ଷର ପଟେଲ ସ୍କ୍ୱାଡରେ ସାମିଲ ଥିଲେ । ଏହାପରେ ସେ ଆହତ ହୋଇଥିଲେ । ଏପରି ସ୍ଥିତିରେ ରବିଚନ୍ଦ୍ରନ ଅଶ୍ୱିନଙ୍କର ଟିମରେ ଏଣ୍ଟ୍ରି ହୋଇଥିଲା ଓ ସେ ବିଶ୍ୱକପ ଖେଳିଥିଲେ । ଜଣେ ଖେଳାଳି କେତେବେଳେ ଆହତ ହେବ, କାହାର କିଛି ବ୍ୟକ୍ତିଗତ ସମସ୍ୟା ଆସିବ ତାହା କହିବା ଅସମ୍ଭବ । ତେଣୁ ଏପରି ସ୍ଥିତିରେ ଟିମରେ ନୂଆ ଖେଳାଳିଙ୍କର ଏଣ୍ଟ୍ରି ହୋଇପାରେ ।

Get real time updates directly on you device, subscribe now.