fbpx

ଲେଉଟିଲା କରୋନା: ପୁଣି ମାସ୍କ ହୋଇପାରେ ବାଧ୍ୟତାମୂଳକ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଡକାଇଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ: କିଛିଦିନର ନିରବତା ପରେ ପୁଣି ଫେରିଛି କରୋନା ସଂକ୍ରମଣ । ଚୀନ ସମେତ ୧୦ରୁ ଅଧିକ ରାଷ୍ଟ୍ରରେ ଏହା ମଧ୍ୟରେ ସଂକ୍ରମଣ ହାର ଉପରମୁହାଁ ଦେଖିବାକୁ ମିଳିଛି । ଗତ ଏକ ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ୧୦ ହଜାର ମୃତ୍ୟୁ ଘଟିଥିବା ବେଳେ ସଂକ୍ରମଣ ୩୬ ଲକ୍ଷ ଟପିଛି । ତେଣୁ ଏଭଳି ସ୍ଥିତିରେ ଗତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କ ପାଇଁ କରୋନା ସତର୍କତା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ତେବେ ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତରେ ପୁଣି ଥରେ ମାସ୍କ ବାଧ୍ୟତାମୂଳକ କରାଯାଇପାରେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କରୋନା ସ୍ଥିତିକୁ ନେଇ ଏକ ବୈଠକ ବସିଛି । ତେଣୁ ଉକ୍ତ ବୈଠକରେ କୋଭିଡ୍ ସଂକ୍ରମଣ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ସାର୍ବଜନିକ ସ୍ଥାନ, କାର୍ଯ୍ୟାଳୟ ଓ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇପାରେ । ତେବେ ଯଦି ଏଭଳି କିଛି କଠୋର କଟକଣା ଲାଗୁ ହୁଏ, ତେବେ ଜନସାଧାରଣଙ୍କୁ ପୁଣି କୋଭିଡ୍ ଗାଇଡଲାଇନ୍ ମାନିବାକୁ ପଡ଼ିବ ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨,୫୭୮, ଜାପାନରେ ୭୨,୨୯୭, ଜର୍ମାନୀରେ ୫୫,୦୧୬, ବ୍ରାଜିଲରେ ୨୯,୫୭୯, ଦକ୍ଷିଣ କୋରିଆରେ ୨୬,୬୨୨, ଫ୍ରାନ୍ସରେ ୮,୨୧୩, ତାଇୱାନରେ ୧୦,୩୫୯, ରୁଷରେ ୬,୩୪୧ଟି କେସ୍ ମିଳିଥିଲା । ଗତ ୭ ଦିନ ମଧ୍ୟରେ ୧୦ ହଜାର ଲୋକ ପ୍ରାଣ ହରାଇବା ସହ ସାରା ବିଶ୍ୱରେ ୩୬,୩୨,୧୦୯ ମାମଲା ସାମ୍ନାକୁ ଆସିଥିଲା । ଚୀନ ସହିତ ଆର୍ଜେଣ୍ଟିନା, ବ୍ରାଜିଲ ଓ ଜାପାନରେ ସଂକ୍ରମଣ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଥିଲା ।

ଗତ ୭ ଦିନରେ ଜାପାନରେ ୧୬୭୦, ଆମେରିକାରେ ୧୬୦୭, ଦକ୍ଷିଣ କୋରିଆରେ ୩୩୫, ଫ୍ରାନ୍ସରେ ୭୪୭, ଜର୍ମାନୀରେ ୮୬୮, ହଂକଂରେ ୨୨୬, ତାଇୱାନରେ ୨୦୩, ଇଟାଲିରେ ୩୯୭ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୦, ଫ୍ରାନ୍ସରେ ୧୭୮, ଜର୍ମାନୀରେ ୧୬୧, ବ୍ରାଜିଲରେ ୧୪୦, ଜାପାନରେ ୧୮୦ ଜଣ ପ୍ରାଣ ହରାଇଥିଲେ । ଚୀନରେ କରୋନା ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ଅନ୍ୟ ଦେଶମାନଙ୍କରେ ମଧ୍ୟରେ ବିସ୍ଫୋରଣ ଦେଖିବାକୁ ମିଳିଛି । ଚୀନରେ ହସ୍ପିଟାଲରେ ବେଡ୍ ଅଭାବ ଦେଖାଦେଇଥିବା ବେଳେ ଡାକ୍ତର ଓ ନର୍ସଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।

Get real time updates directly on you device, subscribe now.