fbpx

WHOର ଚେତାବନୀ ପରେ କଫ୍ ସିରପ୍ ଉତ୍ପାଦନ ଉପରେ କଟକଣା: ନିଷ୍ପତ୍ତି ନେଲେ ରାଜ୍ୟ ସରକାର

Advertisement

ନୂଆଦିଲ୍ଲୀ: ମେଡେନ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡର କଫ୍ ସିରପ୍ ଉତ୍ପାଦନ ଉପରେ ହରିୟାଣା ସରକାର କଟକଣା ଲଗାଇଛନ୍ତି । ଏହି କମ୍ପାନୀର କଫ୍ ସିରପକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦ୍ୱାରା ଜାରି ହୋଇଥିବା ଆଲର୍ଟ ପରେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ହରିୟାଣାର ଗୃହ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ବିଜୟ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରୁଛନ୍ତି । ରିପୋର୍ଟ ଆସିବା ପରେ ଯଦି କିଛି ଭୁଲ ଦେଖାଯାଏ ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହରିୟାଣାର କେନ୍ଦ୍ର ଓ ଫାର୍ମାସ୍ୟୁଟିକାଲ୍ ବିଭାଗର ମିଳିତ ଯାଞ୍ଚ ପରେ ପ୍ରାୟ ୧୨ଟି ଭୁଲ ମିଳିଛି, ଏହାକୁ ଦୃଷ୍ଟିରେ ରଖି ମୋଟ ଉତ୍ପାଦନ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏ ସମ୍ପର୍କରେ ନୋଟିସ ଦିଆଯାଇଛି ବୋଲି ସେ କହିଛନ୍ତି ।

ଖବର ଅନୁଯାୟୀ, ହରିୟାଣା ଖାଦ୍ୟ ଓ ଔଷଧ ପ୍ରଶାସନ କମ୍ପାନୀର କଫ ସିରପ ଉତ୍ପାଦନ କାରଖାନାର ଅଭାବ ଦର୍ଶାଇଛି । ହରିୟାଣାର ଫାର୍ମାସ୍ୟୁଟିକାଲ୍ ଅଧିକାରୀମାନେ ସୋନିପତରେ କମ୍ପାନୀର ଉତ୍ପାଦନ କାରଖାନା ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଔଷଧ ଉତ୍ପାଦନର ଉଲ୍ଲଂଘନର ୧୨ଟି ଭୁଲ ପଏଣ୍ଟ ତାଲିକାଭୁକ୍ତ କରାଯାଇଛି ।

ହରିୟାଣା ଡ୍ରଗ୍ କଣ୍ଟ୍ରୋଲର୍ ମେଡେନ ଫାର୍ମାସ୍ୟୁଟିକାଲ୍ସକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଓ ଏହାର ଉତ୍ପାଦନ ଲାଇସେନ୍ସ କାହିଁକି ବାତିଲ କରାଯାଉ ନାହିଁ ବୋଲି ପଚାରିଛନ୍ତି । ଅକ୍ଟୋବର ୧୪ ସୁଦ୍ଧା ଫାର୍ମାସ୍ୟୁଟିକାଲ୍ସକୁ କାରଣ ଦର୍ଶାଅ ନୋଟିସର ଜବାବ ଦେବାକୁ ପଡ଼ିବ । ତେବେ ଗାମ୍ବିଆରେ ୬୬ ପିଲାଙ୍କ ମୃତ୍ୟୁ ପରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ହରିୟାଣାର ମେଡେନ ଫାର୍ମାସ୍ୟୁଟିକାଲ୍ସର ତିନୋଟି କଫ ସିରପ ବିରୋଧରେ ଡାକ୍ତରୀ ଆଲର୍ଟ ଜାରି କରିଛି । ସେବେଠାରୁ କମ୍ପାନୀର କଫ ସିରପକୁ ନେଇ ବିବାଦ ଲାଗି ରହିଛି ।

Get real time updates directly on you device, subscribe now.