fbpx

BJP ଛାଡ଼ୁଛନ୍ତି ଜଣଙ୍କ ପରେ ଜଣେ ବିଧାୟକ: ଶକ୍ତିଶାଳୀ ହେବାରେ ଲାଗିଛନ୍ତି କଂଗ୍ରେସ-JDS, ମୋଦୀ ମ୍ୟାଜିକ ଏକମାତ୍ର ଭରସା

AAKASH

ନୂଆଦିଲ୍ଲୀ: ଆସନ୍ତା ମାସ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ୧୩ ତାରିଖରେ ଫଳାଫଳ ଘୋଷଣା ହେବ । ତେବେ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶରେ ଏବେ ବିରୋଧୀମାନେ ବିଜେପି ବିରୁଦ୍ଧରେ ଏକଜୁଟ ହେବା ନେଇ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଅନ୍ୟପକ୍ଷରେ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭରସାରେ କର୍ଣ୍ଣାଟକ ବୈତରଣୀ ପାର ହେବାକୁ ଯୋଜନା କରିଛି ।

ତେବେ ବିଭିନ୍ନ କାରଣ ପାଇଁ କର୍ଣ୍ଣାଟକ ନିର୍ବାଚନ ଉପରେ ବିଜେପି ଅଧିକ ଫୋକସ କରୁଛି । କର୍ଣ୍ଣାଟକରେ ବିରୋଧୀ କଂଗ୍ରେସ ଓ ଜେଡିଏସ ଫୁଲ ଫର୍ମରେ ରହିଛନ୍ତି । କର୍ଣ୍ଣାଟକର ଜନାଦେଶ ଫାଇନାଲ ମ୍ୟାଚ ଉପରେ ନିଶ୍ଚିତ ଭାବେ ପ୍ରଭାବ ପକାଇବ । ଏପରିକି ୨୨୪ ଆସନ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ଶୋଚନୀୟ ଭାବେ ପରାଜୟ ବରଣ କରିବ ବୋଲି କିଛି ଜାତୀୟ ଗଣମାଧ୍ୟମ ସର୍ଭେ ଆକଳନ କରିଛନ୍ତି । ଗତ ନିର୍ବାଚନରେ ବିଜେପି ରାଜ୍ୟରେ ବହୁମତ ହାସଲରୁ ବଞ୍ଚିତ ହୋଇଥିଲା । ଏବେ ବିଜେପି ନିକଟରେ ୧୨୦, କଂଗ୍ରେସ ନିକଟରେ ୭୨ ଓ ଜେଡିଏସ ନିକଟରେ ୩୦ ଜଣ ବିଧାୟକ ରହିଛନ୍ତି ।

ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାରଙ୍କୁ ଦଳ ଟିକେଟ ଦେଇନାହିଁ । ତେଣୁ ଦଳ ଅତି କମରେ ୨୦-୨୫ଟି ସିଟ ହରାଇପାରେ ବୋଲି ସେ କହିଛନ୍ତି । ଏପରିକି ଜଗଦୀଶଙ୍କୁ ଟିକେଟ ନ ମିଳିବା ଫଳରେ ରାଜ୍ୟର ବିଭିନ୍ନ ନିର୍ବାଚନୀ କ୍ଷେତ୍ରରେ ପ୍ରଭାବ ପଡ଼ିବ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ମଧ୍ୟ କହିଛନ୍ତି । ତେବେ ଏହା ମଧ୍ୟରେ ବିଜେପି ପାଇଁ ପୁଣି ଆସିଛି ଏକ କେଁ । ବିଜେପିର ୪-୫ ଜଣ ବିଧାୟକ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ରେ ସାମିଲ ହେବା ନେଇ ରାଜ୍ୟ ଏନସିପି ଅଧ୍ୟକ୍ଷ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

୨୦-୩୦ଟି ନିର୍ବାଚନ ମଣ୍ଡଳୀରେ ଦଳୀୟ ନେତାଙ୍କ ବିଦ୍ରୋହ ଦେଖିବାକୁ ମିଳିଛି । ତେଣୁ ଏପରି ସ୍ଥିତିରେ ବିଜେପି ପାଇଁ ବହୁମତ ହାସଲ କରିବା କଷ୍ଟକର ହୋଇପଡ଼ିବ ବୋଲି କିଛି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । ଦଳ ଏଥର ୧୨ ଜଣ ବିଧାୟକ, ୨ ଜଣ ବିଧାନ ପରିଷଦ ସଦସ୍ୟ ଓ ୧୨ ଜଣ ପୂର୍ବତନ ବିଧାୟକଙ୍କୁ ଟିକେଟରୁ ବଞ୍ଚିତ କରିଛି । ଯଦି ଦଳୀୟ ବିଦ୍ରୋହୀ ନେତା ସ୍ୱାଧୀନ ଭାବେ ଲଢ଼ନ୍ତି ବା ବିରୋଧୀ ପ୍ରାର୍ଥୀଙ୍କୁ ସହାୟତା ପ୍ରଦାନ କରନ୍ତି ତେବେ ବିଜେପିର ସବୁ ରଣନୀତି ଫେଲ୍ ମାରିପାରେ ।

ଦଳୀୟ ଟିକେଟରୁ ବଞ୍ଚିତ ହୋଇ ଗତ ୧୩ ତାରିଖରେ ବିଜେପି ବିଧାୟକ ନେହରୁ ଓଲେକାର ଦଳରୁ ଇସ୍ତଫା ଦେଇଥିଲେ । ସେହିପରି ପୂର୍ବତନ ଡେପୁଟି ସିଏମ ଲକ୍ଷ୍ମଣ ସାବଡ଼ିଙ୍କୁ ଦଳ ଟିକେଟ ପ୍ରଦାନ ନ କରିବାରୁ ସେ ମଧ୍ୟ ଇସ୍ତଫା ଦେଇଥିଲେ । ବିଜେପି ବିଧାୟକ ଏନ.ୱାଇ ଗୋପାଳକୃଷ୍ଣ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ । ପ୍ରାର୍ଥୀ ଘୋଷଣା ପୂର୍ବରୁ ବରିଷ୍ଠ ନେତା କେ.ଏସ. ଈଶ୍ୱରପ୍ପା ରାଜନୀତିରୁ ଅଚାନକ ସନ୍ନ୍ୟାସ ଘୋଷଣା କରିଥିଲେ । ତାଙ୍କ ପରେ ପରେ ୧୯ ଜଣ ମହାନଗର ନିଗମ ସଦସ୍ୟ, ଜିଲ୍ଲା ଅଧ୍ୟକ୍ଷ, ମେୟର ଓ ଡେପୁଟି ମେୟର ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ ।

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ୫୨ ଜଣ ନୂଆ ଚେହେରାଙ୍କୁ ସୁଯୋଗ ଦେଇଥିବା ବେଳେ ବହୁ ବରିଷ୍ଠ ନେତା ବାଦ୍ ପଡ଼ିଥିଲେ । ତେଣୁ ସେମାନେ ଦଳ ପାଇଁ କଣ୍ଟା ସାଜିବାର ଆଶଙ୍କା ରହିଛି । ନିର୍ବାଚନ ପୂର୍ବରୁ ଅନେକ ବିଜେପି ନେତା ଦଳ ଛାଡ଼ୁଥିବା ବେଳେ ସେମାନେ କଂଗ୍ରେସ କିମ୍ବା ଜେଡିଏସ ହାତ ଧରିବାର ସମ୍ଭାବନା ରହିଥିବାରୁ ଏପରି ସ୍ଥିତିରେ ବିରୋଧୀ ଅଧିକ ଶକ୍ତିଶାଳୀ ହୋଇ ଉଠିବ । ସେହିପରି କେନ୍ଦ୍ର ସରକାର ବିରୋଧୀଙ୍କ ଉପରେ କେନ୍ଦ୍ରୀୟ ଏଜେନ୍ସିର ଦୁରୂପଯୋଗ କରୁଥିବା ନେଇ ସାରା ଦେଶରେ ବିରୋଧୀମାନେ ନାରା ଦେଉଛନ୍ତି । ଅନ୍ୟ ପକ୍ଷରେ ସାଂସଦ ପଦ ହରାଇବା ପରେ ବରିଷ୍ଠ କଂଗ୍ରେସ ନେତାଙ୍କ ଲୋକପ୍ରିୟତାରେ ସାମାନ୍ୟ ବୃଦ୍ଧି ଘଟିଛି । ସାରା ଦେଶରେ କଂଗ୍ରେସ ଶିବିର ପୁଣି ଥରେ ସକ୍ରିୟ ହୋଇ ଉଠିଛି । ତେଣୁ କିଛି ସହାନୁଭୂତି ଜନିତ ଭୋଟ କଂଗ୍ରେସ ଖାତାକୁ ଯାଇପାରେ ।

Get real time updates directly on you device, subscribe now.