fbpx

ରାଜଧାନୀର ଅଳିଆରୁ ତିଆରି ହେଉଛି ଜୈବିକ ଖତ, ଚାଷ ପାଇଁ ସର୍ବୋତ୍ତମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରରୁ ଦୈନିକ ବାହାରୁଛି ବିପୁଳ ଅଳିଆ ଆବର୍ଜନା । ତେବେ ଏହି ବର୍ଜ୍ୟବସ୍ତୁ ମଧ୍ୟରେ ଅନେକ ଅଳିଆକୁ ପୁନଃ ବିନିଯୋଗ କରିବା ଭଳି ସୁଯୋଗ ରହିଛି । ଏହାକୁ ଠିକ୍ ମାର୍ଗରେ ଉପଯୋଗ କରିପାରିଲେ ଗୋଟିଏ ପଟେ ଅପରିଷ୍କାର ହଟିବା ସହ ଅନ୍ୟପଟେ ନୂଆ ପଦାର୍ଥ ଲୋକଙ୍କ କାମରେ ଆସିପାରିବ । ଠିକ୍ ଏଭଳି ରାଜଧାନୀରୁ ବାହାରୁଥିବା ଅଳିଆ ଆବର୍ଜନାରୁ ତିଆରି ହେଉଛି ଜୈବିକ ଖତ । ଏହି କାର୍ଯ୍ୟରେ ଲାଗିଛନ୍ତି କିଛି ଲୋକ ଓ ମିଳିପାରୁଛି ରୋଜଗାର ।

ଦିନକୁ ଦିନ ରାଜଧାନୀର ଚିତ୍ର ବଦଳିବରେ ଲାଗିଛି । ସହରର ଗଳିକନ୍ଦିରେ କଂକ୍ରିଟ ଅଟ୍ଟାଳିକା ଛିଡ଼ା ହେଉଛି ଓ ରାଜଧାନୀର କଳେବରରେ ଗଢ଼ି ଉଠୁଛି କଂକ୍ରିଟ୍ ଜଙ୍ଗଲ । ଫଳରେ ସବୁଠାରୁ ବଡ଼ କଥା ହେଉଛି ଯେଉଁ କିଛି ଚାଷ ଜମି ରହିଛି ତାହା ଏବେ ଉର୍ବରତା ହରାଇବାକୁ ବସିଲାଣି । ଅତ୍ୟଧିକ କଳକାରଖାନା ଓ ରାସାୟନିକ ବସ୍ତୁର ବ୍ୟବହାର ଦ୍ୱାରା ବାୟୁମଣ୍ଡଳ ତଥା ମୃତିକାର ଉର୍ବରତା କମିବାରେ ଲାଗିଛି । ଏହି ସମସ୍ୟାକୁ ଏଡ଼ାଇବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦ୍ୱାରା ପ୍ରସ୍ତୁତ ହୋଇଛି ଖୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର । ବିିଏମସି ୧୮ ନଂ ୱାର୍ଡ ପାଣ୍ଡରା ଅଞ୍ଚଳରେ ରହିଛି ଏହି କେନ୍ଦ୍ର । ସହରରୁ ବାହାରୁଥିବା ସମସ୍ତପ୍ରକାର ବର୍ଜ୍ୟବସ୍ତୁକୁ ନେଇ ଏଠାରେ ବୈଜ୍ଞାନିକ ପଦ୍ଧତିରେ ଜୈବିକ ସାର ପ୍ରସ୍ତୁତ କରାଯାଉଛି । ଯାହା ଲୋକମାନଙ୍କ ଚାଷ କାର୍ଯ୍ୟରେ ସାରର ଆବଶ୍ୟକତାକୁ ପୂରଣ କରିପାରୁଛି ।

ଲୋକମାନଙ୍କ ଦୈନଦିନ ଘରୁ ବାହାରୁଥିବା ଅଳିଆକୁ ବିଏମସି ଗାଡ଼ିରେ ଏଠାକୁ ଅଣାଯାଇ ସେସବୁକୁ ବିଭିନ୍ନ ରାସାୟନିକ ପଦ୍ଧତିରେ ଜୈବିକ ସାର ପ୍ରସ୍ତୁତ କରାଯାଉଛି । ଏହି ସାରକୁ ପ୍ରସ୍ତୁତ କରିବାକୁ ୧ରୁ ୪୫ ଦିନ ସମୟ ଲାଗିଥାଏ । ପରେ ଏହାକୁ ନେଇ ପ୍ୟାକେଟ କରାଯାଇ ସୁଲଭ ଦରରେ ବଜାରରେ ବିକ୍ରି କରାଯାଏ । ସାରକାରଙ୍କ ଏହି ଜଣମଙ୍ଗଳକାରୀ ପ୍ରକଳ୍ପ ଭବିଷ୍ୟତରେ ଜନସାଧାରଣଙ୍କ ଚାଷଜନିତ ଆବଶ୍ୟକକୁ ପୂରଣ କରିବାରେ ନିଶ୍ଚୟ ସଫଳ ହେବ ବୋଲି ସାଧାରଣରେ ଆଶା କରାଯାଉଛି ।

Get real time updates directly on you device, subscribe now.