fbpx

‘ରେମାଲ’ ପ୍ରଭାବରେ ଉତ୍ତର-ପୂର୍ବ ଭାରତରେ ବ୍ୟାପକ କ୍ଷୟକ୍ଷତି; ୪ରାଜ୍ୟରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ସାମୁଦ୍ରିକ ଝଡ଼ ‘ରେମାଲ’ରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମିଜୋରାମରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ବୁଧବାର ସନ୍ଧ୍ୟାରେ ଆଇଜୋଲ ଆଖପାଖ ଅଞ୍ଚଳରେ ବ୍ୟାପକ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି। ମିଜୋରାମ ରାଜ୍ୟ ବିପର୍ଯ୍ୟୟ ପ୍ରଶାସନ ବୁଧବାର ଏକ ବିବୃତ୍ତିରେ କହିଛି ଯେ ଏହି ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା ୨୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୭ ଜଣ ଏବେ ବି ନିଖୋଜ ଅଛନ୍ତି।

ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ମୋଟ ୧୨ଟି ଅଞ୍ଚଳରେ ଧନଜୀବନ ହାନି ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମେଲଥହାମ ଅଞ୍ଚଳର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୧୦ରୁ ଅଧିକ ଲୋକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିପର୍ଯ୍ୟୟ ପ୍ରଶାସନର ଜଣେ ଅଧିକାରୀ କହିଛନ୍ତି ଯେ ଏହି ସବୁ ଅଞ୍ଚଳରେ ଏବେ ବି ଖୋଜାଖୋଜି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉଦ୍ଧାରକାରୀ ଦଳ ଆଜି (ବୁଧବାର) ଦୁଇଟି ମୃତଦେହ ଉଦ୍ଧାର କରିଛନ୍ତି।

ପବନ ସହ ବର୍ଷା ଯୋଗୁଁ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ଅନେକ ସ୍ଥାନରେ ବିଦ୍ୟୁତ୍ ଓ ଇଣ୍ଟରନେଟ୍ ସେବା ବାଧାପ୍ରାପ୍ତ ହୋଇଛି। ନାଗାଲାଣ୍ଡରେ ଅଲଗା ଅଲଗା ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ରାଜ୍ୟର ଓଖା ଓ ଫେକ୍ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ୪୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଏହା ପୂର୍ବରୁ ମଙ୍ଗଳବାର ଆସାମରେ ଗଛ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ଯେ ସୋନିତପୁର ଜିଲ୍ଲାର ଢେକିଆଜୁଲିଠାରେ ଏକ ସ୍କୁଲ ବସ୍ ଉପରେ ଗଛ ପଡ଼ି ୧୨ ଜଣ ଛାତ୍ର ଆହତ ହୋଇଛନ୍ତି।

ମୋରିଗାଓଁ ଜିଲ୍ଲାରେ ପୃଥକ ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ସେପଟେ ମେଘାଳୟ ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨ ଜଣଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ପୂର୍ବ ଜୟନ୍ତିଆ ହିଲ୍ସ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ପୂର୍ବ ଖାସି ହିଲ୍ସ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମଣିପୁରର ରାଜଧାନୀ ଇମ୍ଫାଲରେ ସାମୁଦ୍ରିକ ଝଡ଼ ବ୍ୟାପକ କ୍ଷୟକ୍ଷତି ଘଟାଇବାର ଦିନକ ପରେ ଏବେ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Get real time updates directly on you device, subscribe now.