fbpx
BJD
BJD SKY
BJD SKY

କୃଷ୍ଣଙ୍କ ବାଟ ଚାହିଁ ବସିଛି ମା’, ସ୍ତ୍ରୀ କାନ୍ଦୁଛି ଗୁମୁରି ଗୁମୁରି

ଓଡ଼ିଶା ଭାସ୍କର ବ୍ୟୁରୋ: ଜଣେ ସୈନିକର ଲଢ଼େଇର ଅନ୍ତ ନଥାଏ । ତା ପାଇଁ ଯିଏ ଘରେ ଆଉ ସମାଜରେ ସୁରକ୍ଷିତ, ସେ ବଞ୍ଚିରହେ ପ୍ରତିଟି ମୁହୂର୍ତ୍ତ ସେମାନଙ୍କ ହୃଦୟରେ । ଶରୀର ହୁଏତ ମଳିନ ପଡ଼ିଯାଏ ସମୟ ସନ୍ଧିରେ କିନ୍ତୁ ଯବାନ ଚିର ଅମ୍ଳାନ । ସେହିପରି ଜଣେ ଯବାନଙ୍କ ଅମ୍ଳାନ ଗାଥା ।

ଆଜିବି ମା’ ଚାହିଁ ବସିଛନ୍ତି ପୁଅର ଫେରିବା ବାଟକୁ, ସ୍ତ୍ରୀ ଗୁମୁରି ଗୁମୁରି କାନ୍ଦୁଛନ୍ତି ସ୍ୱାମୀଙ୍କ ଫୋଟୋକୁ ଧରି । ବାପାଙ୍କ ଅଭାବ ପିଲାମାନେ ପ୍ରତିଟି ମୁହୂର୍ତ୍ତରେ ଅନୁଭବ କରନ୍ତି । ଆଉ ପୁଅର ଅନୁପସ୍ଥିତିରେ ବାପା ଅସହାୟ ବି ଅନୁଭବ କରନ୍ତି ହେଲେ ନିଜକୁ ସମ୍ଭାଳି ନିଅନ୍ତି ।

ଏହା ହେଉଛି ସହିଦ ସୁବେଦାର୍ କୃଷ୍ଣ ଚନ୍ଦ୍ରଙ୍କ ପରିବାରଙ୍କ କଥା । ୧୯୭୨ ମେ ୧୬ରେ ପିତା ହନୁମାନ ପଣ୍ଡା ଓ ମାତା ବାସନ୍ତୀ ପଣ୍ଡାଙ୍କ କୋଳମଣ୍ଡନ କରିଥିଲେ କୃଷ୍ଣ ଚନ୍ଦ୍ର । ଗଞ୍ଜାମ ଜିଲ୍ଲା ଚିକିଟି ପେଣ୍ଠର ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସେ । ପ୍ରଥମେ ୧୯୯୨ ଜୁନ୍ ପହିଲାରେ ସିକନ୍ଦରାବାଦରେ ଜତୀୟ ସମର ବାହିନୀରେ ଯୋଗ ଦେଇଥିଲେ କୃଷ୍ଣ ଚନ୍ଦ୍ର । ଜଣେ ଦକ୍ଷ ଅଫିସର ଭାବେ କର୍ତ୍ତବ୍ୟନିଷ୍ଟ ସୁବେଦାର୍ କୃଷ୍ଣ ଚନ୍ଦ୍ର ନିଜ ରେଜିମେଣ୍ଟ ଏବୋଉଁ କ୍ୟାଡର୍ ଅଫିସରମାନଙ୍କ ମଧ୍ୟରେ ଖୁବ୍ ପ୍ରିୟ ଥିଲେ । ୨୦୧୦ରେ ଜଣେ ପାରା କମାଣ୍ଡୋ ଭାବେ ସେ ହିମ ଗ୍ଲେସିୟରରେ ପୋଷ୍ଟିଂ ପାଇଥିଲେ । ପ୍ରତିଟି ପ୍ରତିକୂଳ ପରିସ୍ଥିତିରେ ଚଟାଣ ସଦୃଶ ଦୃଢ଼ ହୋଇ ଦେଶ ମାତୃକା ସେବା ପାଇଁ ଠିଆ ହୋଇଥିଲେ । ବର୍ବର ପାକିସ୍ତାନ ସହ ହୋଇଥିବା ୧୯୯୯ ମସିହା କାରଗିଲ ଯୁଦ୍ଧରେ ବୀର ସୈନିକ ରୂପେ ସେ ଶତ୍ରୁ ହୃଦୟରେ ଆତଙ୍କ ସୃଷ୍ଟି କରିଥିଲେ । ୨୦୦୧ ମସିହା ଜମ୍ମୁ-କଶ୍ମୀରରେ ଅପରେସନ ରକ୍ଷକରେ ସାମିଲ ହୋଇ ଆତଙ୍କବାଦୀଙ୍କୁ ଭାରତର ପବିତ୍ର ମାଟିରେ ଅନୁପ୍ରବେଶରୁ ପ୍ରତିହତ କରିଥିଲେ । ଦେଶର ସୁରକ୍ଷା ଆଉ ବଳିଦାନ ପାଇଁ ସର୍ବଦା ସଜାଗ ୩୧-ରାଷ୍ଟ୍ରୀୟ ରାଇଫଲରେ ଜଣେ ଦକ୍ଷ କମାଣ୍ଡର ଭାବେ ନିଜ ନିଷ୍ଠାପର ସେବା ପ୍ରଦାନ କରିଥିଲେ ସୁବେଦାର୍ କୃଷ୍ଣ ଚନ୍ଦ୍ର ପଣ୍ଡା । ଏହା ପରେ ପରେ ୨୦୧୪ରେ କଙ୍ଗୋରେ ସୁବେଦାର୍ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଅବସ୍ଥାପିତ କରାଯାଇଥିଲା ମନୁସ୍କୋ (Monusco) ମିସନରେ । ସେଦିନ ଥିଲା ୮ ଫେବ୍ରୁଆରି ୨୦୨୧, ଆସାମରେ ଅପରେସନ ରାହିନୋ ଫାୟାରିଙ୍ଗ ଟ୍ରେନିଂ ଚାଲିଥିବା ସମୟରେ, ଭାରତୀୟ ଆର୍ମିର ଦାୟିତ୍ୱ ସମ୍ପାଦନ କରୁଥିବା ସୁବେଦାର କୃଷ୍ଣ ଚନ୍ଦ୍ର ଏକ ଦୁର୍ଘଟଣା ଶିକାର ହୋଇଥିଲେ । ଆଉ ଏହି ଖବର କ୍ଷୀପ୍ର ବେଗରେ ଆସି ତାଙ୍କ ଜନ୍ମ ମାଟିରେ ପହଞ୍ଚିଗଲା ।

Sahid Jawan's Family

ସ୍ତବ୍ଧ ହୋଇଗଲେ ସମସ୍ତେ । ସମଗ୍ର ଅଞ୍ଚଳ ଶୋକରେ ଆତୁର ହୋଇଉଠିଲେ । କାହାରି ମୁଖରୁ ଆଉ ଶବ୍ଦ ବାହାରିଲା ନାହିଁ । ମାଟି, ପାଣି, ପବନ, ଧୂଳିକଣା ଆଦି ସବୁକିଛି ଅଟକିଗଲା । ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ବାହାରୁ ଥାଏ “ଆହାଃ ଭଲ ମଣିଷଟାକୁ ଭଗବାନ ନେଇଗଲେ!’ ସତରେ ଭଗବାନ ଏଡ଼େ ନିଷ୍ଟୁର, ଏଡ଼େ ନିର୍ଦୟ ସେହି ପରିବାରଟାକୁ ଦୁଃଖର ସାଗରରେ ଭସେଇ ଦେଇଗଲେ । ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ସୁବେଦାର୍ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ଜନ୍ମମାଟିରେ ଶେଷ ବିଦାୟ ଦିଆଗଲା । ସ୍ୱାମୀଙ୍କ ଉପସ୍ଥିତି ସବୁବେଳେ ଅନୁଭବ କରନ୍ତି ସ୍ତ୍ରୀ ଗୀତାଞ୍ଜଳି ଆଉ ପିଲାମାନେ । ଖାଲି ପରିବାର କାହିଁକି ଅଞ୍ଚଳବାସୀ ଆଜିବି ସହିଦ ସୁବେଦାର୍ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କୁ ମନେ ପକାଇ ଗର୍ବ ଅନୁଭବ କରନ୍ତି । ପୁଅକୁ ଦେଶ ପାଇଁ ଉତ୍ସର୍ଗ କରିଥିବା ପୂଜ୍ୟ ମା’-ବାପା ଦୃଦୟର କୋହକୁ ଚାପି ରଖିଛନ୍ତି ।

ପଞ୍ଚଭୂତରେ ଲୀନ ହୋଇଛନ୍ତି ସହିଦ ସୁବେଦାର୍ କୃଷ୍ଣ ଚନ୍ଦ୍ର ପଣ୍ଡା ହେଲେ ଦେଶ ମାତୃକା ପାଇଁ ତାଙ୍କ ବଳିଦାନ ଅତୁଳନୀୟ ହୋଇ ରହିଛି । ଓଡ଼ିଶା ଭାସ୍କର ପରିବାର ପକ୍ଷରୁ ଆମେ ସଲାମ କରୁଛୁ ସହିଦ ସୁବେଦାର୍ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ତ୍ୟାଗ ଓ ବଳିଦାନକୁ । ଏଥିସହ ଶତ ସମ୍ମାନ ଜଣାଉଛୁ ତାଙ୍କ ପରିବାରର ତ୍ୟାଗକୁ । ଆସନ୍ତା ୧୫ ଅଗଷ୍ଟ ସ୍ୱାଧୀନତା ଦିବସରେ ‘ଓଡ଼ିଶା ଭାସ୍କର’ ସମ୍ମାନିତ କରିବ ଏହି ବରପୁତ୍ରଙ୍କୁ ଏବଂ ତାଙ୍କ ପରିବାରକୁ- ମା’ ତୁଝେ ସଲାମ ମାଧ୍ୟମରେ । ସହିଦ ସୁବେଦାର୍ କୃଷ୍ଣ ଚନ୍ଦ୍ର ପଣ୍ଡା ଅମର ରହିବେ ଆମ ସ୍ମୃତିରେ । ଜୟ ହିନ୍ଦ୍ ।

Get real time updates directly on you device, subscribe now.