ନୂଆଦିଲ୍ଲୀ: ରେଲୱେ ଷ୍ଟେସନରେ ଯାତ୍ରା କରିବାକୁ ଅପେକ୍ଷା କରିଥିଲେ ଶହ ଶହ ଯାତ୍ରୀ । କିନ୍ତୁ ଏହି ଅପେକ୍ଷା ଏକ ଭୟାନକ ରୂପ ନେଇଛି । ପ୍ଲାଟଫର୍ମରେ ଶହ ଶହ ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ରହିଥିବା ବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି । ଫଳରେ ଘଟଣାସ୍ଥଳରେ ୨୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଷ୍ଟେସନରେ ଲାଗିଥିବା ସିସିଟିଭିରେ ଏହି ଘଟଣାର ଏକ ଭିଡିଓ ରେକର୍ଡ ହୋଇଛି । ଏହି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଭିଡିଓରେ ଦେଖାଯାଇଛି ଯେ, ଏକ ରେଲୱେ ଷ୍ଟେସନରେ ଯାତ୍ରୀମାନେ ଟ୍ରେନକୁ ଅପେକ୍ଷା କରି ରହିଥିଲେ । କିନ୍ତୁ ଅଚାନକ ସେଠାରେ ଏକ ଭୟଙ୍କର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ସାରା ଅଞ୍ଚଳରେ ନିଆଁ ଖେଳିଯାଇଛି । କେହି କିଛି ବୁଝିବା ପୂର୍ବରୁ ଷ୍ଟେସନର ଚାତ ଭାଙ୍ଗିଯିବା ସହିତ ପ୍ଲାଟଫର୍ମ ମଧ୍ୟ ଭୁଶୁଡ଼ି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ଏହାବ୍ୟତୀତ ୬୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ଆହତ ମାନଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସମସ୍ତଙ୍କୁ ଉଦ୍ଦାର କରି ମେଡିକାଲ ପଠାଯାଇଛି । ସେପଟେ ଏହି ବିସ୍ଫୋରଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ । ତେବେ ଏହି ମାମଲାର ତଦନ୍ତ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।
ସୂଚନା ଥାଉ କି, ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର କ୍ୱେଟା ରେଲୱେ ଷ୍ଟେସନରେ ଏଭଳି ଏକ ଭୟଙ୍କର ଘଟଣା ଘଟିଯାଇଛି । ଏହାର ଉତ୍ତର-ପଶ୍ଚିମରେ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଏବଂ ଦକ୍ଷିଣରେ ବିଚ୍ଛିନ୍ନତାବାଦୀ ବିଦ୍ରୋହ ସହ ପାକିସ୍ତାନ ମୁକାବିଲା କରୁଛି। କ୍ୱେଟା ଏସଏସପି ମହମ୍ମଦ ବାଲୋଚ କହିଛନ୍ତି, ‘ଏକ୍ସପ୍ରେସ ପେଶୱାର ଅଭିମୁଖେ ଯାଉଥିବା ବେଳେ ରେଳ ଷ୍ଟେସନ ଭିତରେ ଏହି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣ ପାଇଁ ବାଲୁଚ ଲିବରେସନ ଆର୍ମି ଦାୟିତ୍ୱ ଗ୍ରହଣ କରିଛି। ବାଲୁଚ ଲିବରେସନ ଆର୍ମି (BLA) କହିଛି ଯେ ଷ୍ଟେସନ ଛାଡିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜାଫର ଏକ୍ସପ୍ରେସ ଟ୍ରେନରେ ଥିବା ସାମରିକ କର୍ମଚାରୀଙ୍କୁ ଏହି ଆକ୍ରମଣ କରାଯାଇଥିଲା।