fbpx

ମଥୁରାର ଶାହି ଇଦଗାହର ହେବନାହିଁ ସର୍ଭେ : ହାଇକୋର୍ଟଙ୍କ ଆଦେଶ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଥୁରାସ୍ଥିତ ଶାହି ଇଦଗାହ ମସଜିଦରେ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କମିଶନରଙ୍କ ସର୍ଭେ ଉପରେ ପ୍ରତିବନ୍ଧକ ଲଗାଇବାକୁ ମୁସଲମାନ ପକ୍ଷ ଦାବି କରିଥିଲେ । ସେମାନେ ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲେ ।

ମସଜିଦରେ ସର୍ଭେ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଦର୍ଶାଇ ଆଡଭୋକେଟ୍ ତସ୍ନିମ୍ ଅହମ୍ମଦ କହିଛନ୍ତି ଯେ, ଯେଉଁଠାରେ ସିଭିଲ୍ ମକଦ୍ଦମାର ସ୍ଥିରତା ଉପରେ ପ୍ରଶ୍ନ ଉଠିଛି ଏବଂ ସେହି ଆଧାରରେ ମଧ୍ୟବର୍ତ୍ତୀକାଳୀନ ରିଲିଫ୍ ଅନୁଦାନକୁ ବିରୋଧ କରାଯାଇଛି, ତେବେ ମଧ୍ୟବର୍ତ୍ତୀକାଳୀନ ସହାୟତା ପ୍ରଦାନ ନିଷ୍ପତ୍ତି ନେବା ପୂର୍ବରୁ ଟ୍ରାଏଲ କୋର୍ଟ ଏକାସାଙ୍ଗରେ ମୁକଦ୍ଦମାର ଶୁଣାଣି କରନ୍ତୁ ।

ସୁପ୍ରିମକୋର୍ଟ କହିଛନ୍ତି ଯେ, ମୁସଲିମ ପକ୍ଷର ଆବେଦନ ଉପରେ ନୋଟିସ ଜାରି କରୁଛି । ଏହା ଆଇନଗତ ଦିଗ ଅଟେ । ତେବେ ମଥୁରାରେ ୧୩.୩୭ ଏକର ଜମି ଉପରେ ବିବାଦ ରହିଛି । ପ୍ରାୟ ୧୧ ଏକର ଉପରେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ମନ୍ଦିର ଅବସ୍ଥିତ । ଶାହି ଇଦଗାହ ମସଜିଦ ୨.୩୭ ଏକର ଜମିରେ ଅଛି । ଔରଙ୍ଗଜେବ ୧୬୬୯-୭୦ ମସିହାରେ ଶାହି ଇଦଗାହ ନିର୍ମାଣ କରିଥିଲେ । ଦାବି ହେଉଛି ଯେ, ସେ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନରେ ନିର୍ମିତ ପ୍ରାଚୀନ କେଶବନାଥ ମନ୍ଦିରକୁ ଭାଙ୍ଗି ଦେଇଛନ୍ତି ।

Get real time updates directly on you device, subscribe now.