ପୁଣି ଅଶାନ୍ତ ମଣିପୁର, 5 ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା

ମଣିପୁରରେ ପୁଣି ହିଂସା । ଆଗାମୀ 5 ଦିନ ପାଇଁ 5 ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ ନେଇ ଲାଗୁ ହେଲା କର୍ଫ୍ୟୁ ।

ଇମ୍ଫାଲ: ମଣିପୁରରେ ପରିସ୍ଥିତି ପୁଣି ଗମ୍ଭୀର। ମଣିପୁରର 5 ଜିଲ୍ଲାରେ ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଆଗାମୀ 5 ଦିନ ପାଇଁ 5 ଜିଲ୍ଲାରେ ବନ୍ଦ ରହିବ ଇଣ୍ଟରନେଟ୍ ସେବା । ବିଷ୍ଣୁପୁର ଜିଲ୍ଲାରେ ହିଂସାତ୍ମକ ପ୍ରତିବାଦ ନେଇ ଲାଗୁ ହେଲା କର୍ଫ୍ୟୁ । ମୈତେଇ ନେତାଙ୍କ ଗିରଫଦାରୀ ପରେ ଅନେକ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିବା । ଫଳରେ ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ।

ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ, ଥୌବାଲ, କାକଚିଙ୍ଗ ଏବଂ ବିଷ୍ଣୁପୁର ଅନ୍ତର୍ଭୁକ୍ତ। ଏହି ଜିଲ୍ଲାଗୁଡ଼ିକରେ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି।

ମଣିପୁରରେ ପୁଣି କାହିଁକି ହିଂସା ?

ଏକ ରିପୋର୍ଟ ଅନୁଯାୟୀ, ଟେଙ୍ଗୋଲଙ୍କୁ ମୁକ୍ତ କରିବା ପାଇଁ କ୍ୱାକେଥେଲ ଏବଂ ଉରିପୋକ୍ ଅଞ୍ଚଳରେ ପ୍ରତିବାଦକାରୀମାନେ ରାସ୍ତାରେ ଟାୟାର ଏବଂ ପୁରୁଣା ଫର୍ନିଚର ଜାଳି ପ୍ରତିବାଦ କରିଥିଲେ। ଏହି ସମୟରେ, ମଣିପୁର ଗୃହ ବିଭାଗ କମିଶନର-କମ୍-ସଚିବ ଏନ ଅଶୋକ କୁମାର ଏକ ବିବୃତ୍ତିରେ କହିଛନ୍ତି ଯେ, “ଇମ୍ଫାଲ ପୂର୍ବ, ଇମ୍ଫାଲ ପଶ୍ଚିମ, ଥୌବାଲ, କାକଚିଙ୍ଗ୍ ଏବଂ ବିଷ୍ଣୁପୁର ଜିଲ୍ଲାରେ ଏଭଳି ବିଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କିଛି ଅସାମାଜିକ ବ୍ୟକ୍ତି ସୋସିଆଲ ମିଡିଆର ଅପବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି। ସେମାନେ ଲୋକଙ୍କ ଭାବନାକୁ ଉତ୍ତେଜିତ କରିବା ପାଇଁ ଆପତ୍ତିଜନକ ଚିତ୍ର, ଭାଷଣ ଏବଂ ଉତ୍ତେଜନାମୂଳକ ଭିଡିଓ ପୋଷ୍ଟ କରିପାରନ୍ତି, ଯାହା ରାଜ୍ୟର ପରିସ୍ଥିତିକୁ ଆହୁରି ବିଗାଡ଼ିପାରେ।”

ତେବେ ପରିସ୍ଥିତିକୁ ଦଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି।