୩ ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ କଲେ ମାଲଦୀପ ସରକାର: ପିଏମ୍ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଦେବା ମହଙ୍ଗା ପଡ଼ିଛି । ୩ ଜଣ ମନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମାଲଦୀପ ସରକାର । ମାଲଦୀପର ଯୁବ ସଶକ୍ତିକରଣ ବ୍ୟାପାର ଉପମନ୍ତ୍ରୀ ମରିୟମ ଶିଉନା ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସ’ରେ ମୋଦୀଙ୍କ ଉପରେ ଏକ ପୋଷ୍ଟ କରି ସେଥିରେ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିଲେ । ପରବର୍ତ୍ତୀ ସମୟରେ ସେ ଉକ୍ତ ପୋଷ୍ଟକୁ ଡିଲିଟ୍ କରିଦେଇଥିଲେ ।

ତେବେ ଏହି ମାମଲାରେ ଭାରତ ପକ୍ଷରୁ ମାଲଦୀପ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ଏହାପରେ ମାଲଦୀପ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ମାମଲାରେ ୩ ଜଣ ମନ୍ତ୍ରୀଙ୍କୁ ସସପେଣ୍ଡ କରିଦିଆଯାଇଛି । ମନ୍ତ୍ରୀ ଶିଉନା, ମାଲସା ଓ ହସନ ଜିହାନଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡ଼ିଛି । ପିଏମ୍ ମୋଦୀଙ୍କ ଲାକ୍ଷାଦ୍ୱୀପ ଗସ୍ତକୁ ନେଇ ମାଲଦୀପ ମନ୍ତ୍ରୀଙ୍କ ପକ୍ଷରୁ ଏଭଳି ଆପତ୍ତିଜନକ ପୋଷ୍ଟ କରାଯାଇଥିଲା ।

ମୋଦୀଙ୍କ ବିରୋଧରେ ଏପରି ବିବାଦୀୟ ଟିପ୍ପଣୀ ପରେ ମାଲଦୀପ ପ୍ରଧାନମନ୍ତ୍ରୀ ମହମ୍ମଦ ମୁଇଜୁ ସରକାରଙ୍କ ନିକଟରେ ଭାରତ ପକ୍ଷରୁ ଅଭିଯୋଗ କରାଯାଇଥିଲା । ମାଲଦୀପ ରାଜଧାନୀ ମାଲେ ଠାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏହାର ତୀବ୍ର ପ୍ରତିବାଦ କରିଥିଲେ । ନିଜ ଦେଶର ମନ୍ତ୍ରୀଙ୍କ ବୟାନକୁ ନେଇ ମାଲଦୀପ ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଥିଲା । ଏହା ଉକ୍ତ ମନ୍ତ୍ରୀଙ୍କର ବ୍ୟକ୍ତିଗତ ବୟାନ । ମନ୍ତ୍ରୀଙ୍କ ଟିପ୍ପଣୀ ମାଲଦୀପ ସରକାରଙ୍କ ବିଚାରକୁ ପ୍ରତିନିଧିତ୍ୱ କରୁ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ମୋଦୀ ଲାକ୍ଷାଦ୍ୱୀପ ଗସ୍ତ ଅବସରରେ କିଛି ଫଟୋ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ । ଏହି ଅବସରରେ ସେ ଉକ୍ତ ଦ୍ୱୀପ ଭ୍ରମଣରେ ଯିବାକୁ ଭାରତୀୟଙ୍କୁ ଅପିଲ କରିଥିଲେ । ଏହାକୁ ନେଇ ମାଲଦୀପ ମନ୍ତ୍ରୀ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ ।