fbpx

ମୟଙ୍କ ଅଗ୍ରୱାଲ ପ୍ଲେୟାର ଅଫ୍ ଦି ମ୍ୟାଚ୍: ୧୪ ୱିକେଟ୍ ନେଇଥିବା ଏଜାଜ୍ ପଟେଲଙ୍କୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଆଜି ଭାରତ ବଡ଼ ରନ ବ୍ୟବଧାନରେ ବିଜୟ ହାସଲ କରି ଇତିହାସ ରଚିଛି । ତେବେ ଏହି ଖୁସିର ମୁହୂର୍ତ୍ତରେ ଏକ ବିବାଦ ସାମ୍ନାକୁ ଆସିଛି । ମ୍ୟାଚରେ ମୋଟ ୧୪ଟି ୱିକେଟ ନେଇଥିଲେ ହେଁ ଏଜାଜ ପଟେଲଙ୍କୁ ଏହି ଆୱାର୍ଡ ଦିଆଯାଇନାହିଁ । ଯାହାଫଳରେ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ତାଙ୍କର ଫ୍ୟାନମାନେ ବୋବାଲ କରୁଛନ୍ତି ।

ସୂଚନାଯୋଗ୍ୟ ଯେ, ଏଜାଜ୍ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୧୦ଟି ୱିକେଟ ନେଇ କୀର୍ତ୍ତିମାନ ରଚିଥିବା ବେଳେ ଦ୍ୱିତୀୟ ଇନିଂସରେ ୪ଟି ୱିକେଟ ହାସଲ କରିଥିଲେ । ରେକର୍ଡ ୱିକେଟ ହାସଲ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ ମିଳିବ ବୋଲି ଅନେକ ଆଶାବାନ୍ଧିଥିଲେ । ତେବେ ତାହା ଏବେ ପାଣି ଫୋଟକା ପରି ମିଳେଇ ଯାଇଛି । ଅପରପକ୍ଷରେ ପ୍ରଥମ ଇନିସଂରେ ୧୫୦ ଓ ଦ୍ୱିତୀୟ ଇନିସଂରେ ୬୨ ରନ ହାସଲ କରି ଟିମ୍ ଇଣ୍ଡିଆର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୟଙ୍କୁ ଏହି ପ୍ଲେୟାର ଅଫ୍ ଦି ମ୍ୟାଚ ପ୍ରଦାନ କରାଯାଇଛି । ତେବେ ଏପରି ନିଷ୍ପତ୍ତିକୁ ନେଇ ଅନେକ ପୂର୍ବତନ କ୍ରିକେଟର ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ନ୍ୟୁଜିଲାଣ୍ଡ ଏହି ମ୍ୟାଚରେ ପରାସ୍ତ ହୋଇଥିଲେ ହେଁ ରେକର୍ଡକୁ ଦୃଷ୍ଟିରେ ରଖି ଏଜାଜଙ୍କୁ ଏହି ଆୱାର୍ଡ ଦେବା ଉଚିତ ଥିଲା ବୋଲି କିଛି ୟୁଜର୍ସ କହିଛନ୍ତି । ସୂଚନାଯୋଗ୍ୟ ଯେ, ଭାରତରେ ଜନ୍ମିତ ଏଜାଜ ପ୍ରଥମ ଇନିଂସରେ ୧୦ଟି ୱିକେଟ ନେଇ ଇତିହାସ ରଚିଥିଲେ । କ୍ରିକେଟ ଇତିହାସରେ ଆଜି ପର୍ଯ୍ୟନ୍ତ ଭାରତର ଅନିଲ କୁମ୍ବେଲେ, ଇଂଲଣ୍ଡର ଜିମ ଲେକର ଓ ନ୍ୟୁଜିଲାଣ୍ଡର ଏଜାଜ ପଟେଲ ଏହି ତିନିଜଣ ଗୋଟିଏ ଇନିଂସରେ ୧୦ଟି ୱିକେଟ ନେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

Get real time updates directly on you device, subscribe now.