fbpx
BJD
BJD SKY
BJD SKY

ଡେବିଟ୍ କାର୍ଡ କ୍ଲୋନିଂ ସାଇବର ଠକଙ୍କ ନୂଆ ଅସ୍ତ୍ର, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜ୍ୟରେ ସାଇବର ଠକେଇ ବଢ଼ି ଚାଲିଛି । ପୂର୍ବରୁ ରାଜ୍ୟରେ ହେଉଥିବା ସାଇବର ଠକେଇର ଲିଙ୍କ ରାଜ୍ୟ ବାହାରେ ରହୁଥିବା ବେଳେ ଏବେ ରାଜ୍ୟ ଭିତରର ଠକଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ଦିନକୁ ଦିନ ସାଇବର ଠକେଇ ବଢ଼ିଚାଲିଥିବାରୁ ଠକମାନେ ଡେବିଟ୍ କାର୍ଡ କ୍ଲୋନିଂ କରିପାରନ୍ତି ବୋଲି ସାଇବର ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । ତେଣୁ ଟଙ୍କା ଉଠାଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି ।

ସାଧାରଣତଃ ଡେବିଟ୍ କାର୍ଡର ଡୁପ୍ଲିକେଟ ବା ଅବିକଳ ନକଲକୁ କ୍ଲୋନିଂ କୁହାଯାଇଥାଏ । ପ୍ରଥମେ ଠକମାନେ ଜଣଙ୍କର ଏଟିଏମର ସମସ୍ତ ତଥ୍ୟ ଚୋରାଇ ନେଇଥାନ୍ତି । ପରେ ବ୍ୟାଙ୍କ ଏଟିଏମକୁ ସର୍ପୋଟ କରୁଥିବା ତଥ୍ୟ ଦେଇ ଏକ ନକଲି କାର୍ଡ ପ୍ରସ୍ତୁତ କରିଥାନ୍ତି । ଏହାପରେ ଏହି ନକଲି କାର୍ଡକୁ ବ୍ୟବହାର କରି ଠକମାନେ ଜଣଙ୍କର ଆକାଉଣ୍ଟରୁ ଟଙ୍କା ଉଠାଇବାରେ ସକ୍ଷମ ହୋଇଥାନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଟିଏମ୍ କାର୍ଡର ପଛପାଖରେ ଏକ କଳାରଙ୍ଗର ମ୍ୟାଗନେଟ୍ ଷ୍ଟ୍ରିପ୍ ରହିଥାଏ, ଯେଉଁଥିରେ କି ବ୍ୟାଙ୍କ ଆକାଉଣ୍ଟର ସିକ୍ରେଟ ଡାଟା ରହିଥାଏ । ଠକମାନେ ଏହି ଷ୍ଟ୍ରିପରୁ ତଥ୍ୟ ନେବା ପାଇଁ ସ୍କିମର ମେସିନ୍ ଓ ସିକ୍ରେଟ୍ କ୍ୟାମେରାର ସାହାରା ନେଇଥାନ୍ତି । ପୂର୍ବରୁ ଠକମାନେ ଏଟିଏମ ମେସିନର କାର୍ଡ ପ୍ରବେଶ ସ୍ଥାନରେ ଏକ ମେସିନ୍ ଖଞ୍ଜିଥାନ୍ତି । ଜଣେ ଯେତେବେଳେ ଟଙ୍କା ଉଠାଇବା ପାଇଁ କାର୍ଡକୁ ଏଟିଏମ ମେସିନରେ ପ୍ରବେଶ କରାଏ, ସେତେବେଳେ କାର୍ଡର ଗୁପ୍ତ ତଥ୍ୟ ମେସିନଟି ସଂଗ୍ରହ କରିନେଇଥାଏ । ଏପରିକି ଠକମାନେ ଏଟିଏମ୍ କି-ପ୍ୟାଡରେ ଏକ ଛୋଟ କ୍ୟାମେରା ଲଗାଇ ଆପଣ ପିନ୍ ଟିପିବା କ୍ଷଣି କ୍ୟାମେରାରେ ରେକର୍ଡିଂ କରିନେଇଥାନ୍ତି । ଅନେକ ଠକ ଟଙ୍କା ଉଠାଉଥିବା ଲୋକର ପଛପଟେ ଛିଡ଼ା ହୋଇ ଗୁପ୍ତ କ୍ୟାମେରା ଦ୍ୱାରା ପିନ ନମ୍ବର ମଧ୍ୟ ଚୋରି କରିନେଇଥାନ୍ତି । ବେଳେବେଳେ ଠକମାନେ ସାହାଯ୍ୟ କରିବା ବାହାନାରେ ଜଣଙ୍କର ତଥ୍ୟ ଚୋରାଇ ଆକାଉଣ୍ଟରୁ ଟଙ୍କା ହଡ଼ପ କରିନେଇଥାନ୍ତି ।

ତେବେ ଏଥିରୁ ବର୍ତ୍ତିବା ପାଇଁ ସାଇବର ବିଶେଷଜ୍ଞମାନେ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ କହିଛନ୍ତି । ମେସିନରୁ ଟଙ୍କା ଉଠାଇବା ସମୟରେ ଭଲଭାବେ ନିରୀକ୍ଷଣ କରିବା ଦରକାର । ମେସିନରେ କାର୍ଡ ଭର୍ତ୍ତି କରିବା ପୂର୍ବରୁ ଯଦି ସାମାନ୍ୟ ସନ୍ଦେହ ହୁଏ ବା କାର୍ଡ ଭର୍ତ୍ତି ସ୍ଥାନ ଉଚ୍ଚା, ଅସ୍ୱାଭାବିକ ଲାଗେ, ତେବେ ତୁରନ୍ତ ବ୍ୟାଙ୍କ ସହ ପରାମର୍ଶ କରନ୍ତୁ । ତେଣୁ ଏଟିଏମ ପିନ୍ ଟିପିବା ସମୟରେ ହାତରେ ଲୁଚାଇ ଦିଅନ୍ତୁ, ଫଳରେ କେହି ସିକେଟ୍ ପିନକୁ ଦେଖିପାରିବେ ନାହିଁ । ନିୟମିତ ସମୟ ବ୍ୟବଧାନରେ ଆପଣଙ୍କର କାର୍ଡର ପିନ ନମ୍ବର ପରିବର୍ତ୍ତନ କରିବାକୁ ଭୁଲନ୍ତୁ ନାହିଁ । ଏଟିଏମ ସମ୍ପର୍କିତ କିଛି ସମସ୍ୟା ଥିଲେ କୌଣସି ଅଜଣା, ଅପରିଚିତ ଲୋକଙ୍କ ସହାୟତା ଆଦୌ ନେବା ଅନୁଚିତ ବୋଲି ସାଇବର ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.