fbpx

ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ପ୍ରତିକ୍ରିୟା, ଗଠନ ହେବ ସ୍ୱତନ୍ତ୍ର ବିଶେଷଜ୍ଞ କମିଟି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଯୁକ୍ତ ୨ ପରୀକ୍ଷା ମୁଲ୍ୟାୟନ ନେଇ ଆଜି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ମୂଲ୍ୟାୟନ ନେଇ ୧୫ ଦିନ ଭିତରେ ବିଶିଷ୍ଟ ଶିକ୍ଷାବିତ ଓ CHSE କର୍ତ୍ତୃପକ୍ଷଙ୍କୁ ନେଇ ବିଶେଷଜ୍ଞ କମିଟି ଗଠନ କରାଯିବ । ସ୍ଥିତିକୁ ଅନୁଧ୍ୟାନ କରିବା ପରେ ପରୀକ୍ଷାଫଳ ମୂଲ୍ୟାୟନ କରାଯିବା ନେଇ କମିଟି ତର୍ଜମା କରିବ । ମୂଲ୍ୟାୟନ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ବିଚାର କରିବ କେମିତି ମୂଲ୍ୟାୟନ କରାଯିବ । CBSE ଓ ICSEର ମୂଲ୍ୟାୟନ ପଦ୍ଧତିକୁ ମଧ୍ୟ ଅନୁଧ୍ୟାନ କରିବ ବିଶେଷଜ୍ଞ କମିଟି । CBSE ଓ ICSEର ପରୀକ୍ଷାଫଳ ସମୟରେ CHSE, ଯୁକ୍ତ ୨ ଫଳ ମଧ୍ୟ ପ୍ରକାଶ ପାଇବ ।

ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ଯୁକ୍ତ ୨ ମୂଲ୍ୟାୟନ ନେଇ ଯେତେ ପ୍ରକାର ପ୍ରସଙ୍ଗ ରହିଛି, ସବୁଗୁଡ଼ିକୁ ତର୍ଜମା କରାଯିବ । କରୋନାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ ଘୋଷଣା କରିଥିଲେ । ସରକାର ପରୀକ୍ଷା ବାତିଲ କରିବା ସହିତ ବିଶେଷଜ୍ଞ କମିଟିର ପରାମର୍ଶ ଅନୁଯାୟୀ ମୂଲ୍ୟାୟନ କରାଯିବ ବୋଲି ଘୋଷଣା କରିଥିଲେ । ତେବେ ଯେଉଁ ଛାତ୍ରଛାତ୍ରୀ ସେମାନଙ୍କ ମୂଲ୍ୟାୟନରେ ଅସନ୍ତୁଷ୍ଟ ହେବେ, ସେମାନେ ପରୀକ୍ଷା ଦେଇପାରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କରୋନା ସ୍ଥିତି ସୁଧୁରିବା ପରେ ସେମାନେ ପରୀକ୍ଷା ଦେଇପାରିବେ । ପରିସ୍ଥିତିକୁ ଦେଖି କେବେ ପରୀକ୍ଷା କରାଯିବ, ତାହା ସିଏଚ୍ଏସ୍ଇ କର୍ତ୍ତୃପକ୍ଷ ସ୍ଥିର କରିବେ ।

Get real time updates directly on you device, subscribe now.