fbpx

ଦେଶର ୨୦ଟି ସହରରେ ଖୋଲିବ ମେଟ୍ରୋପଲିଟାନ ସର୍ଭେଲାନ୍ସ ସେଣ୍ଟର, ଓଡ଼ିଶାରୁ ସ୍ଥାନ ପାଇଲା ଗୋଟିଏ ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିଲେ ହେଁ ଭାଇରସର ଭୟାବହତା ସାରା ବିଶ୍ୱକୁ ଏକ ବଡ଼ ଶିକ୍ଷା ଦେଇ ଯାଇଛି । ତେବେ ଆଗାମୀ ଦିନରେ ମହାମାରୀକୁ କିପରି ସଫଳତାର ସହ ମୁକାବିଲା କରାଯିବ ସେନେଇ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଦେଶର ୨୦ଟି ପ୍ରମୁଖ ସହରରେ ପ୍ରତିଷ୍ଠା ହେବ ମେଟ୍ରୋପଲିଟାନ ସର୍ଭେଲାନ୍ସ ସେଣ୍ଟର । ତେବେ ସବୁଠାରୁ ବଡ଼କଥା ହେଉଛି ଏହି ସହରମାନଙ୍କ ମଧ୍ୟରେ ରାଜ୍ୟର ଏକମାତ୍ର ସହର ଭାବେ ଭୁବନେଶ୍ୱର ସ୍ଥାନ ପାଇଛି ।

ଦେଶର ବିଭିନ୍ନ ସହରମାନଙ୍କରେ ଏବେ ରୋଗର ନିରୀକ୍ଷଣ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ବଳ ରହିଛି । ଅଧିକାଂଶ ସଂକ୍ରାମକ ଓ ଅଣସଂକ୍ରାମକ ରୋଗର ସଠିକ୍ ତଥ୍ୟ ସହରାଞ୍ଚଳରୁ ମିଳୁପାରୁ ନାହିଁ । ତେବେ ଏନସିଡିସି ଓ ଆଇସିଏମଆର ଉପରେ ଅଧିକ ଚାପ ବଢ଼ିଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ସହିତ ଏକାଧିକ ରାଜ୍ୟରେ ସର୍ଭେଲାନ୍ସ ବ୍ୟବସ୍ଥା ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି । ଏହାଦ୍ୱାରା ଚିକୁନଗୁନିଆ, ଡେଙ୍ଗୁ, ସ୍କ୍ରବ ଟାଇଫସ ଓ ଜାଇକା ଭଳି ରୋଗ ଉପରେ ନିରୀକ୍ଷଣ କରିହେବ ।

ଗତ କିଛିଦିନ ଧରି ଭୁବନେଶ୍ୱର ସହିତ ରାଜ୍ୟର ଅନ୍ୟ ଅଞ୍ଚଳମାନଙ୍କରେ ଡେଙ୍ଗୁ, ଫାଇଲେରିଆ ଆଦି ରୋଗ ବ୍ୟାପିବାରେ ଲାଗିଛି । ସର୍ଭେଲାନ୍ସ ସ୍ଥାପନ ହେବା ପରେ ତାହା ଏହି ସବୁ ରୋଗ ଉପରେ କାର୍ଯ୍ୟ କରିବ । ଏହାଦ୍ୱାରା ଏହି ରୋଗ ଅନ୍ୟ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ତା’ ବିଷୟରେ ଆଗକୁ ତଥ୍ୟ ମିଳିପାରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ମାନବ ସମ୍ବଳ ସହିତ ଟେଷ୍ଟିଂ କିଟ, ଲଜିଷ୍ଟିକ ସହାୟତା, ପରିବହନ ବ୍ୟବସ୍ଥା ଆଦି ଯୋଗାଇ ଦିଆଯିବ । ଦେଶର ଦିଲ୍ଲୀ, ଗୌହାଟୀ, କୋଲକାତା, ଆଗ୍ରା, ଲକ୍ଷ୍ନୌ, ଚେନ୍ନାଇ, ହାଇଦ୍ରାବାଦ, ଜୟପୁର, ଭୁବନେଶ୍ୱର, ଅହମ୍ମଦାବାଦ, ଚଣ୍ଡିଗଡ଼, ଗୁରୁଗ୍ରାମ, ସିମଲା, ବେଙ୍ଗାଲୁରୁ, ଭୋପାଳ, ପୁଣେ, ଥାନେ, ମୁମ୍ବାଇ, ନାଗପୁର ଆଦି ସହରରେ ମେଟ୍ରୋପଲିଟାନ ସର୍ଭେଲାନ୍ସ ସେଣ୍ଟର ପ୍ରତିଷ୍ଠା ହେବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.