fbpx
BSKY SKY
BSKY SKY

କର୍ତ୍ତବ୍ୟ ଆଗରେ ନିରବି ଗଲେ ଯୋଦ୍ଧା, ତିରଙ୍ଗାରେ ଫେରିଲା ପାର୍ଥିବ ଶରୀର

BSKY

ଓଡ଼ିଶା ଭାସ୍କର ବ୍ୟୁରୋ: ସେ କହିଥିଲେ ଜାନୁଆରୀରେ ଛୁଟିରେ ଆସିବେ । ହେଲେ ସେ ମୋତେ ଠକିଦେଲେ… ଫେରିଲେ କିନ୍ତୁ କିଛି କହୁନଥିଲେ । ଅନବରତ ଲୁହ ଝରାଉଥିବା ଜଣେ ଯୋଦ୍ଧାଙ୍କ ବଳିଦାନ ପରେ ତାଙ୍କ ସ୍ତ୍ରୀ ଦେଇଛନ୍ତି ଏଭଳି କୋହଭରା ମତ ।

ଯେଉଁ ଗାଁ ଲୋକ ତାଙ୍କ ଫେରିବା ବାଟକୁ ଚାହିଁ ରହୁଥିଲେ, ଆଉ ଯାହାଙ୍କୁ ଦେଖି ସମସ୍ତଙ୍କ ଛାତି ଗର୍ବରେ ଫାଟି ପଡୁଥିଲା, ସେ ଫେରିଲେ ସହିଦ ହୋଇ । ତିରଙ୍ଗାରେ ଢାଙ୍କିହୋଇ ରହିଥିଲା ତାଙ୍କ ପାର୍ଥିବ ଶରୀର । ଆର୍ମି ପୋଷାକରେ ଥିବା ଯବାନମାନେ କାନ୍ଧରେ ବୋହି ଆଣିଥିଲେ ସହିଦ ବିଭୂତି ଭୂଷଣ ନାୟକଙ୍କୁ । ନିସ୍ତବ୍ଧ ହୋଇ ଯାଇଥିଲା ପରିବେଶ । ସବୁ ଛୁଟିରେ ଗାଁକୁ ହସହସ ମୁହଁରେ ଆସୁଥିବା ବିଭୂତି କାହିଁକି ଚୁପଚାପ୍ ତିରଙ୍ଗା ଘୋଡ଼ିହୋଇ ଶୋଇରହିଥିଲେ । ଏକଥା ପରିବାର ସମେତ ଗାଁ ଲୋକଙ୍କୁ ଅଥୟ କରିପକାଉଥିଲା । ଥମି ନଥିଲା କୋହ ଆଉ ଲୁହ, କିନ୍ତୁ ସହିଦଙ୍କ ଜୟ ଜୟ କାରରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହେଉଥିଲା ।

୧୯୬୯ ଜୁନ ୧୫ରେ ସ୍ୱର୍ଗତ ବିମ୍ବାଧର ନାୟକ ଓ ମାତା ସାଇତା ନାୟକଙ୍କ କୋଳ ମଣ୍ଡନ କରିଥିଲେ ବିଭୂତି ଭୂଷଣ ନାୟକ । ରାଜକନିକାର କନିକା ହାଇସ୍କୁଲରେ ମାଟ୍ରିକ ପାସ୍ ପରେ ରାଜକନିକା ଏସଏନ୍ କଲେଜରେ ଯୁକ୍ତଦୁଇ ସମାପ୍ତ କରିଥିଲେ ବିଭୂତି । ଏହାପରେ ଦେଶ ମାତୃକାର ସେବା ମନୋଭାବରେ ଭାରତୀୟ ସ୍ଥଳସେନାରେ ୱାରେଣ୍ଟ ଅଫିସର ଭାବେ ୪୪ ଆସାମ ରାଇଫଲରେ ସେ ନିଯୁକ୍ତ ହୋଇଥିଲେ । ସର୍ବଦା କର୍ତ୍ତବ୍ୟକୁ ଅଗ୍ରାଧିକାର ଦେଉଥିବା ବିଭୂତି ଭୂଷଣ ନିଜ ରେଜିମେଣ୍ଟରେ ଥିଲେ ସମସ୍ତଙ୍କ ଖୁବ୍ ପ୍ରିୟ । ୧୯୮୮ରୁ ନିରବଚ୍ଛିନ୍ନ ଭାବେ ୩୨ ବର୍ଷ କାଳ ସେ ସର୍ବଦା ସଜାଗ ହୋଇ ଦେଶର ଢାଲ ସାଜିଥିଲେ । ୨୪ ନଭେମ୍ବର ୨୦୨୦ ମଣିପୁରରେ ଏକ ସର୍ଚ୍ଚ ଅପରେସନ ଲାଗି ପାଟ୍ରୋଲିଂ କରୁଥିବା ସମୟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରୁ ତଳକୁ ଖସି ପଡ଼ିଥିଲା । ଫଳରେ ଘଟଣା ସ୍ଥଳରେ ହିଁ ସହିଦ ହୋଇଯାଇଥିଲେ ବିଭୂତି ଭୂଷଣ ନାୟକ । ଆଉ ଦେଶ ସେବାର ସ୍ୱର୍ଣ୍ଣିମ ଇତିହାସରେ ଯୋଡ଼ି ହୋଇଯାଇଥିଲା ପୁଣି ଏକ ବୀର ଯବାନଙ୍କ ନାମ ।

ବର୍ତ୍ତମାନ ସହିଦଙ୍କ ପରିବାରରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଆଉ ପୁଅ ବିଶ୍ୱଜିତ୍ । ସହିଦ ବିଭୂତିଙ୍କୁ ଖୁବ୍ ଝୁରୁଛନ୍ତି । ଏକୁଟିଆ ଏତେବଡ଼ ସଂସାରରେ କିପରି ପୁଅକୁ ମଣିଷ କରିବେ ଏବେ ସେ ସେଇ ଚିନ୍ତାରେ । ହେଲେ ଆଜିବି ପ୍ରତି ମୁହୂର୍ତ୍ତରେ ଗର୍ବ ଅନୁଭବ କରନ୍ତି ଯେ ସେ ସହିଦ ବିଭୂତି ଭୂଷଣ ନାୟକଙ୍କ ସ୍ତ୍ରୀ ବୋଲି । ଜନ୍ମମାଟିରେ ନିଜ ଗାଁ ଲୋକଙ୍କ ଉପସ୍ଥିତିରେ ପଞ୍ଚଭୂତରେ ବିଲୀନ ହୋଇଗଲା ସହିଦ ବିଭୂତି ଭୂଷଣ ନାୟକଙ୍କ ପାର୍ôଥବ ଶରୀର। କିନ୍ତୁ ଆଠ ମାସ ବିତିଯାଇଥିଲେ ସୁଦ୍ଧା ମେଘପୁର ଓ ତେନ୍ତୁଳିପୁର ଗାଁ ଲୋକେ ଭାରତ ମାତାର ସେବା କରି ନିଜ ପ୍ରାଣକୁ ବଳି ଦେଇଥିବା ବୀର ଯବାନ ବିଭୂତିଙ୍କୁ ଆଜିବି ଝୁରୁଛନ୍ତି ଏଇ ଗାଁ । ଝୁରୁଛି ଗାଁର ପାଣି ପବନ ଆଦି ଚାରିଦିଗ । ସବୁଠି ବିଭୂତିଙ୍କ ଯୋଦ୍ଧାର ବିଭୂଷଣ ଆଉ ସ୍ମୃତି ସମ୍ମାନ ।

ନିଷ୍ଠାପର ଭାବେ ଲାଇନ୍ ଅଫ୍ ଡ୍ୟୁଟିରେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ସହିଦ ହୋଇଥିବା ବିଭୂତି ଭୂଷଣ ନାୟକଙ୍କୁ ନତ ମସ୍ତକ ହୋଇ ପ୍ରଣାମ କରୁଛି ଓଡ଼ିଶା ଭାସ୍କର ପରିବାର । ଆସନ୍ତା ସ୍ୱାଧୀନତା ଦିବସ ତଥା ୧୫ ଅଗଷ୍ଟରେ ‘ଓଡ଼ିଶା ଭାସ୍କର’ ସମ୍ମାନିତ କରିବ ଏହି ବରପୁତ୍ର ଏବଂ ତାଙ୍କ ପରିବାରକୁ ‘ମା ତୁଝେ ସଲାମ’ କାର୍ଯ୍ୟକ୍ରମରେ । ସହିଦ ସହିଦ ବିଭୂତି ଭୂଷଣ ନାୟକ ସର୍ବଦା ଅମର ।
ଜୟ ହିନ୍ଦ୍… ବନ୍ଦେ ମାତରଂ…

Get real time updates directly on you device, subscribe now.