fbpx

ମାତାଲ ଯୁବକ ରାସ୍ତାରେ ବୁଲାଇଲେ ଖଣ୍ଡା, ଭାଙ୍ଗିଲେ ଗଜଲକ୍ଷ୍ମୀ ମଣ୍ଡପର ହାତୀର ମୁଣ୍ଡ: ଗୁରୁତର ଦଫାରେ ମାମଲା ରୁଜୁ କଲା ପୋଲିସ

ନିମାପଡ଼ା, (ଭାସ୍କର ନ୍ୟୁଜ୍‌) : ନିମାପଡ଼ା ଗ୍ରାମରେ ଯୁବକଙ୍କ ଆତଙ୍କ । ପୂଜା କମିଟି ଆସବାବପତ୍ର ଭଙ୍ଗାରୁଜା, ପୂଜା ମଣ୍ଡପର ହାତୀର ମୁଣ୍ଡକୁ ବାଡ଼େଇ ଭାଙ୍ଗିବା ଓ ସଦସ୍ୟ ପ୍ରତିବାଦ କରିବାରୁ ଖଣ୍ଡା ଧରି ଜୀବନରେ ମାରି ଦେବାକୁ ଧମକ ଦେବା ଘଟଣାରେ ଗଜଲକ୍ଷ୍ମୀ ପୂଜା କମିଟି ସଂପାଦକ, ସଭାପତି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଗୁରୁତର ଦଫାରେ ମାମଲା ରୁଜୁ କରିଥିବା ବେଳେ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିନାହିଁ ।

ମିଳିଥିବା ସୂଚନା ଅନୁଯାୟୀ ପାଟପୁର ଗ୍ରାମର ବିପ୍ଲବ ନାୟକ ଅନେକ ସମୟରେ ନିଶା ସେବନ କରି ଧମକ ଚମକ ପ୍ରଦାନ କରିବା ସହ ରାସ୍ତାରେ ଯାତାୟତ କରୁଥିବା ଝିଅ, ବୋହୂଙ୍କୁ ଅଶ୍ଳୀଳ ଇଙ୍ଗିତ ଦେଖାଇ ଆସୁଛି । ଗତ ୧୨ ତାରିଖ ରାତ୍ର ୧୧ଟା ସମୟରେ ବିପ୍ଳବ ଗ୍ରାମ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ପହଞ୍ଚି ହାତରେ ଧରିଥିବା ଧାରୁଆ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପୂଜା କମିଟି ଆସବାବ ପତ୍ର ଫୋପଡ଼ା ଫିଙ୍ଗା କରି ଗଜଲକ୍ଷ୍ମୀ ମଣ୍ଡପ ଆଗରେ ଥିବା ହାତୀର ମୁଣ୍ଡକୁ ଭାଙ୍ଗି ପକାଇଛି । କିଛି ସଦସ୍ୟ ପ୍ରତିବାଦ କରିବାରୁ ବିପ୍ଳବ ଖଣ୍ଡାରେ ହାଣି ଦେବାପାଇଁ ଧମକ ଦେଇଛି ଓ ଗୋଡ଼ାଇଛିା ଏ ସଂପର୍କରେ ପୂଜା କମିଟିର ସଂପାଦକ ରାଜକିଶୋର ନାୟକ, ସଭାପତି କଳ୍ପତରୁ ନାୟକ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ଆଇପିସି ଧାରା ୩୪୧, ୨୯୪, ୪୨୭, ୫୦୯, ୫୦୬, ଥାନା କେସ୍‌ ନଂ-୨୩୮ରେ ମାମଲା ରୁଜୁ କରିଛି । ସଂପୃକ୍ତ ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ପକ୍ଷରୁ ଚଢ଼ଉ ଜାରି ରହିଥିବା ବେଳେ ପୋଲିସ ଭୟରେ ଅଭିଯୁକ୍ତ ଫେରାର ଥିବା ଥାନା ପକ୍ଷରୁ ସୂଚନା ମିଳିଛ।

Get real time updates directly on you device, subscribe now.