fbpx

NMC ନେଲା ନୂଆ ନିଷ୍ପତ୍ତି: MBBS ସିଲାବସ ବଦଳିଲା, ମେଡିକାଲ କଲେଜର ସିଟ୍ ସଂଖ୍ୟା ବଢ଼ିଲା

ନୂଆଦିଲ୍ଲୀ: ମେଡିକାଲ କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ମେଡିକାଲ କଲେଜରେ ଏମବିବିଏସ ସିଲାବସ ପରିବର୍ତ୍ତନ କରାଯିବା ସହିତ ଏମବିବିଏସ ସିଟ ମଧ୍ୟ ବୃଦ୍ଧି କରାଯାଇଛି । ୨୦୨୪-୨୯ ବ୍ୟାଚରେ ପାଇଁ ମେଡିକାଲରେ ଆଡମିଶନ କରୁଥିବା ଛାତ୍ରଛାତ୍ରୀଙ୍କୁ ନୂଆ ସିଲାବସ ଅନୁଯାୟୀ ପାଠ ପଢ଼ାଯିବ । ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏନଏମସି ପକ୍ଷରୁ ଜାରି ନୂଆ ସିଲାବସ ଅନୁଯାୟୀ, ଏଣିକି ଏମବିବିଏସ କୋର୍ସରେ ୨୪ ବଦଳରେ ୨୧ଟି ବିଷୟ ରହିବ । ସେଥିରେ ୩ଟି ବିଷୟକୁ ହଟାଇ ଦିଆଯାଇଛି । ୨୦୨୪-୨୯ ବ୍ୟାଚ ପାଇଁ ମେଡିକାଲ କୋର୍ସରେ ନାମ ଲେଖାଉଥିବା ଛାତ୍ରଛାତ୍ରୀମାନେ ନୂଆ ସିଲାବସ ଅନୁସାରେ ପାଠ ପଢ଼ିବେ । ନୂଆ ସେସନରେ ମେଡିକାଲ କଲେଜରେ ଏମବିବିଏସର ସିଟ ସଂଖ୍ୟା ଏବେ ୧୫୦ ରହିବ । ପୂର୍ବରୁ ପ୍ରତି ମେଡିକାଲ କଲେଜରେ ୧୦୦ଟି ସିଟ୍ ରଖାଯାଇଥିଲା । ଫଳରେ ନୂଆ ମେଡିକାଲ କଲେଜ ତିଆରି ହେବା ସମୟରେ ସେଥିରେ ମଧ୍ୟ ୧୦୦ଟି ଏମବିବିଏସ ସିଟ୍ ବଢ଼ିଯାଉଥିଲା ।

ଆର୍ଥିକ ବର୍ଷ ୨୦୨୪ ପରେ ଚିକିତ୍ସା ଶିକ୍ଷାରେ ଅଧିକ ପାରଦର୍ଶିତ ଆଣିବା ପାଇଁ, ନୂଆ ମେଡିକାଲ କଲେଜ ଆରମ୍ଭ କରିବା ପାଇଁ ଅନୁମତି ଜାରି କରାଯିବ । ତେଣୁ କଲେଜଗୁଡ଼ିକରେ ଅତିକମରେ ୨୧ଟି ବିଷୟ ରହିବା ଆବଶ୍ୟକ । ନୂଆ କଲେଜର ଶ୍ରେଣୀ ଗୃହ ଓ ରୋଗୀଙ୍କର ଦେଖାଶୁଣାକୁ ଏନଏମସିର କଣ୍ଟ୍ରୋଲ ରୁମରେ ଲାଇଭ୍ ଷ୍ଟ୍ରିମ କରିବାକୁ ପଡ଼ିବ । ନୂଆ କଲେଜ ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୦୦ ଏମବିବିଏସ ସିଟକୁ ମେଡିକାଲ ଶିକ୍ଷା ନିୟାବକ ବାଧ୍ୟତାମୂଳକ କରିଛନ୍ତି ।

Get real time updates directly on you device, subscribe now.