IndiaAI ସହ Microsoftର ବଡ଼ ଡିଲ୍, ୨୦୨୬ ମଧ୍ୟରେ ୫ ଲକ୍ଷ ଲୋକଙ୍କୁ ଦିଆଯିବ AI ଟ୍ରେନିଂ
ମାଇକ୍ରୋସଫ୍ଟ ଇଣ୍ଡିଆଏଆଇ ମିଶନରେ ସରକାରଙ୍କ ସହ ଏକ ସେଣ୍ଟର ଅଫ୍ ଇକ୍ସଲେନ୍ସ ମଧ୍ୟ ସ୍ଥାପନ କରୁଛି । ଏହି ସହଭାଗୀତା ଅନୁଯାୟୀ, ଦେଶର ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ସହରଗୁଡ଼ିକରେ ଗ୍ରାମୀଣ ଏଆଇ ଉଦ୍ଭାବନକୁ ପ୍ରୋତ୍ସହିତ କରିବାର କାର୍ଯ୍ୟ ହେବ ।
ନୂଆଦିଲ୍ଲୀ: ଏଆଇ ଉପରେ କାର୍ଯ୍ୟ କରୁଥିବା ସରକାରୀ ୟୁନିଟ ଇଣ୍ଡିଆଏଆଇ ଏକ ବଡ଼ ଖବର ନେଇ ଆସିଛି । ଏହା ୨୦୨୬ ପର୍ଯ୍ୟନ୍ତ ପାଞ୍ଚ ଲକ୍ଷ ଲୋକଙ୍କୁ ଟ୍ରେଣ୍ଡ କରିବା ଲାଗି ଟେକ୍ନୋଲୋଜୀ କମ୍ପାନୀ ମାଇକ୍ରୋସଫ୍ଟ ସହ ପାର୍ଟନରସିପ କରିଛି । ଏନେଇ କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ଡିଲ୍ ଅନୁଯାୟୀ, ଛାତ୍ରମାନଙ୍କୁ, ଶିକ୍ଷକଙ୍କୁ, ସପ୍ଟୱେୟାର ଡେଭଲପର, ସରକାରୀ ଅଧିକାରୀ ଏବଂ ମହିଳା ଉଦ୍ୟୋଗୀଙ୍କ ସମେତ ପାଞ୍ଚ ଲକ୍ଷ ଲୋକଙ୍କୁ ଏଆଇର ଟ୍ରେନିଂ ଦିଆଯିବ । ମାଇକ୍ରୋସଫ୍ଟର ଭାରତ ଏବଂ ଦକ୍ଷିଣ ଏସିଆ ବିଭାଗର ସଭାପତି ପୁନୀତ ଚାନ୍ଦୋକ ପିଟିଆଇକୁ କହିଛନ୍ତି ଯେ, କମ୍ପାନୀର ଚେୟାରମ୍ୟାନ୍ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କ ଦ୍ୱାରା ଘୋଷିତ 3 ବିଲିୟନ ଡଲାରର ପୁଞ୍ଜି ବିନିଯୋଗ, ଦେଶରେ ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି, ଏଇ କ୍ଷମତା ଏବଂ ମାନବ ପୁଞ୍ଜି ନିର୍ମାଣରେ ସହାୟକ ହେବ।
ଚାନ୍ଦୋକ କହିଛନ୍ତି, “ଗତ ବର୍ଷ ଆମେ 20 ଲକ୍ଷ ଲୋକଙ୍କୁ ତାଲିମ ପ୍ରଦାନ କରିବାକୁ ଘୋଷଣା କରିଥିଲୁ। ଆମେ ପୂର୍ବରୁ 24 ଲକ୍ଷ ଲୋକଙ୍କୁ ତାଲିମ ଦେଇସାରିଛୁ | ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଆମେ ଏକ କୋଟି ଲୋକଙ୍କୁ ତାଲିମ ପ୍ରଦାନ କରିବାକୁ ଘୋଷଣା କରିଛୁ। ଆମେ ମଧ୍ୟ ଇଣ୍ଡିଆଏଆଇ ମିଶନ ସହ ଏକ ଏମଓୟୁ ସ୍ୱାକ୍ଷର କରିଛୁ ଏବଂ ଏହା ଅଧୀନରେ ପାଞ୍ଚ ଲକ୍ଷ ଲୋକଙ୍କୁ ତାଲିମ ଦିଆଯିବ। ”